ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓ ଦମନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ଓଡ଼ିଶା ପୋଲିସ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସକୁ ବଡ଼ ସଫଳତା ମିଳିବା ପରେ ମଙ୍ଗଳବାର କନ୍ଧମାଳର କୁକୁଲାଝର ଜଙ୍ଗଲରେ ମିଳିଛି ସଫଳତା। ପୋଲିସ ଡିଜି ମଧ୍ୟ କୋରାପୁଟ ଗସ୍ତ କରି ମାଓ ମୁକାବିଲା ପାଇଁ କରିଛନ୍ତି ଆଲୋଚନା।

ମାଓ କ୍ୟାମ୍ପ ଉପରେ ବଡ଼ ଧରଣର ହମଲା କରିଛି ପୋଲିସ। ମଙ୍ଗଳବାର ସକାଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା କୁକୁଲାଝର ମାଓ ଶିବିରକୁ ଛାରଖାର କରିଦେଇଛନ୍ତି ସୁରକ୍ଷା ବଳ। ଏହି ଜଙ୍ଗଲରେ ମାଓବାଦୀମାନେ ମେଳି ବାନ୍ଧିଥିବା ଗୁଇନ୍ଦା ବିଭାଗ ଖବର ପାଇଥିଲା। ଏହି ଖବରକୁ ଆଧାର କରି ଅଚାନକ ଚଢ଼ାଉ କରିଥିଲା ସୁରକ୍ଷା ବାହିନୀ।

ସୁରକ୍ଷା ବଳ ଉପରକୁ ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ପରେ ପାଲଟା ଆକ୍ରମଣ କରିଥିଲେ ସୁରକ୍ଷା ବାହିନୀ। ହେଲେ ପୋଲିସ ଗୁଳିରେ କେହି ମାଓବାଦୀ ମୃତାହତ ହୋଇ ନଥିବା ଜଣାପଡ଼ିଛି। ପୋଲିସର ଅତର୍କିତ ଗୁଳି ଚାଳନାରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ।

ଏହି ଶିବିରରେ ପ୍ରାୟ ୧୦ରୁ ୧୫ ମାଓବାଦୀ ରହିଥିଲେ। ଏବେ ବି ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରଖିଛି ପୋଲିସ।

କନ୍ଧମାଳରେ ପୋଲିସକୁ ଏହି ସଫଳତା ମିଳିଥିବା ବେଳେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି କୋରାପୁଟ ଗସ୍ତ କରିଛନ୍ତି। କୋରାପୁଟ ଏସ୍‌ପିଙ୍କ ଅଫିସରେ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଗୁଇନ୍ଦାକୁ କିପରି ମଜବୁତ କରାଯିବ ସେନେଇ ଗୁରୁତ୍ୱ ଦେଇଛନ୍ତି ଡିଜି।

“ନାରାୟଣପାଟଣା ଏନ୍‌କାଉଣ୍ଟର ପୋଲିସ ପାଇଁ ବଡ଼ ସଫଳତା। ସୁଙ୍କି ଘାଟି ବିସ୍ଫୋରଣ ପରେ ପୋଲିସକୁ ଏଭଳି ସଫଳତା ମିଳି ନଥିଲା। ମାଓବାଦୀ ଦମନ ପାଇଁ ପୋଲିସ ଆଗକୁ ଆହୁରି ଦୃଢ଼ ରଣନୀତି ପ୍ରସ୍ତୁତ କରିବ”, କହିଛନ୍ତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ମାଓ ମୁକାବିଲା ପାଇଁ ଏସ୍‌ଓପି ପାଳନ ହେବ। ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ନିବେଦନ କରାଯିବ ବୋଲି ଡିଜିପି କହିଛନ୍ତି।

ବୈଠକରେ ଆଡିସନାଲ ଡିଜି ଅପରେସନ୍ ଆର୍‌ ପି କୋଚେ, ଡିଆଇଜି ଏସ୍‌ ସାଇନି ଏବଂ ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Comment