ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୯ରେ ଛତିଶା ନିଯୋଗର ବୈଠକ
  • ବୈଠକ ପରେ ସ୍ଥିର ହେବ ରତ୍ନଭଣ୍ଡାର ଖୋଲିବା ତାରିଖ
  • ୧୯୭୮ ଏବଂ ୧୯୮୪ରେ ଖୋଲିଥିଲା ରତ୍ନଭଣ୍ଡାର

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଇନ୍ ବିଭାଗ ତରଫରୁ ଅନୁମତି ମିଳିଛି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଆଇନ୍ ବିଭାଗରୁ ଚିଠି ଆସିଛି। ତେବେ କେଉଁଦିନ ରତ୍ନଭଣ୍ଡାର ଖୋଲାଯିବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ।

୨୯ ତାରିଖରେ ଛତିଶା ନିଯୋଗ ବୈଠକ ବସିବ। ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ସ୍ଥିର କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ୧୯୭୮ ଏବଂ ୧୯୮୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ଯେଉଁ ନିୟମ ଲାଗୁ କରାଯାଇଥିଲା ତାହା ଏବେ ଅନୁପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଚାହିଁଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍‌ଆଇ କର୍ତ୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ଆଧାରରେ ମାର୍ଚ୍ଚ ୨୬ ଏବଂ ୨୭ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ।ହେଲେ ଏହାକୁ କିଛି ସେବାୟତ ବିରୋଧ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ।

ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗର ଅନୁମତି ଲୋଡ଼ିଥିଲେ। ଆଇନ ବିଭାଗ ସବୁ ଦିଗକୁ ବିଚାର କରି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲିବା ପାଇଁ ଚିଠି ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍‌ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାର ପଟ ଯାଞ୍ଚ କରିଛନ୍ତି। ବାହାର ପଟ କାନ୍ଥ ଏବଂ ଛାତ ଠିକ୍ ଥିବା ଏଏସ୍‌ଆଇ ଅଧିକାରୀ କହିଛନ୍ତି। ତେବେ ୨୬ ତାରିଖରେ ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହେବ। କିନ୍ତୁ କେତେ ପରିମାଣର ଗହଣା ଅଛି ତାହା ଆକଳନ କରାଯିବ ନାହିଁ।

Comment