ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲ ଟାମ୍ପରିଂ ବିବାଦରେ ଫସି ଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ୩ଜଣ ଖେଳାଳିଙ୍କୁ ଦଣ୍ଡିତ କରାଯାଇଛି।  

ମହଙ୍ଗା ପଡ଼ିଲା ବଲ ଟାମ୍ପରିଂ। ଅଷ୍ଟ୍ରେଲିଆ ଖେଳାଳିଙ୍କ ବଲ ଟାମ୍ପରିଂ ଘଟଣାରେ ସମ୍ପୃକ୍ତ ଥିବା ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ଼୍ ଓ୍ବାର୍ଣ୍ଣରଙ୍କୁ ବର୍ଷେ ପାଇଁ କ୍ରିକେଟରୁ ବାସନ୍ଦ କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ। ସେହିପରି ଏହି ଅନ୍ୟ ଜଣେ ଦୋଷୀ କାମରେନ୍ ବେନ୍‌କ୍ରାଫ୍ଟଙ୍କୁ ୯ମାସ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଛି।

ବଲ ଟାମ୍ପରିଂ ଘଟଣା ପ୍ରମାଣିତ ହେବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଅଷ୍ଟ୍ରେଲିଆ ଦଳରୁ ଏହି ତିନି ଖେଳାଳିଙ୍କ ସ୍ଵଦେଶ ଫେରିଯିବାକୁ କୁହାଯାଇଥିଲା।

ବଲ ଟାମ୍ପରିଂ ଘଟଣାରେ ସାରା ବିଶ୍ଵରେ ଅଷ୍ଟ୍ରେଲିଆ କ୍ରିକେଟ୍ ଲଜ୍ଜିତ ହେବା ପରେ ଏଥିରେ ସେଠାକାର ସରକାର ହସ୍ତକ୍ଷେପ କରିଥିଲେ। ଫଳରେ ତିନି ଖେଳାଳିଙ୍କ ଉପରେ ଯଥାଶିଘ୍ର ଦଣ୍ଡବିଧାନ କରାଯାଇଛି।

ପୂର୍ବରୁ ଷ୍ଟିଭ୍ ସ୍ମିଥ୍, ଡେଭିଡ଼୍ ଓ୍ବାର୍ଣ୍ଣର ଓ କାମରେନ୍ ବେନ୍‌କ୍ରାଫ୍ଟଙ୍କ ବଲ ଟାମ୍ପରିଂରେ ସମ୍ପୃକ୍ତ ନେଇ ଅଭିଯୋଗ ଆସିବା ପରେ ସେମାନଙ୍କୁ କ୍ରିକେଟରୁ ସମ୍ପୂର୍ଣ୍ଣ ବାସନ୍ଦ ପାଇଁ ବହୁ ପୂର୍ବତନ କ୍ରିକେଟର ଦାବି କରିଥିଲେ। ଭଦ୍ର ଲୋକର ଖେଳ କୁହାଯାଉଥିବା କ୍ରିକେଟରେ ଏଭଳି ଅଭଦ୍ର ଆଚରଣ ନିନ୍ଦନୀୟ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।

ବିଶ୍ଵକପ୍‌ କ୍ରିକେଟ୍ ୨୦୧୯ ଜୁନ୍‌ ୩୦ରେ ଖେଳାଯିବାକୁ ଥିବାବେଳେ ଏହି ତିନି ଖେଳାଳି କ୍ରିକେଟ ମହାକୁମ୍ଭରେ ଭାଗ ନେଇପାରିବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here