ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନେଇ ପୁରୀ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି।

ପୁରୀ  ଶ୍ରୀମନ୍ଦିରର ପରିଚାଳନା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ସହିତ ଜଡିତ ଅନୁଷ୍ଠାନ, ସେବାୟତଙ୍କ ଉନ୍ନତି ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଗତ କିଛି ଦିନ ହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ମନ୍ଦିର ପରିଚାଳନା କମିଟି ଚର୍ଚ୍ଚାରେ ରହିଛି। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ୍ କରାଯିବା ଜରୁରୀ ହୋଇପଡ଼ିଛି।

ରତ୍ନଭଣ୍ଡାର ଖୋଲିବା ପାଇଁ ଆଇନ ବିଭାଗ ଅନୁମତି ଦେବା ପରେ ଏଥିପାଇଁ ପ୍ରକ୍ରିୟା ଜୋରଦୋର ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକପରେ ଗୁରୁବାର ସନ୍ଧ୍ୟାରେ ପୁରୀରେ ବସିବ ଛତିଶା ନିଯୋଗ ବୈଠକ।

ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏଥିରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ଚୂଡାନ୍ତ ହୋଇଛି। ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ ସହ ଭିଡିଓଗ୍ରାଫି ହେବ।

ଯାଞ୍ଚ ସମୟରେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଯାଇଥିବା ଲୋକେ ଛୁଇଁପାରିବେ ନାହିଁ। ତେବେ କେଉଁମାନେ ରତ୍ନଭଣ୍ଡାରକୁ ଯିବେ ତାହା ସ୍ଥିର ହୋଇନାହିଁ। ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ନେଇପାରିବେ ନାହିଁ। ଧୋତି, ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ। ରତ୍ନଭଣ୍ଡାର ଯାଞ୍ଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ତେବେ ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ। କେବଳ ଛାତ ଓ କାନ୍ଥର ଭିଡିଓଗ୍ରାଫି ହେବ। ଭିତରରୁ ଯିବା ଲୋକଙ୍କର ସ୍କାନିଂ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ବୈଠକ ପରେ ଗଜପତି ମହାରାଜା କହିଛନ୍ତି, “ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଇଛୁ। ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଗୁଣ୍ଡିଚା ମନ୍ଦିରର ଉନ୍ନତି,ଦକ୍ଷିଣ ଏମାର ମଠର ଉନ୍ନତି, ବଡ଼ଦାଣ୍ଡର ଉନ୍ନତି ଓ  ଶ୍ରୀମନ୍ଦିରର ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏହି ବୈଠକ ସମୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ  ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

 

 

Comment