ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ଅନ୍ୟତମ ପେସାଦାର ପ୍ରତିଯୋଗିତା ସୁପର କପ୍‍ ଫୁଟ୍‍ବଲ ପ୍ରଥମ ସଂସ୍କରଣ ଆରମ୍ଭ ହେଉଛି ।  ୧୬ ଦଳ, ୧୫ ମ୍ୟାଚ୍‍, ୨୧ ଦିନର ଲଢେଇ ପାଇଁ ପଡ଼ିଆ ପ୍ରସ୍ତୁତ। ଏଥିଲାଗି ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଓ ଫୁଟ୍‍ବଲ ଆସୋସିଏସନ ଅଫ୍‍ ଓଡ଼ିଶା (ଫାଓ) ପକ୍ଷରୁ ପ୍ରସ୍ତୁତି ଶେଷହୋଇଛି। 

ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍‌ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ  ଆଇଏସ୍‌ଏଲ୍‌ର ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଖେଳାଯାଇ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍‌ ଆୟୋଜନ ଅଧିକାର। ନକ୍‌ଆଉଟ୍‌ ଭିତ୍ତିରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।

ଭାରତରେ ଆୟୋଜିତ ଦୁଇ ଘରୋଇ ଲିଗ୍‌ ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ର ଶ୍ରେଷ୍ଠ ୧୬ ଦଳ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଳିତ ବର୍ଷର ଉଭୟ ଲିଗ୍‌ର ପଏଣ୍ଟ୍‌ ତାଲିକାର ପ୍ରଥମ ୬ ଲେଖାଏଁ ସ୍ଥାନରେ ରହିଥିବା ଦଳ ସିଧାସଳଖ ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ଅନ୍ୟ ୪ ଦଳ ଚଳିତ ମାସ ୧୫ ଏବଂ ୧୬ ତାରିଖରେ ଯୋଗ୍ୟତା ମ୍ୟାଚ୍‌ ଖେଳି ଏଠାକୁ ଆସିଛନ୍ତି। ଶନିବାର ଉଦ୍‌ଘାଟନୀ ମୁକାବିଲାରେ ଚଳିତ ବର୍ଷର ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ ଆଇଲିଗ୍‌ର ପଞ୍ଚମ ସ୍ଥାନରେ ଥିବା ଆଇଜଲ୍‌ ଏଫ୍‌ସି।

ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମର ସବୁ ଗ୍ୟାଲେରି ଟିକେଟ ଦର ୨୦ ଟଙ୍କାକୁ କମାଇ ଦିଆଯାଇଛି। ପୂର୍ବରୁ ବିଭିନ୍ନ ଗ୍ୟାଲେରିର ଟିକେଟ ଦର ୨୦ରୁ ୧୦୦ ଟଙ୍କା ମଧ୍ୟରେ ରଖା ଯାଇଥିଲା। ଏପରିକି ଏହି ଦରରେ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ କରି ଦିଆଯାଇଥିଲା। ଗୁରୁବାରଠାରୁ  ଟିକେଟ ଦର ୨୦ ଟଙ୍କାକୁ କମାଇ ଦିଆ ଯାଇଥିବାରୁ ଅନଲାଇନ୍‌ରେ ଅଧିକ ଦର ଦେଇ ଟିକେଟ କିଣିଥିବା ଫୁଟବଲ୍‌ ପ୍ରେମୀଙ୍କୁ ବଳକା ଅର୍ଥ କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ୍‌ ପାଖରେ ଖୋଲା ଯାଇଥିବା ଟିକେଟ୍‌ କାଉଣ୍ଟର ମାଧ୍ୟମରେ ଫେରାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

ଫେବ୍ରୁଆରିରେ ହୋଇଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ ଏବଂ ସୁପରକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଆଶାଜନକ ଦର୍ଶକ ହୋଇ ନଥିଲେ। ଚଢ଼ା ଟିକେଟ ଦର ଯାହାର ଅନ୍ୟତମ କାରଣ ଥିଲା। ଏପରିକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ଦିନରେ କ୍ରୀଡ଼ା ବିଭାଗ ପକ୍ଷରୁ ମାଗଣାରେ ୪,୦୦୦ ଟିକେଟ ବାଣ୍ଟିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଦର୍ଶକଙ୍କ ଅନାଗ୍ରହ ଯୋଗୁଁ ଷ୍ଟାଡିୟମ୍‌ ପୂରି ପାରି ନଥିଲା। ଏହାକୁ ଆଖି ଆଗରେ ରଖି ମୁଖ୍ୟ ପର୍ଯ୍ୟାୟରେ ଯେମିତି ଦର୍ଶକ ମରୁଡ଼ି ନ ହୁଅନ୍ତି ସେ ଦିଗରେ ଯତ୍ନବାନ ହୋଇଛନ୍ତି ଆୟୋଜକ। ଆବଶ୍ୟକ ହେଲେ ରାଜଧାନୀର କେତେକ ବିଦ୍ୟାଳୟ ପିଲାଙ୍କ ପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯିବ ବୋଲି ଗୁରୁବାର ସଂକେତ ଦେଇଛନ୍ତି ଫାଓ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ।

LEAVE A REPLY

Please enter your comment!
Please enter your name here