ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମଧ୍ୟାହ୍ଣ ଧୂପ ପରେ ଖୋଲିବ ରତ୍ନଭଣ୍ଡାର
  • ସାଧାରଣ ଦର୍ଶନ ୨ ଘଣ୍ଟା ବନ୍ଦ ରହିବ
  • ଯାଞ୍ଚ ବେଳେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ

ବୁଧବାର ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ମଙ୍ଗଳବାର ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଗଜପତିଙ୍କ ପ୍ରତିନିଧି ନୁହନ୍ତି, ରତ୍ନଭଣ୍ଡାର ଯାଞ୍ଚ ବେଳେ ଗଜପତି ମହାରାଜା ଉପସ୍ଥିତ ରହିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ।

ସମ୍ମିଳନୀ ସମ୍ପାଦକ କାଶୀନାଥ ଖୁଣ୍ଟିଅ କହିଛନ୍ତି, “ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ୧୦ ଜଣିଆ ଟିମ୍ ଗଠନ କରାଯାଇଛି ସେଥିରେ ଗଜପତି ମହାରାଜାଙ୍କୁ ସ୍ଥାନ ଦିଆଯାଉ। ତାଙ୍କ ପ୍ରତିନିଧି ବଦଳରେ ମହାରାଜା ଯାଞ୍ଚ ସମୟରେ ଉପସ୍ଥିତ ରୁହନ୍ତୁ।”

ବୁଧବାର ମଧ୍ୟାହ୍ଣ ଧୂପ ପରେ ଏବଂ ଭୋଗ ମଣ୍ଡପ ଉଠିବା ପରେ ୧୦ ଜଣିଆ ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ କରିବେ। ସଦସ୍ୟମାନେ ଧୋତି ଗାମୁଛା ପିନ୍ଧି ଭିତରେ ପ୍ରବେଶ କରିବେ। ସେମାନଙ୍କ ଶରୀରରେ କୌଣସି ଅଳଙ୍କାର ରହିବ ନାହିଁ। ସେମାନଙ୍କ ବଡ଼ି ସ୍କାନିଂ କରାଯିବା ପରେ ଯାଞ୍ଚକାରୀ ଟିମ୍‌କୁ ରତ୍ନଭଣ୍ଡାର ଭିତରକୁ ଛଡ଼ାଯିବ।

ଯାଞ୍ଚ ସମୟରେ ମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ମନ୍ଦିର ବାହାରେ ଏବଂ ଭିତରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟ କରାଯିବ। ୨ ଘଣ୍ଟା କାଳ ସାଧାରଣ ଦର୍ଶନ ବନ୍ଦ ରହିବ। ରତ୍ନଭଣ୍ଡାର ଭିତର ସ୍ଥିତିର ଭିଡିଓଗ୍ରାଫି କରାଯିବ। ତେବେ କୌଣସି ଅଳଙ୍କାରର ଭିଡିଓଗ୍ରାଫି କରାଯିବ ନାହିଁ। ଯାଞ୍ଚ କରିବା ପରେ ଏଏସ୍‌ଆଇ ଅଧିକାରୀମାନେ ଶ୍ରୀମନ୍ଦିର ପ୍ରଶାସନକୁ ତତ୍କାଳ ରିପୋର୍ଟ ପ୍ରଦାନ କରିବେ।

ଏହି ୧୦ ଜଣିଆ ଟିମ୍‌ରେ ଗଜପତିଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାରମେକାପ, ତଡ଼ଉକରଣ, ଦେଉଳକରଣ, ଏଏସ୍‌ଆଇର ୨ ଜଣ ଯନ୍ତ୍ରୀ, ଶ୍ରୀମନ୍ଦିର କୋର୍ କମିଟିର ୨ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି।

ରତ୍ନଭଣ୍ଡାର ଖୋଲାକୁ ନେଇ ବିରୋଧ ଜାରି ରହିଛି। ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନରସିଂହ ପୂଜାପଣ୍ଡା ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ଦୀର୍ଘ ବର୍ଷ ପରେ ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।

Comment