ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଜୋର୍ ଧରିଲା ଜାତିବାଦର ନିଆଁ। ଦଳିତଙ୍କୁ ସମର୍ଥନ କରି ନିଆଁ ଜାଳିଛି କଂଗ୍ରେସ। ସାରା ଦେଶରେ ‘ଉପବାସ’ ଅନଶନ କରି କଂଗ୍ରେସ ଦଳିତ କାର୍ଡ ଖେଳିଛି। ହେଲେ ବିଜେପି ଏହାକୁ ‘ଉପହାସ’ କହି ସମାଲୋଚନା କରିଛି।

କ’ଣ ପାଇଁ ଦଳିତ ରାଜନୀତି

ଏସ୍‌ସି/ଏସ୍‌ଟି ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ବିଭିନ୍ନ ସଙ୍ଗଠନ। ଏହାର ପ୍ରତିବାଦରେ ୧୧ଟି ସଙ୍ଗଠନ ଏପ୍ରିଲ ୨ରେ ଭାରତ ବନ୍ଦ କରିଥିଲେ। ଏହି ବନ୍ଦ ବେଳେ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଉତ୍ତରପ୍ରଦେଶ, ବିହାରା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ୯ ଜଣ ଲୋକଙ୍କର ପ୍ରାଣହାନି ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ହିଂସାକାଣ୍ଡ ପରେ ରାୟରେ ପୁନଃବିଚାର କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ପୂର୍ବ ରାୟକୁ କାଏମ୍ ରଖିଥିଲେ। ଏବେ ଏହାକୁ ଅସ୍ତ୍ର କରିଛି କଂଗ୍ରେସ। ଦଳିତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧି ନୂଆଦିଲ୍ଲୀର ରାଜଘାଟଠାରେ ଅନଶନରେ ବସିଥିଲେ।

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଉପବାସ ଅନଶନ ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ନେତାମାନେ ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସିଲା ଦୀକ୍ଷିତ, ଅଜୟ ମାକନଙ୍କ ଭଳି ବରିଷ୍ଠ ନେତା ଅନଶନରେ ବସିଥିଲେ। ରାହୁଲ ୨ ଘଣ୍ଟା ପରେ ଅନଶନସ୍ଥଳରେ ପହଞ୍ଚିଥିଲେ।

ଅନଶନସ୍ଥଳରୁ ଫେରି ଆସିଲେ ଟାଇଟଲର୍

ଅନଶନସ୍ଥଳରୁ କଂଗ୍ରେସ ନେତା ଜଗଦ୍ଦିଶ ଟାଇଟଲର ଏବଂ ସଜ୍ଜନ ସିଂଙ୍କୁ ଫେରାଇ ଦିଆଯାଇଥିଲା। ୧୯୮୪ ଶିଖ୍ ଦଙ୍ଗା ମାମଲାରେ ଟାଇଟଲରଙ୍କ ହାତ ରହିଥିବାରୁ ତାଙ୍କୁ ଅନଶନସ୍ଥଳରୁ ଫେରାଇ ଦିଆଯାଇଥିବା କୁହାଯାଉଛି। ହେଲେ ଟାଇଟଲର୍ କହିଛନ୍ତି ଯେ ତାଙ୍କୁ ସିବିଆଇ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇ ସାରିଛି।

ଆଜି ଭାରତ ବନ୍ଦ

ଏପ୍ରିଲ ୨ ତାରିଖରେ ହୋଇଥିବା ଭାରତ ବନ୍ଦକୁ କାଉଣ୍ଟର କରି କିଛି ସଙ୍ଗଠନ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ହେଲେ କେଉଁ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସୋସିଆଲ ମିଡିଆରେ ଚାଲିଛି ଜୋରଦାର କ୍ୟାମ୍ପେନ। କିନ୍ତୁ ବନ୍ଦ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କେନ୍ଦ୍ର ଗୃହ ବିଭାଗ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗାଇଡ୍ ଲାଇନ୍ ଜାରି କରିଛି।

ଗାଇଡ୍ ଲାଇନ୍‌ରେ କୁହାଯାଇଛି ଯେ ବନ୍ଦ ବେଳେ ଅଘଟଣ ଏଡ଼ାଇବାକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବେ ରାଜ୍ୟ ସରକାର। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୁହାଯାଇଛି। ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବା ପାଇଁ ଏଥିରେ କୁହାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଜିଲ୍ଲାପାଳ ଏବଂ ଏସ୍‌ପି ଉତ୍ତରଦାୟୀ ରହିବେ ବୋଲି ଗଇଡ ଲାଇନ୍‌ରେ କୁହାଯାଇଛି।

ବିଜେପି ଦେଲା ଜବାବ

କଂଗ୍ରେସର ଉପବାସ ଅନଶନର ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, “କଂଗ୍ରେସ ଉପବାସକୁ ଉପହାସରେ ପରିଣତ କରିଛି। ଏହାକୁ ନେଇ ଅଯଥା ରାଜନୀତି କରାଯାଉଛି। ଫାଷ୍ଟ ନାରେ କଂଗ୍ରେସ ଫାର୍ସ କରୁଛି।”

Comment