ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିଜେପିରେ ହେବ ନେତୃତ୍ୱ ପରିବର୍ତ୍ତନ। ଏପ୍ରିଲ ୩ ତାରିଖରେ ଆରଏସଏସର କିଛି ଉଚ୍ଚ ପଦାଧିକାରୀ ଭୁବନେଶ୍ୱର ଆସି ଦଳ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ଲୋକଙ୍କୁ ଭେଟିଛନ୍ତି।

ବିଗତ କେତୋଟି ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପିକୁ ଏବେ ନେତୃତ୍ୱ ପରିବର୍ତ୍ତନ ଚିନ୍ତା ଘାରିଛି। ଏପ୍ରିଲ ୩ ତାରିଖରେ ଆରଏସଏସର କିଛି ଉଚ୍ଚ ପଦାଧିକାରୀ ଏହି ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ନେଇ ଭୁବନେଶ୍ୱର ଆସିଥିଲେ। ଦଳର ନେତା ତଥା ଦଳ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା କିଛି ଲୋକଙ୍କୁ ସେମାନେ ଭେଟିଥିଲେ।

ରାମ ଲାଲ ଓ କୃଷ୍ଣ ଗୋପାଳ ହେଉଛନ୍ତି ଦୁଇ ପ୍ରଭାବଶାଳୀ ବ୍ୟକ୍ତି ଯେଉଁମାନେ ସଂଘ ଓ ବିଜେପି ମଧ୍ୟରେ ସଂଯୋଗକାରୀ। ଏହି ଦୁଇ ବ୍ୟକ୍ତିଙ୍କ ହସ୍ତକ୍ଷେପର ଫଳ ସଙ୍ଗେସଙ୍ଗେ ଦେଖିବାକୁ ମିଳିଥିଲା। ଆରଏସଏସର ରାଜ୍ୟ  ସଂଗଠନ ସମ୍ପାଦକ ଶାରଦା ଶତପଥୀଙ୍କୁ ବଦଳାଇ ଦିଆଯାଇ ତାଙ୍କ ସ୍ଥାନରେ ମାନସ ମହାନ୍ତିଙ୍କୁ ଦାୟିତ୍ୱ ଦିଆଗଲା। ପ୍ରଚଳିତ ବ୍ୟବସ୍ଥା ଅନୁସାରେ  ଆରଏସଏସର ସଂଗଠନ ସମ୍ପାଦକ ହେଉଛନ୍ତି ସଂଘ ଓ ବିଜେପି ମଧ୍ୟରେ ଯୋଗସୂତ୍ର ରକ୍ଷାକର୍ତ୍ତା।

ଖବର ନେବାରେ ଜଣାପଡ଼ିଛି ଯେ ବିଜପିର ପ୍ରଭାବ ହ୍ରାସ ପାଉଥିବାରୁ ସଂଘ ଚିନ୍ତାରେ ପଡିଛି। ୨୦୧୭ ପଞ୍ଚାୟତ  ନିର୍ବାଚନରେ ଦଳ ଯେଉଁ ପ୍ରଦର୍ଶନ କରିଥିଲା ତାହା ତଳମୁହାଁ ହେବା ସହ ଦଳର ଲୋକପ୍ରିୟତା କମୁଥିବା କାରଣରୁ ଉଭୟ ସଂଘ ଓ ଦଳ ଏଥିରେ ବିବ୍ରତ ହୋଇ ପଡ଼ିଛନ୍ତି। ପଞ୍ଚାୟତ ଭୋଟରେ ବିଜେପି ୨୯୭ଟି ଜିଲ୍ଲା ପରିଷଦ ଆସନ ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ଯେତେସବୁ  ନିର୍ବାଚନ ହୋଇଛି ସେଥିରେ ଗୋଟିଏ ବି ସଫଳତା ଦଳ ହାସଲ କରିନାହିଁ।

ବିଜେପୁର ଉପ-ନିର୍ବାଚନରେ ଯାହା ଆଶା କରାଯାଉଥିଲା ତାଠାରୁ ବହୁତ କମ ଭୋଟ ଦଳକୁ ମିଳିଥିବା ବେଳେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ଦଳ ଖାତା ବି ଖୋଲିପାରିଲା ନାହିଁ। ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ଭଲ ଫଳ ଦେଖାଇଥିବା ବେଳେ ସେହି ବିଜୟ ଯାତ୍ରାକୁ ବଜାୟ ରଖିବାରେ ଦଳ ବିଫଳ ହୋଇଛି ଏହାହିଁ କେନ୍ଦ୍ର ନେତୃତ୍ୱକୁ ବ୍ୟସ୍ତ କରିଛି। ଅମିତ ଶାହାଙ୍କ ‘ମୋ ବୁଥ ସବୁଠୁ ମଜଭୁତ’ ଭଳି ସ୍ଲୋଗାନ ବି  ବିଶେଷ କମ ଦେଉନାହିଁ।

ଖବର ଆସୁଛି ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିକଟରେ ପଶ୍ଚିମ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳର ନେତାଙ୍କ ସହିତ କବାଟ କିଳା ବୈଠକ କରିଥିଲେ। ଏହି ବୈଠକରେ ବିଜେପିର ରାଜ୍ୟ ସଙ୍ଗଠନ ବଦଳିବ ବୋଲି ସେ ଇଙ୍ଗିତ ଦେଇଥିଲେ। ଦଳର ବିଭିନ୍ନ ନେତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା ଶାହା ତାର ସମୀକ୍ଷା ମଧ୍ୟ କରିଥିବା ଜଣାପଡ଼ିଛି। ସେ ଜାଣିବାକୁ ଚାହିଁଥିଲେ ଦଳର କର୍ମୀମାନେ ବୁଥ ସ୍ତରରେ ପହଞ୍ଚିଛନ୍ତି  କି ନାହିଁ?

ପଶ୍ଚିମ ଓଡ଼ିଶାରେ ଅନୁଷ୍ଠିତ ସାଧାରଣ ସଭାରେ ଯଦିଓ ନବୀନ ସରକାରକୁ ହଟାଇବାର ବହାସ୍ଫୋଟ ଅମିତ ଶାହା ଦେଖାଇଥିଲେ କିନ୍ତୁ ଦଳ ଯେମିତି ଚାଲିଛି ସେ ସେଥିରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏଣେ ଭୁବନେଶ୍ୱରରେ ଆରଏସଏସର ଦୁଇ ନେତା ରାମ ଲାଲ ଓ କୃଷ୍ଣ ଗୋପାଳଙ୍କୁ ଦଳ ପ୍ରତି  ସହାନୁଭୂତି ରଖୁଥିବା କିଛି ବ୍ୟକ୍ତି ଭେଟିଥିଲେ। କହିଥିଲେ ରାଜ୍ୟ ନେତୃତ୍ୱ ନବଦଳିଲେ ମୋଦି ମ୍ୟାଜିକକୁ ଭୋଟରେ ପରିଣତ କରିବା କାଠିକର ପାଠ।

ଶୁଣିବାକୁ ମିଳୁଛି ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ବିଜେପିର ସଭାପତି କରାଯାଇପାରେ। ଷଡ଼ଙ୍ଗୀ ଆରଏସଏସରୁ ଆସିଥିବା ବେଳେ ସେ ଜଣେ ଗ୍ରହଣୀୟ ନେତା ଭାବରେ ସାମ୍ନାକୁ ଆସିଛନ୍ତି। ବସନ୍ତ ପଣ୍ଡାଙ୍କ ସ୍ଥାନରେ ଯଦି ତାଙ୍କୁ ଦଳର ସଭାପତି କରାଯାଏ ପଣ୍ଡାଙ୍କୁ ଦଶ ମାସ ଆଗରୁ ସଭାପତି ଦାୟିତ୍ୱ ଛାଡ଼ିବାକୁ ପଡ଼ିବ।

Comment