ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଲେ ବିଜେଡି ସଭ୍ୟ
  • ମହାନଦୀକୁ ନେଇ ଚାଲିଛି ବଡ଼ ଷଡ଼ଯନ୍ତ୍ର: ବିଜେଡି
  • ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ କହିଲା ବିଜେଡି
  • ବିଜେପି କହିଲା ଏହା ଡ୍ରାମା

ମହାନଦୀକୁ ନେଇ ଜୋର୍ ଧରିଲା ରାଜନୀତି। ଏପ୍ରିଲ ୧୫ରେ ବିଜେଡି ମହାନଦୀ ପାଇଁ ମହାସମ୍ମିଳନୀ ଡାକିଥିବା ବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି। ଏପଟେ ବିଧାନସଭାରେ ଆଜି ଶାସକ ବିଜେଡି ମଧ୍ୟ ମହାନଦୀକୁ ଅସ୍ତ୍ର କରିଛି। ଶାସକ ଦଳ ସଭ୍ୟ ଗୃହ ଭିତରେ ହୋ-ହଲ୍ଲା କରିବା ସହ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଫଳରେ ଗୃହ କାର୍ଯ୍ୟ ଅଚଳ ହୋଇଯାଇଥିଲା।

ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରୀ ହେବା ନେଇ କେନ୍ଦ୍ର ଏବଂ ଛତିଶଗଡ ସରକାର ଷଡ଼ଯନ୍ତ୍ର କରୁଛନ୍ତି। ଏହି ଅଭିଯୋଗ ଆଣି ଶାସକ ବିଜେଡି ସଭ୍ୟ ଗୃହରେ ହଙ୍ଗାମା କରିଥିଲେ। ବିଧାନସଭାରେ ହୋ-ହଲ୍ଲା କରିଥିଲେ। କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇ ଶାସକ ବିଜେଡି ସଭ୍ୟମାନେ ପ୍ରଥମେ ଗୃହ କାର୍ଯ୍ୟରେ ବାଧା ପହଞ୍ଚାଇଥିଲେ।

ପରେ ସେମାନେ ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ସଦସ୍ୟ ନିଯୁକ୍ତି କରିଥିଲେ। ହେଲେ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବିଜେଡି ସଭ୍ୟ ଅଭିଯୋଗ କରିଛନ୍ତି।

“ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କରେ ଟର୍ମସ୍‌ ଅଫ୍ ରେଫରେନ୍ସ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଞ୍ଚି ନାହିଁ। ଟ୍ରିବ୍ୟୁନାଲକୁ ବିଳମ୍ବ କରାଯାଉଛି। ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଲଢ଼େଇ ଜାରି ରଖିବୁ”, କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ।

ଇବ୍‌ ନଦୀର ଉପନଦୀ ମୈନୀ ଉପରେ ଛତିଶଗଡ ସରକାର ଆଉ ଏକ ବ୍ୟାରେଜ ତିଆରି କରୁଥିବା ବିଜେଡି ଅଭିଯୋଗ କରିଛି। ଏହାର ମଧ୍ୟ ପ୍ରତିବାଦ କରିଛନ୍ତି ବିଜେଡି ସଭ୍ୟ।

ବିଧାନସଭା ପରିଚାଳନାରେ ଶାସକ ସଭ୍ୟ ସହଯୋଗ କରିବା ଦରକାର। ଏହାସହ ମହାନଦୀ ପାଇଁ ଗଠିତ ହୋଇଥିବା ଗୃହ କମିଟି ଏଯାଏଁ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ନାହାନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି।

“ଶାସକ ବିଜେଡି ସଭ୍ୟ ମହାନଦୀକୁ ନେଇ ଡ୍ରାମା କରୁଛନ୍ତି। ରାଜ୍ୟ ସରକାର ତଥ୍ୟ ଲୁଚାଇଛନ୍ତି। ଟ୍ରିବ୍ୟୁନାଲ ପରିଚାଳନାରେ ସରକାରଙ୍କ ଆନ୍ତରିକତା ନାହିଁ”, କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

Comment