ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିକଟରେ ପ୍ରକାଶିତ ‘ଓଡ଼ିଶା – ୨୦୧୮’ ପୁସ୍ତକ ଓଡ଼ିଶାର ସଂକ୍ଷିପ୍ତ ଇତିହାସ, ଭୂଗୋଳ, କଳା ଓ ସଂସ୍କୃତିର ଏକ ପରିଚୟ। ଏହି ପ୍ରକାଶନ ସମ୍ପର୍କରେ ଏକ ବିଶେଷ ସମୀକ୍ଷା:

୨୦୧୮ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶା ଉପରେ ଏକ ରେଫରେନ୍ସ ପୁସ୍ତକ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ‘ଓଡ଼ିଶା – ୨୦୧୮’ ଶୀର୍ଷକ ଏହି ବହିରେ ରହିଛି ଓଡ଼ିଶାର ସଂକ୍ଷିପ୍ତ ଇତିହାସ, ଓଡ଼ିଶା ଭୂଖଣ୍ଡ ଓ ଏହାର ଅଧିବାସୀଙ୍କ ସମ୍ପର୍କରେ ବର୍ଣ୍ଣନା, ଆଧୁନିକ ଓଡ଼ିଶାର ନିର୍ମାତାଗଣଙ୍କ ସଂକ୍ଷିପ୍ତ ପରିଚୟ, ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ, ଓଡ଼ିଶାର ଅନନ୍ୟ କଳା ଓ ସଂସ୍କୃତି ସମ୍ପର୍କରେ ସୂଚନା ଏବଂ ଆହୁରି ଅନେକ କିଛି। ଛାତ୍ର, ଗବେଷକ, ଗଣମାଧ୍ୟମ ତଥା ଓଡ଼ିଶା ସମ୍ପର୍କରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୋଗୀ ହୋଇପାରିବ।

୪୨୩ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକର ମୂଲ୍ୟ ରହିଛି ୧୦୦ ଟଙ୍କା। ‘‘ଏହି ବହି ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ପ୍ରକାଶନ କାଉଣ୍ଟର ଛଡ଼ା ପ୍ରତ୍ୟେକ ଜିଲ୍ଲାର ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ଉପଲବ୍ଧ ରହିବ। ଏହା ବ୍ୟତୀତ ଏହି ବହିଟିକୁ ରାଜ୍ୟର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ପାଠାଗାରକୁ ମାଗଣାରେ ଯୋଗାଇ ଦିଆଯିବ। ଓଡ଼ିଶା ସମ୍ପର୍କରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ଖାସ୍‌ କରି ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଏହା ଉପାଦେୟ ହୋଇପାରିବ’’, ଓଡ଼ିଶାଲାଇଭକୁ ଏହି ସୂଚନା ଦେଇଛନ୍ତି ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ତଥା ଏହି ପ୍ରକାଶନର ପୃଷ୍ଠପୋଷକ ଡକ୍ଟର ଲେନିନ୍ ମହାନ୍ତି।

‘‘୧୯୩୬ ମସିହାରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ହୋଇଥିଲା ଆମ ଉତ୍କଳ ପ୍ରଦେଶ। ଆମ ଭାଷା, ଆମ ସଂସ୍କୃତି ଏବଂ ଅନନ୍ୟ କଳା ପରମ୍ପରାକୁ ନେଇ ଆମେ ଗର୍ବିତ। ଆମର ଇତିହାସ ଆଜି ଆମ ପାଇଁ ପ୍ରେରଣା। ତେଣୁ ଆଗାମୀ ପିଢ଼ି ଏହି ଓଡ଼ିଆ ଜାତିର ଇତିହାସ ଓ ଭୂଗୋଳ ସହିତ ଏହାର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ପର୍କରେ ଜାଣିବା ଦରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦେଶବିଦେଶରେ ଓଡ଼ିଶା ଯେଉଁ ନୂଆ ପରିଚୟ ପାଇଛି ତାହା ସମଗ୍ର ପୃଥିବୀରେ ଓଡ଼ିଆଙ୍କ ମନୋବଳକୁ ଅଧିକ ଦୃଢ଼ କରିପାରିଛି। ତେଣୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନେକ ଗବେଷଣା ଓ ପରିଶ୍ରମ କରି ଏହି ଯେଉଁ ଓଡ଼ିଶା -୨୦୧୮ ପୁସ୍ତକ ପ୍ରକାଶନ ପ୍ରସ୍ତୁତ କରାଯାଇଛି ତାହା ସମସ୍ତଙ୍କ ପାଖରେ ନିଶ୍ଚୟ ଆଦରଲାଭ କରିବ’’, ଓଡ଼ିଶାଲାଇଭକୁ କହିଛନ୍ତି ସୂଚନା ଓ ଲୋକସମ୍ପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ଗୀତଗୋବିନ୍ଦରୁ ଆରମ୍ଭ

‘ଓଡ଼ିଶା – ୨୦୧୮’ ପୁସ୍ତକର ଆରମ୍ଭରୁ ରହିଛି ଗୀତଗୋବିନ୍ଦର ରଚୟିତା କବି ଜୟଦେବଙ୍କ ଦଶାବତ୍ତାର ଶ୍ଳୋକ – ପ୍ରଳୟପୟୋଧି ଜଳେ ଧୃତବାନସି ବେଦଂ/ବିହିତ ବହିତ୍ର-ଚରିତ୍ରଂ ଖେଦମ୍‌/କେଶବଧୃତ ମୀନ ଶରୀର ଜୟ ଜଗଦୀଶ ହରେ। ସେହିପରି ଏହା ପଛକୁ ରହିଛି ଶ୍ରୀଜଗନ୍ନାଥାଷ୍ଟକମ୍‌ର ଓଡ଼ିଆ ଅନୁବାଦ। ଏହି ଐତିହାସିକ ରଚନାର ଓଡ଼ିଆ ରୂପାନ୍ତର କରିଥିଲେ କବି ବିଛନ୍ଦଚରଣ ପଟ୍ଟନାୟକ। ଜଗନ୍ନାଥାଷ୍ଟକମ୍‌ର ମୂଳ ସଂସ୍କୃତ ପଦଗୁଡ଼ିକ ଓଡ଼ିଆ ପରିବାରରେ ବେଶ୍‌ ପରିଚିତ ହୋଇଥିଲେ ମଧ୍ୟ ବିଛନ୍ଦଚରଣଙ୍କ ଓଡ଼ିଆ ଅନୁବାଦ ଏକ ନୂଆ ଆକର୍ଷଣ ସୃଷ୍ଟି କରିବ।

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ/ଚାରୁ ହାସମୟୀ ଚାରୁ ଭାଷମୟୀ/ ଜନନୀ ଜନନୀ ଜନନୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଗୀତଟି ଓଡ଼ିଆ ଜାତିର ଏକ ଚିର ବନ୍ଦନୀୟ ସଙ୍ଗୀତ। ଦେଶବିଦେଶରେ ଯେଉଁଠି ଓଡ଼ିଆ ଥିଲେ ମଧ୍ୟ ଏହି ଗୀତଟି ବାଜିଉଠିଲେ ମନ ଭିତରେ ଏକ ଅପୂର୍ବ ଓଡ଼ିଆ ଜାତୀୟତା ଜାଗରିତ ହୋଇଥାଏ। ବନ୍ଦେ ଉତ୍କଳ ଜନନୀ ଗୀତର ପୂରା ରୂପ ଓଡ଼ିଶା-୨୦୧୮ର ଅନ୍ୟତମ ଆକର୍ଷଣ।

ଓଡ଼ିଶା ସମ୍ପର୍କରେ ମୌଳିକ ସୂଚନା

ଏହି ପ୍ରକାଶନରେ ରହିଛି ଓଡ଼ିଶା ସମ୍ପର୍କରେ ଅନେକ ମୌଳିକ ସୂଚନା। ଓଡ଼ିଶା ସଂକ୍ଷିପ୍ତ ଇତିହାସ ସହ ଓଡ଼ିଶାର ଜନଜୀବନ, ସାକ୍ଷରତା ହାର, ଭାଷା, ଏବଂ ଓରିଶାରୁ ଓଡ଼ିଶା ଏବଂ ଓରିଆରୁ ଓଡ଼ିଆ ହେବା ପଛର କଥା ଏଥିରେ ମୁଦ୍ରିତ ହୋଇଛି।

ଏହି ପୁସ୍ତକରୁ ଜଣେ ତତ୍କାଳ ଓଡ଼ିଶା ସମ୍ପର୍କରେ ଅନେକ ପରିସଂଖ୍ୟାନ ପାଇପାରିବେ। ଏଥିରେ ୨୦୧୧ ମସିହାର ଜନଗଣନାକୁ ଆଧାରକରି ସହର ଓ ଗ୍ରାମାଞ୍ଚଳ ଜନବିଭାଜନ, ଲିଙ୍ଗ ଅନୁପାତ, ସାକ୍ଷରତା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସଂଖ୍ୟା, ଚାଷୀଙ୍କ ସଂଖ୍ୟା, କୃଷି ଶ୍ରମିକ ଏବଂ କର୍ମଜୀବୀଙ୍କ ସଂଖ୍ୟା ଦିଆଯାଇଛି। ସେହିପରି ଜିଲ୍ଲାୱାରୀ ଲିଙ୍ଗ ଅନୁପାତ, ସାକ୍ଷରତା ହାର (ପୁରୁଷ ଓ ମହିଳା ସାକ୍ଷରତା ହାର ଅଲଗା) ଏବଂ ଜନସଂଖ୍ୟା ଓ ଦଶନ୍ଧିଗତ ଅଭିବୃଦ୍ଧି ହାର ସମ୍ପର୍କରେ ଏହି ପୁସ୍ତକରୁ ସୂଚନା ମିଳିପାରିବ।

ଓଡ଼ିଶାରେ ସଂକ୍ଷିପ୍ତ ଭୂଗୋଳ ସହିତ ବୃକ୍ଷଲତା ଓ ଜୀବଜନ୍ତୁ, ଓଡ଼ିଶାର ବନ୍ୟପ୍ରାଣୀ, ଓଡ଼ିଶାର ଜାତୀୟ ଉଦ୍ୟାନ ଓ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଖଣିଜ ସମ୍ପଦ ଇତ୍ୟାଦି ସମ୍ପର୍କରେ ମଧ୍ୟ ଏକ ଏହି ପ୍ରକାଶନରୁ ବିହଙ୍ଗାବଲୋକନ ମିଳିପାରିବ।

ଓଡ଼ିଶାର ସଂକ୍ଷିପ୍ତ ଇତିହାସ

ଆଜିର ନୂଆ ପିଢ଼ି  ଆଉ ଦୀର୍ଘ ଇତିହାସ ପଢ଼ିବାରେ ଆଗ୍ରହ ରଖୁନାହିଁ। ତେବେ ଗୋଟିଏ ଭୌଗୋଳିକ ଅଞ୍ଚଳ ବା ଜାତି ସମ୍ପର୍କରେ ଆକଳନ କରିବାକୁ ହେଲେ ତା’ର ଇତିହାସ ଜାଣିବା ଅତ୍ୟନ୍ତ ଜରୁରୀ। ଏହି ଦୃଷ୍ଟିରୁ ଓଡ଼ିଶାର ସଂକ୍ଷିପ୍ତ ଇତିହାସ ଆଜିର ଛାତ୍ରଛାତ୍ରୀ ତଥା ଆଗାମୀ ପିଢ଼ି ପାଇଁ ବେଶ୍ ଗୁରୁତ୍ୱ ବହନ କରେ। ଓଡ଼ିଶା- ୨୦୧୮ ପୁସ୍ତକ ଏହି ଦୃଷ୍ଟିରୁ ସହାୟକ ହୋଇପାରିବ। ବିଶେଷକରି ଓଡ଼ିଶା ଇତିହାସର କଳାନୁକ୍ରମିକ ବିବରଣୀରେ ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୯ ପୃଷ୍ଠା ବ୍ୟାପି ଯେଉଁ ସଂକ୍ଷିପ୍ତ ସୂଚନା ରହିଛି ତାହା ଅନେକ ସମୟରେ ଗଣମାଧ୍ୟମ ଏବଂ ଗବେଷକମାନଙ୍କ କାମରେ ଆସିବ।

ଓଡ଼ିଶା ଏକ ଦୃଷ୍ଟିପାତ

ଏହି ପ୍ରକାଶନର ଓଡ଼ିଶା ଉପରେ ରହିଛି ଏକ ସଂକ୍ଷିପ୍ତ ଦୃଷ୍ଟିପାତ। ଏଥିରେ ଓଡ଼ିଶାର ମୋଟ ଆୟତନଠାରୁ ଆରମ୍ଭକରି ଜନସଂଖ୍ୟା ଅଭିବୃଦ୍ଧି ହାର, ଲିଙ୍ଗଗତ ଅନୁପାତ, ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା, ତହସିଲ୍, ଗ୍ରାମପଞ୍ଚାୟତ ସଂଖ୍ୟା, ୨୦୧୧ ସୁଦ୍ଧା ଓଡ଼ିଶାର ଗ୍ରାମ ଆଦି ସୂଚନା ମୁଦ୍ରିତ ହୋଇଛି। ସେହିପରି ଜିଲ୍ଲାୱାରୀ ବିଭିନ୍ନ ଉପାଦେୟ ସୂଚନା ଏହି ପୁସ୍ତକକୁ ଛାତ୍ର ଗବେଷକ ଓ ଗଣମାଧ୍ୟମଙ୍କ ପାଇଁ ବ୍ୟବହାରଯୋଗ୍ୟ କରିପାରିବ।

ଓଡ଼ିଶା ଉପରେ ଡାକଟିକଟ

ଡାକଟିକଟ ସଂଗ୍ରହ ଓ ସଂରକ୍ଷଣ ଏକ ରୁଚିକର ଅଭ୍ୟାସ। ତେବେ ଓଡ଼ିଶା ଉପରେ ଆଜି ପର୍ଯ୍ୟନ୍ତ ଯେତେ ଡାକଟିକଟ ପ୍ରକାଶ ପାଇଛି ସେ ସମ୍ପର୍କରେ ଗୋଟିଏ ଜାଗାରେ ସୂଚନା ଖୋଜିଲେ ମିଳିପାରେ ନାହିଁ। ଓଡ଼ିଶା – ୨୦୧୮ ପୁସ୍ତକରେ ଓଡ଼ିଶା ସମ୍ପର୍କିତ ଡାକଟିକଟର ଏକ ଆକର୍ଷଣୀୟ ସଂଗ୍ରହ ଦେଖାଯାଏ। ଜୟଦେବଙ୍କ ଗୀତଗୋବିନ୍ଦଠାରୁ ଆରମ୍ଭକରି ଓଡ଼ିଶାର ବରପୁତ୍ର ମଧୁସୂଦନ, ଗୋପବନ୍ଧୁ, ଫକିରମୋହନ, କୃଷ୍ଣଚନ୍ଦ୍ର ଗଜପତି, ନେତାଜୀ ସୁଭାଷ, ବିଜୁ ପଟ୍ଟନାୟକ, ବିର୍ଷା ମୁଣ୍ଡା, ବାଘାଜତିନ, ବୀରସୁରେନ୍ଦ୍ର ସାଏ, ସହିତ ଲକ୍ଷ୍ମଣ ନାୟକ ଓ ପଠାଣି ସାମନ୍ତ ଆଦିଙ୍କ ଉପରେ ଡାକଟିକଟ ଦେଖିଲେ ଯେ କୌଣସି ଓଡ଼ିଆ ମନରେ ଗର୍ବ ଆସେ।

ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, କୋଣାର୍କ ଚକ୍ର, କୋଣାର୍କ ଅଶ୍ୱ, ରଥଯାତ୍ରା, ଓଡ଼ିଶୀ ନୃତ୍ୟ, ଲିଙ୍‌ଗରାଜ ମନ୍ଦିର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ, ରେଭେନ୍ସା କଲେଜ, ମହିମା ଧର୍ମ, ଧଳାବାଘ, କୃଷ୍ଣସାର ମୃଗ, ଅଲିଭ ରିଡ୍‌ଲେ କଇଁଛ ଆଦି ବିଷୟରେ ଡାକଟିକଟ ଦେଖିଲେ ଖୁସିଲାଗିବ। କେବଳ ସେତିକି ନୁହେଁ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦ ବର୍ଣ୍ଣିତ ଦଶାବତାର ଉପରେ ଦଶଟି ଅଲଗା ଡାକଟିକଟର ଚିତ୍ର ଏହି ପ୍ରକାଶନର ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି। ଭାରତୀୟ ଡାକ ବିଭାଗ ଦ୍ୱାରା ପ୍ରକାଶିତ ଏହିସବୁ ଡାକଟିକଟଗୁଡ଼ିକୁ ସାକ୍ଷୀଗୋପାଳର ସଂଗ୍ରାହକ ନୃସିଂହ ଦାଶଙ୍କ ସୌଜନ୍ୟରୁ ଓଡ଼ିଶା ଲୋକସମ୍ପର୍କ ବିଭାଗ ଆଣି ଛପାଇଛନ୍ତି।

ଆଧୁନିକ ଓଡ଼ିଶାର ନିର୍ମାତାଗଣ

ଓଡ଼ିଶା – ୨୦୧୮ ପୁସ୍ତକରେ ପଞ୍ଚଶଖାଙ୍କ ଉପରେ ରହିଛି ସଂକ୍ଷିପ୍ତ ବର୍ଣ୍ଣନା। ସେହିପରି ଆଧୁନିକ ଓଡ଼ିଶାର ନିର୍ମାତାଗଣଙ୍କ ମଧ୍ୟରେ ଫକୀରମୋହନ, ମଧୁବାବୁ, ଗଙ୍ଗାଧର ମେହେର, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି, ପଣ୍ଡିତ ନୀଳକଣ୍ଠ, କୃଷ୍ଣଚନ୍ଦ୍ର ଗଜପତି, ହରେକୃଷ୍ଣ ମହତାବ, ରାମଚନ୍ଦ୍ର ମର୍ଦରାଜ ଓ ବିଜୁ ପଟ୍ଟନାୟକଙ୍କ ସଂକ୍ଷିପ୍ତ ଜୀବନୀ ସ୍ଥାନ ପାଇଛି।

ଶ୍ରୀଜଗନ୍ନାଥ ସଂସ୍କୃତି

ଓଡ଼ିଶାର କଳା ଓ ସଂସ୍କୃତିର ପ୍ରମୁଖ ଆଧାର ଶ୍ରୀଜଗନ୍ନାଥ ସଂସ୍କୃତି। ଏହି ପୁସ୍ତକରେ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି, ଜଗନ୍ନାଥ ସଂସ୍କୃତି, ନବକଳେବର, ରଥଯାତ୍ରା, ରଥବର୍ଣ୍ଣନା, ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କ ବେଶ ଇତ୍ୟାଦି ସମ୍ପର୍କରେ ସଂକ୍ଷିପ୍ତ ବର୍ଣ୍ଣନା ରହିଛି।

ସେହିପରି ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ, ମନ୍ଦିର ଚିତ୍ରକଳା, ହସ୍ତକଳା, ହସ୍ତଶିଳ୍ପ ଓ ବୟନଶିଳ୍ପ ଆଦି ସମ୍ପର୍କରେ ସୂଚନା ନୂଆପିଢ଼ିର ପାଠକଙ୍କ ପାଇଁ ଗୁରୁତ୍ୱ ବହନ କରେ।

ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ, ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଓ ସମରକଳା ବାବଦରେ ଏହି ପୁସ୍ତକରୁ ସୂଚନା ମିଳିପାରିବ। ବିଶେଷକରି ସମ୍ବଲପୁରୀ ଲୋକନୃତ୍ୟ, ଯୋଡ଼ିଶଂଖ ଓ ରଣପା ନୃତ୍ୟ, ପାରମ୍ପରିକ ଆଦିବାସୀ ନୃତ୍ୟ ତଥା ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଏକ ସାମଗ୍ରିକ ଚିତ୍ର ମିଳିପାରିବ ଓଡ଼ିଶା- ୨୦୧୮ରୁ। ଓଡ଼ିଶାରେ ବାର ମାସରେ ଯେଉଁ ତେର ଯାତ ସେ ସମ୍ପର୍କରେ ମଧ୍ୟ ଏହି ପୁସ୍ତକରୁ ସୂଚନା ମିଳିଥାଏ।

ପଦ୍ମ, ଜ୍ଞାନପୀଠ ଓ ଏକାଡେମୀ ପୁରସ୍କାର

ଓଡ଼ିଶାରୁ ଏଯାବତ୍ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ପଦ୍ମ ପୁରସ୍କାର ପାଇଛନ୍ତି ତାହାର ଏକ ତାଲିକା ଏହି ବହିରେ ଛପା ଯାଇଛି। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ ଓଡ଼ିଶାର ୮୬ ଜଣ ପୁରସ୍କୃତ ପ୍ରତିଭାଙ୍କ ନାଁ ଏବଂ ସେ ପୁରସ୍କାର ପାଇଥିବା ବର୍ଷ ସମ୍ପର୍କରେ ସୂଚନା ରହିଛି। ସେହିପରି ଜ୍ଞାନପୀଠ ପୁରସ୍କାର ପାଇଥିବା ଲେଖକ ଓ ସେମାନଙ୍କର ପ୍ରମୁଖ ପୂର୍ତ୍ତି ସମ୍ପର୍କରେ ଏକ ବିସ୍ତୃତ ତାଲିକା ଏହି ବହିରୁ ମିଳିପାରିବ।

ଏହାଛଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବରେଣ୍ୟ ଲେଖକମାନଙ୍କର ନାମ ଏବଂ ପୁସ୍ତକର ନାଁକୁ ନେଇ ପ୍ରସ୍ତୁତ ହୋଇଛି ଏକ ସୁଦୀର୍ଘ ତାଲିକା। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିବା ୨୫ ଜଣ ସାହିତ୍ୟିକଙ୍କ ନାଁ ମଧ୍ୟ ଏଠାରେ ମୁଦ୍ରିତ ହୋଇଛି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଧର୍ମପଦ ପୁରସ୍କାର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଜୟଦେବ ପୁରସ୍କାର, ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର, ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର, କ୍ରୀଡ଼ାର ବିକାଶ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର, ୟୁନେସ୍କୋ କଳିଙ୍ଗ ପୁରସ୍କାରର ବିଜେତା ସମୂହ ଏହି ରେଫରେନ୍ସ ପୁସ୍ତକର ଅନ୍ୟତମ ଆକର୍ଷଣ।

ଯୋଜନା ଓ କାର୍ଯ୍ୟକ୍ରମ

ଓଡ଼ିଶା -୨୦୧୮ ପୁସ୍ତକର ଅନ୍ୟ ପୁସ୍ତକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଏହି କ୍ରମରେ ମୁଦ୍ରିତ ହୋଇଛି ରାଜ୍ୟ କୃଷି ନୀତି ୨୦୧୩, ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬, ରାଜ୍ୟ ଶିଳ୍ପ ନୀତି ୨୦୧୫, ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬, ଓଡ଼ିଶା ରାଜ୍ୟ ଯୁବ ନୀତି ୨୦୧୩, ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି ୨୦୧୪। ସେହିପରି କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩ ଏହି ପୁସ୍ତକରେ ପ୍ରକାଶ ପାଇଛି।

ଏସିଆନ୍ ଆଥଲେଟିକ୍ସ ଚାମ୍ପିଆନ୍‌ସିପ୍‌ସରେ ଓଡ଼ିଶାର ସଫଳତା ଉପରେ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି ଏହି ସଂକଳନରେ।

ମୋଟାମୋଟି ଭାବରେ ଦେଖିବାକୁ ଗଲେ ଓଡ଼ିଶାର ଇତିହାସ, ଭୂଗୋଳ, ଶାସନ ଓ ପ୍ରଶାସନ, କଳା ଓ ସଂସ୍କୃତି, ପର୍ଯ୍ୟଟନ ଓ ପରିବେଶ ଆଦି ସମ୍ପର୍କରେ ଏକ ସମସାମୟିକ ସୂଚନା ପୁସ୍ତିକା ଭାବେ ଆଦୃତ ହୋଇପାରିବ ଓଡ଼ିଶା- ୨୦୧୮।

ବିଭାଗୀୟ କମିଶନର ତଥା ଶାସନ ସଚିବ ହେମନ୍ତ ଶର୍ମା ଏହି ପ୍ରକାଶନର ମୁଖ୍ୟ ଉପଦେଷ୍ଟା ଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ଉପଦେଷ୍ଟା ରହିଛନ୍ତି। ସେହିପରି ସମ୍ପାଦନାମଣ୍ଡଳୀରେ ରହିଛନ୍ତି ନିରଞ୍ଜନ ସେଠୀ, ଡକ୍ଟର ଜ୍ୟୋତିର୍ମତୀ ସାମନ୍ତରାୟ ଏବଂ ସୂର୍ଯ୍ୟ ମିଶ୍ର। ସମ୍ପାଦନା ସହଯୋଗୀ ବିକ୍ରମ ମହାରଣା, ଡକ୍ଟର ପ୍ରଶାନ୍ତ କୁମାର ପ୍ରହରାଜ, ଦେବାଶିଷ ପଟ୍ଟନାୟକ, ବିଭୁ ଚନ୍ଦ୍ର ମିଶ୍ର, ସଚିଦାନନ୍ଦ ବାରିକ ଏବଂ ଆଲୋକ ରଞ୍ଜନ ମିଶ୍ର। ସମନ୍ୱୟ ଓ ସଂଯୋଜନା ବିଭୂତି ନାୟକ। ପ୍ରଛଦ ମାନସ ରଞ୍ଜନ ନାୟକ। ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋ ଶାଖା ଦ୍ୱାରା ପ୍ରସ୍ତୁତ ଅନେକ ଫଟୋ ଏହି ପ୍ରକାଶନର ଅନ୍ୟତମ ଆକର୍ଷଣ ହୋଇପାରିଛି।

Comment