ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୧୬ ସୁଦ୍ଧା ଖୋଲିବ ଶ୍ରୀମନ୍ଦିରର ଜଗମୋହନ। ଏନେଇ ଛତିଶା ନିଯୋଗ ବୈଠକରେ ଗୁରୁବାର ହୋଇଛି ନିଷ୍ପତ୍ତି।

ଜଗମୋହନ ଖୋଲିବାକୁ ନେଇ ଆଜି ବସିଥିଲା ଛତିଶା ନିଯୋଗ ବୈଠକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଗମୋହନ ଏପ୍ରିଲ ୧୬ ତାରିଖ ସୁଦ୍ଧା ଖୋଲିବାକୁ ବୈଠକରେ ହୋଇଛି ନିଷ୍ପତ୍ତି। ଗର୍ଭଗୃହରେ ପ୍ରବେଶ ନେଇ ହାଇକୋର୍ଟଙ୍କର ରହିଥିବା କଟକଣା ଉପରେ ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ବୈଠକ ପରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ବାଲ କହିଛନ୍ତି, “ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆମେ ପାଳନ କରିବୁ। ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲାଯିବ।”

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଥିଲେ ହାଇକୋର୍ଟ। ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିବେ ସେ ପ୍ରସଙ୍ଗରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଗମୋହନ ପ୍ରସଙ୍ଗରେ ଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ନିମନ୍ତେ ମହଲତ ପ୍ରଦାନ କରିବାକୁ ଦର୍ଶାଯାଇଥିଲା। ହେଲେ ହାଇକୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିବାସହ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ। ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ନୀତି ପ୍ରଶାସକ ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ପାଇଁ ସମ୍ମତି ଜଣାଇଥିଲେ। ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଭକ୍ତମାନେ ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

Comment