ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀକୁ ନେଇ ମହାଭାରତ ଆରମ୍ଭ ହୋଇଛି। ଛତିଶଗଡ଼-ଓଡ଼ିଶା ସରକାରଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ନାଁ ହେବାର ଧରୁନି। କଲ୍‌ମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ଼ ବନ୍ଦ କରିବାରୁ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଛି। ଏହାକୁ ନେଇ ଶାସକ ବିଜେଡି ଉଭୟ କେନ୍ଦ୍ର ଏବଂ ଛତିଶଗଡ଼ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଓଡ଼ିଶା ବିଧାନସଭାରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଂଘାତିକ ତଥ୍ୟ ଦେଇଛନ୍ତି।

ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ମହାନଦୀର ମହାତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି।

ମହାନଦୀ ପାଣିକୁ ଅଟକାଇବା ପାଇଁ ଛତିଗଶଗଡ଼ ସରକାର ୨ ହଜାର ୨୬୮ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ୪୪୩ଟି ପ୍ରକଳ୍ପ ନିର୍ମାଣାଧିନ ରହିଛି। ନିର୍ମାଣାଧିନ ପ୍ରକଳ୍ପ ଭିତରେ ରହିଛି ୬ଟି ବଡ଼ ବ୍ୟାରେଜ।

ଡ୍ୟାମ ଏବଂ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ମହାନଦୀରେ ପାଣି ଅଟକାଉଛି।

ନିର୍ମାଣ ହୋଇଥିବା ୨୨୬୮ଟି ପ୍ରକଳ୍ପ ଭିତରେ ରହିଛି ୮ଟି ବଡ଼ ପ୍ରକଳ୍ପ। ଏହାସହ ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ୩୭୧ଟି ଆନିକଟ ମଧ୍ୟ ନିର୍ମାଣ କରିଛି ଛତିଶଗଡ଼।

୪୪୩ଟି ନିର୍ମାଣାଧିନ ପ୍ରକଳ୍ପ ମଧ୍ୟରେ ରହିଛି ୬ଟି ବଡ଼ ବ୍ୟାରେଜ, ୪ଟି ବଡ଼ ଡ୍ୟାମ, ୩ଟି ମଧ୍ୟମ ଏବଂ ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ୧୨୫ଟି ଆନିକଟ ମଧ୍ୟ ନିର୍ମାଣାଧିନ ରହିଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ହୀରାପୁଦରେ ଜଳସ୍ରୋତ ହ୍ରାସ ପାଉଛି। ଫଳରେ ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହେବ। ଏହାଛଡ଼ା ମହାନଦୀ ତଳମୁଣ୍ଡରେ ପ୍ରାକୃତି ପରିବେଶ ଗଭୀର ଭାବେ ପ୍ରଭାବିତ ହେବ।

Comment