ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଗଲେ ତିନି କଂଗ୍ରେସ ନେତା। ନୂଆ ପ୍ରଭାରି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିବେ। ସଙ୍ଗଠନ ମଜଭୁତ ସମ୍ପର୍କରେ ଆଲୋଚନା କରିବେ। ଏହି ଆଲୋଚନା ବେଳେ ପିସିସି ସଭାପତି ବଦଳିବା ପ୍ରସଙ୍ଗ ଉଠିବ କି ବୋଲି ଲାଗି ରହିଛି କଳ୍ପନା ଜଳ୍ପନା।

ଅସଜଡ଼ା କଂଗ୍ରେସ ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଥମେ ପ୍ରଭାରି ଏବଂ ପରେ ସହପ୍ରଭାରି ପରିବର୍ତ୍ତନ କରିବା ପରେ ଓଡ଼ିଶାର ତିନି କଂଗ୍ରେସ ନେତାଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡାକିଛନ୍ତି।

ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନବ କିଶୋରଦାସ ଏବଂ କଂଗ୍ରେସ ନେତା ପ୍ରଦୀପ ମାଝି ରାହୁଲଙ୍କ ଡକରା ପାଇ ଦିଲ୍ଲୀ ଯାଇଛନ୍ତି। ଏହି ତିନି ନେତା ୧୮ ତାରିଖରେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରି ଜିତେନ୍ଦ୍ର ସିଂଙ୍କ ସହ ଆଲୋଚନା କରିବେ। ୧୯ରେ ରାହୁଲଙ୍କୁ ଭେଟି ଓଡ଼ିଶା ସମ୍ପର୍କରେ ଆଲୋଚନା କରିବେ।

ଏହି ତିନି କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା ପରେ ରାଜନୀତିରେ ପୁଣି ପିସିସି ପରିବର୍ତ୍ତନ ତାତି ତେଜିଛି। ପ୍ରଭାରି ଜିତେନ୍ଦ୍ର ସିଂ ଏବଂ ରାହୁଲ ପିସିସି ସଭାପତି ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଜିତେନ୍ଦ୍ର ସିଂ ନୂଆ ପ୍ରଭାରି ହେବା ପରେ ଓଡ଼ିଶା କଂଗ୍ରେସରେ ନବକଳେବର ହେବ ବୋଲି ଇସାରା ଦେଇଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ନବକଳେବର ପ୍ରସଙ୍ଗକୁ ଦୋହରାଇଥିଲେ। ଏହାପରେ ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ରାହୁଲ ହଟାଇ ଦେଇଥିଲେ। ଓଡ଼ିଶା କଥା ବୁଝିବା ପାଇଁ ଚାରି ଜଣ କେନ୍ଦ୍ର ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି।

ଦାୟିତ୍ୱ ଦେବାର ଠିକ୍‌ ତିନି ଦିନ ପରେ ତିନି ଜଣ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିବା କଂଗ୍ରେସ ରାଜନୀତିକୁ ହଲ୍‌ଚଲ୍‌ କରିଛି।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ଡକରା ସମ୍ପର୍କରେ ମୁହଁ ଖୋଲିଛନ୍ତି। ତାଙ୍କୁ ଦିଲ୍ଲୀ ଡକାଯାଇ ନଥିବା କହିଛନ୍ତି।

“ଯେଉଁମାନଙ୍କୁ ଦିଲ୍ଲୀ ଡକା ଯାଇଛି ସେମାନେ ଯାଇଛନ୍ତି। ମୋତେ ଡକାଯାଇ ନାହିଁ। ମୋତେ ଡକାଗଲେ ମୁଁ ଚିନ୍ତା କରିବି। ମୁଁ ଏବେ ପିସିସି ସଭାପତି ରେସ୍‌ରେ ନାହିଁ। ମୋତେ ପିସିସି ସଭାପତି ପଦ ମିଳିବ ନାହିଁ। କାରଣ ମୋତେ ଯଦି ମିଳିବାର ଥାନ୍ତା କେବେଠୁ ମିଳି ସାରନ୍ତାଣି। ଏଆଇସିସି ନୂଆ ନେତା ସନ୍ଧାନରେ ଥାଇପାରନ୍ତି”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଯେଉଁ ତିନି ନେତାଙ୍କୁ ଆଜି ଦିଲ୍ଲୀ ଡକରା ହୋଇଛି ସେହି ନେତାଙ୍କୁ ଜାନୁଆରୀ ମାସରେ ମଧ୍ୟ ଦିଲ୍ଲୀ ଡକାଯାଇଥିଲା। ଚିରଞ୍ଜୀବ ବିଶ୍ୱାଳ, ନବ ଦାସ ଏବଂ ପ୍ରଦୀପ ମାଝି ରାହୁଲଙ୍କୁ ନୂଆଦିଲ୍ଲୀ ବାସଭବନରେ ଭେଟିଥିଲେ। ସଙ୍ଗଠନ ସଜାଡ଼ିବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବରିଷ୍ଠ ନେତା କମଲ ନାଥ ଏବଂ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ସେତେବେଳେ ପିସିସି ସଭାପତି ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ସେମିତି କିଛି ଘଟିଲା ନାହିଁ। ଦୁଇ ମାସ ପରେ ଏହି ତିନି ନେତାଙ୍କୁ ପୁଣି ଦିଲ୍ଲୀ ଡାକିବାକୁ ନେଇ କଂଗ୍ରେସ ଶିବିରରେ ଭିନ୍ନ ଚର୍ଚ୍ଚା ହେଉଛି।

ସୋମବାର ନବନିଯୁକ୍ତ ପ୍ରଭାରି ଜିତେନ୍ଦ୍ର ସିଂ ଓଡ଼ିଶା ଦାୟିତ୍ୱରେ ରହିଥିବା ୩ ସମ୍ପାଦକଙ୍କ ସହ ଆଲୋଚନା କରିଥିଲେ। କଂଗ୍ରେସ ସଙ୍ଗଠନ ସଜାଡିବା ଉପରେ ଫୋକସ୍ କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ନୂଆଦିଲ୍ଲୀରେ ପ୍ରଭାରିଙ୍କୁ ଭେଟିଛନ୍ତି। ପୁଣି ତିନି କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିବା ପଛର କାରଣ କ’ଣ ତାକୁ ନେଇ କଂଗ୍ରେସ ଭବନରେ ଚାଲିଛି ଜୋରଦାର ଆଲୋଚନା।

Comment