ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶାର ବିକାଶ ପାଇଁ ବିଜୁବାବୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ। ଓଡ଼ିଶାକୁ ନେଇ ସେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ବିଜୁବାବୁ ଅହରହ ଉଦ୍ୟମ କରିଥିଲେ। ସେ ଦେଖାଇଥିବା ରାସ୍ତାରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମଙ୍ଗଳବାର ସାରା ରାଜ୍ୟ ପାଳନ କରିଛି ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଉପଲକ୍ଷେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, “ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କର ଅତି ନିଜର। ତାଙ୍କର ସବୁ ସ୍ୱପ୍ନ, ସଂଗ୍ରାମ ଥିଲା ଓଡ଼ିଆ ସ୍ୱାଭିମାନ ପାଇଁ। ଓଡ଼ିଶା ମା’ ପାଇଁ ତାଙ୍କ ଜୀବନ ଥିଲା ସମର୍ପିତ। ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବକୁ ଉଚ୍ଚା କରିଛନ୍ତି।”

୧୯୯୭ ଆଜିର ଦିନରେ ବିଜୁବାବୁଙ୍କର ପରଲୋକ ହୋଇଥିଲା। ମୃତ୍ୟୁର ଦୀର୍ଘ ବର୍ଷ ପରେ ବି ଓଡ଼ିଶାବାସୀଙ୍କ ସହ ତାଙ୍କ ସମ୍ପର୍କ ପୂର୍ବପରି ମଜଭୁତ ରହିଛି। ଚାରି କୋଟି ଓଡ଼ିଆଙ୍କ ହୃଦୟରେ ବିଜୁବାବୁ ଆଜି ବି ରହିଛନ୍ତି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସେ ଆମକୁ ପ୍ରେରଣା ଦେଉଛନ୍ତି ବୋଲି ନବୀନ କହିଛନ୍ତି।

ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି କାର୍ଯ୍ୟାଳୟରେ ସମୂହ ଦୀପ ଦାନ କରାଯାଇଥିଲା। ସକାଳ ୬ଟାରେ ବିନ୍ଦୁସାଗରର ଉତ୍ତରେଶ୍ୱର ଘାଟରେ ତିଳତର୍ପଣ କରାଯାଇଥିଲା। ବିଜୁ ପଟ୍ଟନାୟକ ପାର୍କ ଏବଂ ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ପୁରୀ ସ୍ୱର୍ଗଦ୍ୱାରସ୍ଥିତ ବିଜୁବାବୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here