ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାପ୍ରସାଦ ନମିଳିବାରୁ ଶ୍ରଦ୍ଧାଳୁ ନିରାଶ
  • ଚାରି ଦିନ ହେଲା ଲାଗି ରହିଛି ଏହି ଅସୁବିଧା
  • ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିଲେ ସୁଆର-ମହାସୁଆର ନିଯୋଗ ସମିତି
  • ରାଜି ହେଉ ନଥିଲା ପ୍ରଶାସନ
  • ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ବିବାଦ ହେଲା ସମାଧାନ

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ନିରାଶ ହେଉଛନ୍ତି ଶ୍ରଦ୍ଧାଳୁ। କାରଣ ଆନନ୍ଦ ବଜାରରେ ଚାରି ଦିନ ହେଲା ମିଳୁନି ମହାପ୍ରସାଦ। ଭହାପ୍ରଭୁଙ୍କ ଦର୍ଶନ ସାରି ଭକ୍ତ ଆନନ୍ଦ ମନରେ ମହାପ୍ରସାଦ ସେବନ ପାଇଁ ଯାଉଥିବା ବେଳେ ଆନନ୍ଦ ବଜାର ଖାଁ ଖାଁ ଲାଗୁଛି। ସୁଆର ଓ ମହାସୁଆର ନିଯୋଗ ସମିତି ୧୬ ତାରିଖରୁ ମହାପ୍ରସାଦ ପ୍ରସ୍ତୁତ କରିବା ବନ୍ଦ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ସହ ଦୁଇ ଦୁଇ ଥର ଆଲୋଚନା ବିଫଳ ହେବା ପରେ ଗୁରୁବାର ସଫଳ ହୋଇଛି ଆଲୋଚନା। ଶୁକ୍ରବାରଠାରୁ ପୁଣି ମହାପ୍ରସାଦ ମିଳିବ ବୋଲି ସୁଆର-ମହାସୁଆର ନିଯୋଗ ସମିତି ପକ୍ଷରୁ କୁହାଯାଇଛି।

କାହିଁକି ମିଳୁନି ମହାପ୍ରସାଦ

୧୬ ତାରିଖର ଘଟଣା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖୋଲାଯାଇଥିଲା ଜଗମୋହନ। ତେବେ ଗର୍ଭଗୃହକୁ ପାଳିଆ ସେବାୟତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ହାଇକୋର୍ଟ। ଯେଉଁଦିନ ଯାହାର ପାଳି କେବଳ ସେ ହିଁ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ବୋଲି ହାଇକୋର୍ଟ କହିଥିଲେ। ହେଲେ ସେହିଦିନ ଯେଉଁ ପାଳିଆ ସେବାୟତଙ୍କର ପାଳି ଥିଲା ତାଙ୍କର ଅଶୌଚ ହୋଇଯାଇଥିଲା।

ତାଙ୍କ ବଦଳରେ କିଏ ପାଳି କରିବ ତାକୁ ନେଇ ଚାଲିଲା ଆଲୋଚନା। ଫଳରେ ଜଗନ୍ନାଥଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ଭୋଗମଣ୍ଡପ ସାଢ଼େ ୪ଟାରେ ହୋଇଥିଲା। ଏହାପରେ ସବୁ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ଫଳରେ ପ୍ରସ୍ତୁତ ହୋଇଥିବା ମହାପ୍ରସାଦ ଠାକୁରଙ୍କ ପାଖରେ ଭୋଗ ହୋଇପାରି ନଥିଲା। ଏଣୁ ଆନନ୍ଦ ବଜାରକୁ ଆସିପାରି ନଥିଲା ମହାପ୍ରସାଦ।

ଭୋଗ ହୋଇ ନଥିବା ଅମୁଣିଆ ମହାପ୍ରସାଦକୁ ୧୭ ତାରିଖରେ କୋଇଲି ବୈକୁଣ୍ଠରେ ଧୋ-ପଖାଳ ସେବାୟତମାନେ ପୋତିଥିଲେ। ଏହାକୁ ଆଳ କରି ସୁଆର-ମହାସୁଆର ନିଯୋଗ ସମିତି ଧାରଣାରେ ବସିଥିଲା। ୫୦ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ କରାଯାଇଥିବାରୁ କ୍ଷତିପୂରଣ ଦାବି କରିଥିଲେ। ପ୍ରଶାସନ ଏନେଇ ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। କିନ୍ତୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଟଳ ରହିଥିଲା ସମିତି। ଏହି କାରଣ ପାଇଁ ଚାରି ଦିନ ହେଲା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ।

ମହାପ୍ରସାଦ ନପାଇ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ଦୁଇ ଦିନ ହେଲା ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଖେଚୁଡ଼ିକୁ ଶ୍ରଦ୍ଧାଳୁଙ୍କ ବଣ୍ଟନ କରାଯାଉଛି।

ସମାଧାନ ହେଲା ବିବାଦ

ମହାପ୍ରସାଦ ଚାରି ଦିନ ହେଲା ଶ୍ରୀମନ୍ଦିରରେ ମିଳୁ ନଥିବାରୁ ଆଜି ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ରାୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା କହିଛନ୍ତି। ଗର୍ଭଗୃହରେ ପ୍ରବେଶ ଏବଂ ନୀତିକାନ୍ତି ସମ୍ପର୍କରେ କୌଣସି ରାୟ ଦିଆଯାଇ ନଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କେବଳ ଜଗମୋହନ ମରାମତି ଏବଂ ଖୋଲାଯିବା ସମ୍ପର୍କୀତ ରାୟ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ସବୁ ବିବାଦ ସମାଧାନ ହୋଇଛି। ଶୁକ୍ରବାରଠାରୁ ବରାଦି ଅବଢ଼ା ମିଳିବ ବୋଲି ସୁଆର-ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି।

Comment