ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହକି ବିଶ୍ୱକପକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ
  • ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଚାଲିବ ହକି ବିଶ୍ୱକପ
  • ସ୍ମାର୍ଟ ସିଟିରେ ମିଳିବ ହାଇ ସ୍ପିଡ୍ ଫ୍ରି ୱାଇଫାଇ ସେବା
  • ଭୁବନେଶ୍ୱରକୁ ଆସିବେ ୧୬ଟି ଦେଶର କ୍ରୀଡାବିତ୍ ଓ ପର୍ଯ୍ୟଟକମାନେ
  • ରାଜଧାନୀରେ ଚାଲିବ ୩୦୦ ନୂଆ ବସ୍

ଚଳିତବର୍ଷ ନଭେମ୍ବର ଡିସେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ସଜାଇ ହେବ ରାଜଧାନୀ। ବଦଳିବ ରାଜଧାନୀର ରୂପରେଖ। ସମ୍ପୂର୍ଣ୍ଣ ସହରକୁ ଫ୍ରି ୱାଇଫାଇ ଟେକ୍ନୋଲୋଜିରେ ଖଞ୍ଜି ଦିଆଯିବ। ରାଜଧାନୀର ୭୫ଟି ସ୍ଥାନରେ ୩୦୦ଟି ଆସେସ୍ ପଏଣ୍ଟ ରହିବ ବୋଲି ସ୍ଥିର ହୋଇଛି। ରାଜଧାନୀକୁ ଆସୁଥିବା ବ୍ୟକ୍ତିବିଶେଷ ଓ ପର୍ଯ୍ୟଟକମାନେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ନେଇପାରିବେ। ଗୁରୁବାର ଦିନ ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ହକି ବିଶ୍ୱକପକୁ ଆନ୍ତର୍ଜାତୀୟସ୍ତରରେ ସଫଳ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ହୋଇଛି।

ଗତବର୍ଷ ଏସିଆନ୍ ଆଥଲେଟିକ୍ ମିଟ୍ ଆୟୋଜନ କରି ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସା ସାଉଁଟିଥିଲା। ରାଜ୍ୟ ସରକାର ଆସନ୍ତା ହକି ବିଶ୍ୱକପକୁ ଅନ୍ତର୍ଜାତୀୟ ଢଙ୍ଗରେ କରିବାକୁ ସ୍ଥିର କରିଛନ୍ତି। ଅଷ୍ଟ୍ରେଲିଆ, ମାଲେସିଆ, ଜର୍ମାନ୍, ପାକିସ୍ତାନ, ଆର୍ଜେଣ୍ଟିନା, ଫ୍ରାନ୍ସ, ଚାଇନା, ଇଂଲଣ୍ଡ, ସ୍ପେନ୍, ବେଲଜିୟମ୍, କାନାଡା ଭଳି ୧୬ଟି ଦେଶର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଭୁବନେଶ୍ୱରକୁ ଆସିବେ।

ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରତ୍ୟେକଟି କୋଣ ଅନୁକୋଣକୁ ସୌନ୍ଦର୍ଯ୍ୟକରଣ କରିବାକୁ ଧାର୍ଯ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍ ଚାରିପଟରେ ଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସପ୍ତମ ବାଟାଲିୟନ୍ ଓ ବେହେରା ସାହି ଛକ ନିକଟରେ ଦୁଇ ଫୁଟର ଓଭରବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ହକି ବିଶ୍ୱକପ ପୂର୍ବରୁ ରାଜଧାନୀରେ ପାଖାପାଖି ବିପିଟିସିଏଲ୍ ୩୦୦ଟି ନୂଆ ସିଟି ବସ ଚଲାଇବ ବୋଲି ସ୍ଥିର ହୋଇଛି। ପ୍ରଥମ ଦଫାରେ ୫୦ଟି ଷ୍ଟାଣ୍ଡାର୍ଡ ଏସି ବସ୍ ଓ ୫୦ଟି ନନ୍ ଏସି ବସ୍ ଚାଲିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ମେ ପ୍ରଥମ ସପ୍ତାହ ଭିତରେ ଚୁକ୍ତିନାମା ସ୍ୱାକ୍ଷର ହେବ। ଏହି ସିଟି ବସ୍‌ଗୁଡ଼ିକ ୩ଟି ରୁଟରେ ଚଲାଯିବ। ପ୍ରଥମ ରୁଟ୍‌ଟି କିଟ୍ ଛକରୁ ଲିଙ୍ଗରାଜ ଛକ ପର୍ଯ୍ୟନ୍ତ ଯାହାକି ୧୬.୫ କିଲୋମିଟର।  ଦ୍ୱିତୀୟ ରୁଟଟି ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ୨.୮ କିଲୋମିଟର ଏବଂ ରାଜଧାନୀର ବିଭିନ୍ନ ପର୍ଯ୍ୟଟନୀ ସ୍ଥଳକୁ ନେଇ ରୁଟ୍ ୩ ଧାର୍ଯ୍ୟ କରାଯାଇଛି। ଏହି ରୁଟରେ ପ୍ରତିଦିନ କମ୍ ସମୟ ବ୍ୟବଧାନରେ ଏହି ସିଟିବସ୍‌ଗୁଡ଼ିକ ଚଳାଚଳ କରିବ। ପାତ୍ରପଡ଼ା, ପଟିଆ, ପୋଖରୀପୁଟରେ ଏହି ବସ୍‌ଗୁଡ଼ିକର ଡିପୋ ନିର୍ମାଣ ହେବ।

ସ୍ମାର୍ଟ ସିଟରେ ୧୨୦ରୁ ଊର୍ଦ୍ଧ୍ୱ ଟଏଲେଟ୍ ଏବଂ ୧୦୦ଟି ୟୁରିନାଲ୍ ନିର୍ମାଣ କରାଯିବ। ବିଏମ୍‌ସି ଏହାର ସଫାସୁତୁରା ଦାୟିତ୍ୱ ନେବ ବୋଲି କୁହାଯାଇଛି।

ଚଳିତବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ହକି ବିଶ୍ୱକପ ପ୍ରତ୍ୟେକ ଦିନ ଅପରାହ୍ନ 5ଟାରୁ ଆରମ୍ଭ ହେବ ରାତି ୯ଟା ଯାଏଁ ଚାଲିବ। ଡିସେମ୍ବର ୧୨ ଓ ୧୩ ତାରିଖରେ କ୍ୱାର୍ଟର ଫାଇନାଲ, ୧୫ ତାରିଖରେ ସେମି ଫାଇନାଲ ଓ ୧୬ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଏଥିପାଇଁ ଏହି ସମୟରେ ରାଜଧାନୀବାସୀ ଏବଂ ବାହାର ପର୍ଯ୍ୟଟକମାନେ ଯେପରି ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବେଶଭୂଷା ସମ୍ପର୍କରେ ଏକ ନିଆରା ଅନୁଭୂତି ପାଇପାରିବେ ସେଥିପାଇଁ ଐତିହାସିକ ପଦଯାତ୍ରା ଓ ପଥୋତ୍ସବମାନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ରାଜଧାନୀର ବିଭିନ୍ନ ଜାଗାରେ ଫୁଡ୍ କର୍ଣ୍ଣର, ପାରମ୍ପାରିକ ନୃତ୍ୟ ଓ କଳା ଶିବିର, ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରାଯିବ। ଇଣ୍ଟିଲିଜେଣ୍ଟ ସିଟି ଅପରେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମସି) ଦ୍ୱାରା ଏକ ବୃହତ୍ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ବଡ ବଡ଼ ସ୍କ୍ରିନରେ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ଉପରେ କଡା ନଜର ରଖାଯିବ। ଗୁରୁବାର ବୈଠକରେ ସୂଚନା ଓ ଲୋକସମ୍ପର୍କ ସଚିବ ହେମନ୍ତ ଶର୍ମା କ୍ରୀଡା ସଚିବ ବିଶାଲ ଦେବ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ବିଏମ୍‌ସି କମିଶନର ଡକ୍ଟର କିଶନ କୁମାର, ପର୍ଯ୍ୟଟନ ସଚିବ ଡକ୍ଟର ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comment