ଗୀତା ଦାସ

ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ପରିବାର ତଥା ସମାଜ ପାଇଁ ବୋଝ ହୋଇପାରେ ଏହାର ସମାଧାନ କ୍ଷେତ୍ରରେ ସମାଜ କଲ୍ୟାଣ କେନ୍ଦ୍ର କିଭଳି ଭୂମିକା ନେଇପାରିବେ?

ଯାହାଙ୍କୁ ଡାକ୍ତର ମଦ, ସିଗାରେଟ୍‌ ଓ ବିଡ଼ି ପିଇବା ବନ୍ଦ କରିବାକୁ କହିଛନ୍ତି ଓ ସେ ନିଜ ଚେଷ୍ଟାରେ ଛାଡ଼ିପାରୁ ନାହାନ୍ତି, ସେପରି ଲୋକଙ୍କୁ ଏକାଠି କରି ଗୋଟାଏ ଛୋଟ ଆଲୋଚନା ସଭା କରିପାରିବେ। ଏଇ ଆଲୋଚନା ସଭାରେ ଯାହାର ପୂର୍ବେ ଏସବୁ ନିଶା ଥିଲା, ମାତ୍ର ବର୍ତ୍ତମାନ ସେ ଏସବୁ ନିଶା ଛାଡ଼ିଦେଇଛି, ସେଭଳି ଜଣଙ୍କୁ ଡାକି ଏ ସଭାରେ ଭାଗ ନେବାକୁ କହିବେ।

ଆଲୋଚନାର ବିଷୟବସ୍ତୁ ହେବ- କେମିତି ନିଶାର ଅଭ୍ୟାସ ଆରମ୍ଭ ହେଲା, ନିଶା ଯୋଗୁଁ କ’ଣ ଉପକାର ପାଇଲେ, ଅପକାର ହେଉଛି ବୋଲି ଡାକ୍ତର କହିବା ପୂର୍ବରୁ ନିଜେ ଜାଣିପାରିଥିଲେ ନା ନାହିଁ, କେତେଥର ଛାଡ଼ିବାକୁ ଚେଷ୍ଟା କରି ଛାଡ଼ିପାରିଲେ, କାହିଁକି ଛାଡ଼ିଲା ପରେ ପୁଣି ଆଉଥରେ ପୁରୁଣା ଅଭ୍ୟାସକୁ ଫେରିଗଲେ, ସେତେବେଳେ ତାଙ୍କର ଦେହରେ କ’ଣ ଅନୁଭୂତ ହେଲା, କି ପ୍ରକାର ଲକ୍ଷଣ ଦେଖାଗଲା, ମନର ଅବସ୍ଥା କ’ଣ ହେଲା, ଘରେ କେଉଁ ପ୍ରକାର ଅଶାନ୍ତି ବଢ଼ିଲା, ସ୍ତ୍ରୀ ସହିତ କଳିକଜିଆ ହେଲା କି? ମାଡ଼ ମରାମରିଯାକେ ଗଲା କି?- ଏହିଭଳି ଟିକିନିଖି ଭାବରେ ନିଶା କରିବା ବିଷୟ ଆଲୋଚନା କଲେ, ଅନ୍ୟ ଯାହାର ଏପରି ଅଭିଜ୍ଞତା ହୋଇଛି, ସେମାନେ ବିଷୟଟି ହୃଦୟଙ୍ଗମ କରିବେ ଓ ଆଲୋଚନାରେ ଭାଗ ନେବେ।

ଯେଉଁଠି ସମ୍ଭବ, ସେଠି ମଦ ନେଇ ବିଭିନ୍ନ ସମସ୍ୟା କିପରି ହୁଏ- ସେ ବିଷୟ ଉପରେ ଭିତ୍ତି କରି ଯଦି କୌଣସି ସିନେମା ବା ଟେଲିଭିଜନ ଶୋ ଥାଏ, ତା’କୁ ଦେଖାଇଲା ପରେ ଆଲୋଚନା ଆରମ୍ଭ କରିହେବ। ଯେଉଁଠି ସିନେମା ବା ଟେଲିଭିଜନ ନାହିଁ, ସେଠି ସ୍ଥାନୀୟ ଯାତ୍ରାପାର୍ଟିକୁ ମଦ୍ୟପର ଜୀବନ ବିଷୟରେ ଘଣ୍ଟିକିଆ ନାଟକଟିଏ ଦେଖାଇଲା ପରେ ଏପରି ଆଲୋଚନା ଆରମ୍ଭ କରି ହେବ।

ଦ୍ୱିତୀୟରେ ସେମାନେ ପୂର୍ବ ଆଲୋଚିତ ମଦ ପିଇବାର ତିନି ଅବସ୍ଥାର ଲକ୍ଷଣ ଅନୁସାରେ କିଏ ମଦ ପିଇବାର କେଉଁ ଅବସ୍ଥାରେ (ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅବସ୍ଥାରେ) ରହିଲାଣି, ସେ ବିଷୟ ନିରୂପଣ କରିବା ଦିଗରେ ନିଶାଗ୍ରସ୍ତକୁ ବା ତା’ର ପରିବାରକୁ ସାହାଯ୍ୟ କରିପାରନ୍ତି।

ମଦ ପିଇବା ବନ୍ଦ କରିଦେଲେ ଯେଉଁସବୁ ଶାରୀରିକ ଉପସର୍ଗ ଦେଖାଯାଏ, ମାନସିକ ଅବସ୍ଥାରେ ପରିବର୍ତ୍ତନ ଘଟିଥାଏ; ସେ ବିଷୟରେ ମଧ୍ୟ ନିଶାଗ୍ରସ୍ତକୁ ଚେତାଇ ପାରିବେ। ଯାହାର ବହୁତ ଦିନର ଅଭ୍ୟାସ ଓ ମଦ ପିଇବା ଯୋଗୁଁ ରାଗ ହେଲାଣି, ତା’ର ମଦ ଛାଡ଼ିଲାବେଳେ ଯେ ଡାକ୍ତରୀ ଚିକିତ୍ସା ଦରକାର, ସେକଥା ତା’କୁ ବୁଝାଇବେ।

ଅଧିକାଂଶ ଲୋକ ବିଭିନ୍ନ ନିଶାର ଲକ୍ଷଣ କ’ଣ- ସେ କଥା ଭଲ ଭାବରେ ଜାଣି ନ ଥିବାରୁ ନିଜ ଘରର ପିଲାଛୁଆମାନେ କି ପ୍ରକାର ନିଶା କରୁଛନ୍ତି, ସେ କଥା ଅନେକ ଦିନ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ। ଏଥିପାଇଁ ବିଭିନ୍ନ ନିଶାର ଲକ୍ଷଣ ଓ ନିଶା ବନ୍ଦ କଲେ ଯେଉଁସବୁ ଲକ୍ଷଣ ଦେଖାଯାଏ ସେ ବିଷୟରେ ବାପା, ମାଆ, ଶିକ୍ଷକ – ଶିକ୍ଷୟିତ୍ରୀମାନଙ୍କୁ ନୂଆ ତଥ୍ୟ ସବୁ ଜଣାଇବା ଦରକାର।

ଆମେ ଏଯାକେ ନିଶା ନିବାରଣ ପାଇଁ ନୈତିକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛୁ। ତଥାପି ନିଶାର ବ୍ୟବହାର କ୍ରମଶଃ ବଢ଼ି ଚାଲିଛି। ଆଗ ପରି କେବଳ ଦୁଶ୍ଚରିତ୍ର, ବିପଥଗାମୀ ଲୋକ ମଦ ଖଟିରେ ବସି କି ଜୁଆ ଆଡ୍ଡାରେ ବସି, ନ ହେଲେ ବେଶ୍ୟା ଘରକୁ ଯାଇ ମଦ ପିଉ ନାହିଁ।

ବର୍ତ୍ତମାନ କ୍ଲବ୍‌ରେ, ଜଳଖିଆ ଦୋକାନରେ, ହୋଟେଲରେ, ବଡ଼ ରେଷ୍ଟୁରାଣ୍ଟରେ, ବାହାଘରରେ ଓ ବନ୍ଧୁ ମିଳନରେ ଲୋକେ ମଦ ପିଉଛନ୍ତି। ନିଜର ସ୍ୱାସ୍ଥ୍ୟ ପାଇଁ ଏଭଳି ପାନୀୟ କେଡେ କ୍ଷତିକାରକ ହୋଇପାରେ, ସେ କଥା ନିଜକୁ ଜଣା ନାହିଁ। ସାଙ୍ଗକୁ ଦେଖି ଭାବୁଛନ୍ତି ଯେ କାହିଁ ତା’ର ତ ମଦ ପିଇ ନିଶା ହେଉ ନାହିଁ କି ଦେହ ଖରାପ ହେଉ ନାହିଁ, ତେଣୁ ମୋର କାହିଁକି ହେବ?

ପ୍ରତିଟି ଲୋକ ଯେ ଅନ୍ୟ ଲୋକଙ୍କଠାରୁ ତଫାତ୍ ସେ ସେକଥା ବୁଝନ୍ତି ନାହିଁ। ପ୍ରତି ଲୋକର ସିଡ଼େଶନ ଥ୍ରେସ୍‌ ହୋଲ୍‌ଡ (ଅର୍ଥାତ୍‌ କେତେ ମଦ ପିଇଲେ ନିଶା ଘାରିବ) ଅଲଗା ଏବଂ ମଦ ଦେହରୁ ନିଷ୍କାସନ ହେବାର କ୍ଷମତା ଅଲଗା ବୋଲି ଜାଣି ନିଜର ନିଶା ଅଭ୍ୟାସ ବିଷୟରେ ସାବଧାନ ହେବା ଦରକାର। ଅନ୍ୟର ଅନୁକରଣ କଲେ କ୍ଷତି ହେବାର ସମ୍ଭାବନା ବଢ଼େ। (ଏ ବହିରେ ମଦ୍ୟପ ବା ମଦୁଆ କଥାଟାର ବ୍ୟବହାର ନ କରି ମଦ୍ୟାସକ୍ତ ଓ ରୋଗୀ ବୋଲି ଲେଖିବାର କାରଣ ହେଲା ଯେ ଯେଉଁ କାରଣରୁ ମଣିଷ ନିଶା ଖାଉ, ସେତେବେଳେ ସେ ନିଶା ଛାଡ଼ି ରହିପାରେ ନାହିଁ, ସେତେବେଳେ ତା’ର ଆସକ୍ତି ରୋଗରେ ପରିଣତ ହେଲାଣି। ସେ ଦୁଶ୍ଚରିତ୍ର ହେଲେ ସୁଦ୍ଧା ତା’କୁ ଚିକିତ୍ସା କରି ଭଲ କରିବା ଦରକାର)। କାରଣ ସବୁ ରୋଗ ପରି ନିଶାଜନିତ ରୋଗ କ୍ଷେତ୍ରରେ ମଧ୍ୟ ପ୍ରଥମ ବା ମଧ୍ୟମ ଅବସ୍ଥାରେ ଯେତେ ଶୀଘ୍ର ରୋଗ ଧରାପଡ଼େ, ସେତେ ଭଲ ହେବାର ସମ୍ଭାବନା ବଢ଼େ।

ସମାଜ କଲ୍ୟାଣ କେନ୍ଦ୍ର ଏ ବିଷୟରେ (୧) ଜନଶିକ୍ଷାର ପ୍ରସାର, (୨) ନିଶାଗ୍ରସ୍ତର ଲକ୍ଷଣ ଦେଖି ତା’କୁ ତା’ର ସମସ୍ୟା ବିଷୟରେ ସଚେତନ କରିବା ଓ (୩) ନିଶା ଛାଡ଼ିବା ଦିଗରେ ସାହାଯ୍ୟ କରିବା- ଏଇ ତିନୋଟି କାର୍ଯ୍ୟପନ୍ଥା ଗ୍ରହଣ କରିପାରନ୍ତି। ଯେଉଁମାନେ ନିଶା ନିବାରଣ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଛନ୍ତି, ସେହିପରି ସମାଜସେବୀ ବା କର୍ମୀ, ଡାକ୍ତର ଓ ମନୋବୈଜ୍ଞାନିକଙ୍କୁ ପଚାରି ଏ ବିଷୟରେ ନୂଆ ତଥ୍ୟ ସବୁ ସଂଗ୍ରହ କରିପାରିବେ।

ଖବରକାଗଜ, ରେଡିଓ ଏବଂ ଟେଲିଭିଜନର ଜନଶିକ୍ଷା ପ୍ରୋଗ୍ରାମର ସାହାଯ୍ୟ ନେଇ ବହୁସଂଖ୍ୟକ ଲୋକ ଏସବୁ ତଥ୍ୟ ଯେମିତି ଜାଣିବେ ତା’ର ବ୍ୟବସ୍ଥା କରିବେ। ସତେ କ’ଣ ଏସବୁ ବ୍ୟବସ୍ଥା କଲେ ଲୋକେ ନିଶାପାଣି ଛାଡ଼ିଦେବେ? ସମସ୍ତେ ହୁଏତ ଛାଡ଼ିବେନି, ମାତ୍ର ଯିଏ ଛାଡ଼ିବ, ତା’ର ତ ଉପକାର ହେବ! ମଣିଷ ଜନ୍ମ ଦୁର୍ଲଭ।

ମଣିଷ ଛଡ଼ା ଅନ୍ୟ ପ୍ରାଣୀମାନେ ନିଜର ଜ୍ଞାନ, ବୁଦ୍ଧି ଓ ଅଭିଜ୍ଞତା ଦ୍ୱାରା ନିଜ ଜୀବନ ସଜାଡ଼ିପାରନ୍ତି ନାହିଁ। ଥରେ ଶାରୀରିକ ଅବନତି ଆରମ୍ଭ ହେଲେ (ରୋଗ ପରେ ରୋଗ ଲାଗି ରହିଲେ, ଖାଦ୍ୟାଭାବଜନିତ ଅପୁଷ୍ଟି ବଢ଼ିଲେ ଓ ଯକୃତ ଅକ୍ଷମ ହୋଇଗଲେ) ମୃତ୍ୟୁ ଛଡ଼ା ସେମାନଙ୍କର ଅନ୍ୟ  ଗତି ନାହିଁ। ମାତ୍ର ମଣିଷ ଚାହିଁଲେ ନିଜକୁ ବହୁ କ୍ଷେତ୍ରରେ ସେହି ଅବଧାରିତ ମୃତ୍ୟୁ ପଥରୁ, ଅବନତି ପଥରୁ ଓ ଅଧୋଗତି ପଥରୁ ଫେରାଇ ଆଣିପାରିଛି। ନିଜ ଜୀବନକୁ ନିଜ ଆୟତ୍ତରେ ରଖିବାଟା କେବଳ ଦୈବାଧୀନ ନୁହେଁ, ଅନେକାଂଶରେ ମଣିଷର ଇଚ୍ଛାଧୀନ ବୋଲି ଜାଣିବା କଥା। ନିଜକୁ ସୁସ୍ଥ ରଖିବା କିମ୍ବା ଦେହ ଉପରେ ଅତ୍ୟାଚାର କରି ରୁଗ୍‌ଣ ହେବା- ଏ ବିଷୟଟି ଆମରି ଦାୟିତ୍ୱାଧୀନ।

ଯିଏ ଏଭଳି ଲୋକଙ୍କୁ ଚିକିତ୍ସା କରି ପରାମର୍ଶ ଦେଇ ଆରୋଗ୍ୟ କରେ ସେ ଯଦି ଗୋଟିଏ ଜୀବନକୁ ଆରୋଗ୍ୟ କରିପାରେ, ତାହାହେଲେ ସେ ନିଜ ପରିଶ୍ରମକୁ ନିଷ୍ଫଳ ଓ ତୁଚ୍ଛ ବୋଲି ଭାବିବ ନାହିଁ। ପ୍ରତିଟି ଜୀବନ ବହୁମୂଲ୍ୟ। କାରଣ ମରିଗଲା ପରେ ଶତଚେଷ୍ଟା କରିଥିଲେ ସୁଦ୍ଧା ଏଇ ମଣିଷ ଜନ୍ମ ଆମେ ଫେରିପାଇବା ନା ନାହିଁ ସେ କଥା କେହି ଜାଣି ନାହାନ୍ତି। ବଞ୍ଚିଥିଲା ବେଳେ ଲୋକ ଜୀବନର ବ୍ୟର୍ଥତା, ଜ୍ୱାଳା, ଯନ୍ତ୍ରଣାକୁ ବଡ଼ କରି ଦେଖେ; ଅଥଚ ଯେତେବେଳେ ଆସନ୍ନ ମୃତ୍ୟୁର ସମ୍ମୁଖୀନ ହୁଏ, ସେତେବେଳେ ପୃଥିବୀର ଧ୍ୱନି ମଧ୍ୟ ତା’କୁ ମଧୁମୟ ଜଣାଯାଏ।

(ମନର ଅନ୍ଧାର ମାନସିକ ସମସ୍ୟା ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ ଗୀତା ଦାସଙ୍କର ଏକ ପ୍ରଭାବଶାଳୀ ପୁସ୍ତକ। ‘ମଦ, ମଣିଷ, ମନ’ ଶୀର୍ଷକ ଏହି ସିରିଜ୍‌ରେ ସେଥିରୁ ୧୦ଟି ପାଖୁଡ଼ା ଆଣି ଓଡ଼ିଶାଲାଇଭ ଏହି ପୋଟାଲ୍‌ରେ ଉପସ୍ଥାପନ କରିଛି। – ସମ୍ପାଦକ ଓଡ଼ିଶାଲାଇଭ)

LEAVE A REPLY

Please enter your comment!
Please enter your name here