ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କଂଗ୍ରେସ ଉଠିବ ଓଡ଼ିଶା ହସିବ’- ଏହି ନୂଆ ସ୍ଲୋଗାନ୍ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ଘର ସଜାଡ଼ିବା ଆରମ୍ଭ କରିଛନ୍ତି।  ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଭବନରେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ନିରଞ୍ଜନ।

ଶନିବାର ବିଳମ୍ବିତ ରାତି ଯାଏଁ ନିରଞ୍ଜନ କଂଗ୍ରେସର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପରେ ରବିବାର ମାରାଥନ ବୈଠକ କରିଥିଲେ। ବୁଥ୍‌ ସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି ନୂଆ ପିସିସି ସଭାପତି।

ରବିବାର ସକାଳେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଭୁବନେଶ୍ୱର ଫେରିଥିଲେ ନିରଞ୍ଜନ। ଏହାପରେ କଂଗ୍ରେସ ଭବନରେ ଆରମ୍ଭ ହୋଇଥିଲା ମାରାଥନ ଆଲୋଚନା। ପ୍ରଥମେ କଂଗ୍ରେସର ବିଧାୟକମାନଙ୍କ ସହ ବୈଠକ କରିଥିଲେ ନିରଞ୍ଜନ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ବିଧାୟକ ଦଳଙ୍କ ବୈଠକ ପରେ ନିରଞ୍ଜନ ଯୁବ, ଛାତ୍ର ଓ ମହିଳା ସଙ୍ଗଠନର ଛାମୁଆ ପ୍ରତିନିଧିଙ୍କୁ ଭେଟିଥିଲେ। ନିର୍ବାଚନ ପାଇଁ ଅଧିକରୁ ଅଧିକ କାମ କରିବା ପାଇଁ ମନ୍ତ୍ର ଦେଇଥିଲେ। ନିରଞ୍ଜନଙ୍କ ଏହି ମାରାଥନ୍ ବୈଠକରେ ସବୁ ନେତା ଉପସ୍ଥିତ ଥିଲେ।

“କଂଗ୍ରେସ କର୍ମୀଙ୍କ ମନରେ ଜୋସ୍ ରହିଛି। ଆଗାମୀ ଦିନରେ କଂଗ୍ରେସ ଉପରକୁ ଉଠିବ। ଦଳ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅତୀତର ଭୁଲ୍‌କୁ ସୁଧାରି ଆମକୁ ଆଗକୁ ଯିବାକୁ ପଡ଼ିବ। ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପଡ଼ିବ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଏପଟେ ପ୍ରଭାରୀ ଜିତେନ୍ଦ୍ର ସିଂ ବି ଆଗ୍ରେସିଭ୍‌ ମୁଡରେ ରହିଛନ୍ତି। କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଦୁଇ ମାସ ମଧ୍ୟରେ ଟିକେଟ ଦିଆଯିବ ବୋଲି ସେ କହିଛନ୍ତି।

“କଂଗ୍ରେସ କର୍ମୀଙ୍କ ମନରେ ଭରପୂର ଜୋସ୍ ରହିଛି। ଏହାକୁ ୨୦୧୯ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପଡ଼ିବ। ୨୦୧୯ ନିର୍ବାଚନରେ ଅଧିକରୁ ଅଧିକ ଯୁବକଙ୍କୁ ଟିକେଟ ଦିଆଯିବ। ଦୁଇ ମାସ ପରେ ଟିକେଟ ବଣ୍ଟାଯିବ। ଲୋକଙ୍କ ସହ ଯୋଡ଼ି ହୋଇ ରହିଥିବା ନେତାଙ୍କୁ ଟିକେଟ ଦିଆଯିବ”, କହିଛନ୍ତି ଜିତେନ୍ଦ୍ର ସିଂ।

୨୦୧୯ ପାଇଁ କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ଜୋସ୍‌ ଭରିବା ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ନିରଞ୍ଜନ। ୧୭ ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ହୋଇନି। ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବିଫଳ। କେନ୍ଦ୍ର ସରକାର ବି ନିଜ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି। ନିର୍ବାଚନ ବେଳେ ଯାହା କହିଥିଲେ ତାହା ୪ ବର୍ଷ ଭିତରେ କେତେ ପୂରଣ ହୋଇଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ନିରଞ୍ଜନଙ୍କ ଏହି ସମାଲୋଚନାକୁ ବିଜେପି ଗ୍ରହଣ କରିବା ମୁଡରେ ନାହିଁ। ବିଜେପି ଉପ-ସଭାପତି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “କଂଗ୍ରେସର ଅବସ୍ଥା କ’ଣ ତାହା କାହାକୁ ଅଛପା ନାହିଁ। ଅନ୍ୟକୁ ଆଙ୍ଗୁଠି ଦେଖାଇବା ଆଗରୁ କଂଗ୍ରେସ ପ୍ରଥମେ ନିଜକୁ ଦେଖୁ।”

୧୯ ତାରିଖରେ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି କରିଛନ୍ତି ରାହୁଲ ଗାନ୍ଧି। ଶନିବାର ସନ୍ଧ୍ୟାରେ ନିରଞ୍ଜନ ତାଙ୍କ ନୂଆ ଟିମ୍‌ ସହ ଭୁବନେଶ୍ବର ଫେରିଥିଲେ। ବାଜା ବଜାଇ, ବାଣ ଫୁଟାଇ ନିରଞ୍ଜନଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ କଂଗ୍ରେସ କର୍ମୀ। ବିଳମ୍ବିତ ରାତି ଯାଏଁ ନିରଞ୍ଜନ କର୍ମୀ ଓ ନେତାଙ୍କୁ ସଙ୍ଗଠନ ସଜାଡ଼ିବା ଉପରେ ପରାମର୍ଶ ଦେଇଥିଲେ।

Comment