ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନେତା-କର୍ମୀଙ୍କୁ ଉଦ୍‌ବୋଧନ ଦେଲେ ନବୀନ
  • ମହାନଦୀ ସୁରକ୍ଷା ପାଇଁ ଆହ୍ୱାନ ଦେଲେ
  • ଓଡ଼ିଶାକୁ ପାଣି ବନ୍ଦ କରିଛି ବିଜେପି ସରକାର
  • ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଲେ ନବୀନ
  • ବିଜେପି କହିଲା, “ନବୀନବାବୁ ବିଚଳିତ”

“ଓଡ଼ିଶାର ମହାନଦୀକୁ ନେଇ ଷଡ଼ଯନ୍ତ୍ର କରାଯାଇଛି। କେନ୍ଦ୍ର ଏବଂ ଛତିଶଗଡ଼ରେ ଥିବା ବିଜେପି ସରକାର ଏହି ଷଡ଼ଯନ୍ତ୍ର କରିଛନ୍ତି। ବିଜେପି ସରକାର ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି। ଏଥିପାଇଁ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ। ବିଜେଡି କର୍ମୀ ଏବଂ ନେତାମାନେ ଗାଁ ଗାଁରେ ଏ ସମ୍ପର୍କରେ ଅବଗତ କରାନ୍ତୁ”, କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ମହାନଦୀ ମହାସମ୍ମିଳନୀ। ଏଥିରେ ଯୋଗ ଦେଇଥିଲେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ପ୍ରତିନିଧି। ଏହାସହ ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କୁ ଉଦବୋଧନ ଦେଇ ମହାନଦୀକୁ ବଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଛତିଶଗଡ଼ ସରକାର ମହାନଦୀରେ ଏକାଧିକ ପ୍ରକଳ୍ପ କରିଥିବାରୁ ମହାନଦୀରେ ଜଳସ୍ରୋତ ହ୍ରାସ ପାଇଛି। ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଏଥିରେ ସହଯୋଗ ନକରିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ମହାନଦୀ ପାଇଁ ଯାହା କରିବା କଥା କରିଛନ୍ତି। ଏବେ ଦଳର କର୍ମକର୍ତ୍ତାଙ୍କ କାମ ହେଲା ମହାନଦୀକୁ ନେଇ ଯେଉଁ ଷଡ଼ଯନ୍ତ୍ର କରାଯାଉଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା। କର୍ମୀମାନେ ଏସମ୍ପର୍କରେ ଲୋକଙ୍କୁ ଅବଗତ କରନ୍ତୁ।”

ଦୁଇ ବର୍ଷ ହେଲା ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି। ମହାନଦୀର ସୁରକ୍ଷା ପାଇଁ ବିଜେଡି ଆନ୍ଦୋଳନକୁ ବ୍ୟାପକ କରିଛି। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦସ୍ତଖତ ଅଭିଯାନ ଏବଂ ମାନବଶୃଙ୍ଖଳ କରିଛି। ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ଓଡ଼ିଶାର ମହାନଦୀକୁ ଶୁଖାଇବା ପାଇଁ ଯେଉଁ ଚକ୍ରାନ୍ତ କରିଛନ୍ତି ସେ ସମ୍ପର୍କରେ ଅବଗତ କରିଛନ୍ତି। ହେଲେ ଏବେ କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ସରକାର ବନ୍ଦ କରିଦେଇଥିବାରୁ ଓଡ଼ିଶାକୁ ପାଣି ଆସୁନାହିଁ ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦ୍ୱିତୀୟ ପର୍ଯ୍ୟୟ ଆନ୍ଦୋଳନ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ବିଜେଡିର ମହାନଦୀ ମହାସମ୍ମିଳନୀକୁ ସମାଲୋଚନା କରିଛି ବିଜେପି।

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ମହାନଦୀ ପାଣି ପାଇଁ ବିଜେଡି ଚିନ୍ତିତ ନୁହେଁ। ବିଜେପି ପାଣି ବନ୍ଦ କରିଛି କହିବା ଦୁର୍ଭାଗ୍ୟଜନକ। ମହାନଦୀକୁ ଆଳ କରି ବିଜେଡି ବିଜେପି ବିରୋଧରେ ଲଢ଼ିବାକୁ ଚାହୁଁଛି। ବିଜେଡିକୁ ବିଜେପି ପ୍ରତିହତ କରୁଥିବାରୁ ନବୀନବାବୁ ବିଚଳିତ ହୋଇଯାଇଛନ୍ତି।”

Comment