ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ଟି ବିରୋଧୀ ଦଳ ପକ୍ଷରୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ଵାରା ଖାରଜ ହେବ ଏହା ଆଗରୁ ପ୍ରାୟତଃ ଜଣାଥିଲା। ଯଦି ବି ଉପରାଷ୍ଟ୍ରପତି ଏହି ନୋଟିସକୁ ଗ୍ରହଣ କରିଥାନ୍ତେ ପ୍ରଧାନ ବିଚାରପତିଙ୍କୁ ଯେ କାଠଗଡ଼ାରେ ଠିଆ ହେବାକୁ ପଡ଼ିଥାନ୍ତା ତାହା ବି ନୁହେଁ କାରଣ ରାଜ୍ୟସଭାରେ ବିରୋଧୀ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ନାହିଁ। ନୋଟିସ ପଛରେ ଅସଲ ଉଦ୍ଦେଶ୍ୟ କଣ ଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏହିଭଳି ନୋଟିସ ଯେତେବେଳେ ବି ଆସିବ ଉପରାଷ୍ଟ୍ରପତି ତାହାକୁ ଖାରଜ କରିବାର କ୍ଷମତା ତାଙ୍କ ପାଖରେ ଅଛି। ସେ ଚାହିଁଲେ ଏ ରକମର ନୋଟିସକୁ ଅଳିଆ ଗଦାରେ ପକାଇ ଦେଇପାରିବେ। କାରଣ ସମ୍ବିଧାନ ତାଙ୍କୁ ସେହି ଅଧିକାର ଦେଇଛି।

ଯଦି ସେ ସେକଥା କରନ୍ତି କେହି ବି ତାଙ୍କୁ ଦୋଷ ଦେଇପାରିବେ ନାହିଁ କି କ୍ଷମତାର ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ଆଣିପାରିବେ ନାହିଁ। ଦୁଇଟି ସ୍ପଷ୍ଟ କାରଣ ପାଇଁ ବିଚାରପତିମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଉପରାଷ୍ଟ୍ରପତି ଖାରଜ କରି ଦେଇପାରିବେ। ଗୋଟିଏ ହେଉଛି କ୍ଷମତା ଅପବ୍ୟବହାରର ଅଭିଯୋଗର କୌଣସି ଠୋସ ପ୍ରମାଣ ନଥିବା ଓ ଦ୍ୱିତୀୟଟି ହେଉଛି ବିଚାରପତି ଜଣକ ଅକର୍ମଣ୍ୟ ହୋଇପଡିବା।

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଏ ଦୁଇଟି ଭିତରୁ କୌଣସିଟି ବି ନଥିଲା। ମହାଭିଯୋଗ ନୋଟିସକୁ ଖାରଜ କରିବା ପୂର୍ବରୁ ଉପରାଷ୍ଟ୍ରପତି ବହୁ ଆଇନ ବିଶେଷଜ୍ଞଙ୍କ ମତ ଲୋଡ଼ିଥିଲେ। ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟର ଜଣେ ଅଧେ ପୂର୍ବତନ ପ୍ରଧାନ ବିଚାରପତି ଓ ଲୋକସଭାର ପୂର୍ବତନ ମହାସଚିବ କାଶ୍ୟପଙ୍କ ସହ ମଧ୍ୟ ଏ ନେଇ ସେ ପରାମର୍ଶ କରିଥିଲେ। ଏହି ନୋଟିସକୁ ଗ୍ରହଣ କରିବା ପଛରେ କୌଣସି ଭିତ୍ତି ନାହିଁ ବୋଲି ତାଙ୍କର ହୃଦବୋଧ ହେବା ପରେ ମହାଭିଯୋଗ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଜଷ୍ଟିସ ମିଶ୍ରଙ୍କ ବିରୋଧରେ ଗୋଟିଏ ବଡ଼ ଅଭିଯୋଗ ଆସିଥିଲା ଯେ ଜଜ୍‌ମାନଙ୍କୁ କେସ୍ ବାଣ୍ଟିବାରେ ସେ ପକ୍ଷପାତିତା କରୁଛନ୍ତି। କିନ୍ତୁ ‘ମାଷ୍ଟର ଅଫ ଦି ରୋଷ୍ଟର’ ଭାବେ ପ୍ରଧାନ ବିଚାରପତି ଯାହାକୁ ଚାହିଁବେ ନିଜ ଇଚ୍ଛାରେ ବିଭିନ୍ନ ମାମଲାକୁ ଆବଣ୍ଟନ କରିପାରିବେ। ଏକଥା ସୁପ୍ରିମକୋର୍ଟର ନିଜ ରାୟରେ କୁହାଯାଇଛି। ତେବେ ଉପରାଷ୍ଟ୍ରପତିଙ୍କ ଦ୍ୱାରା ମହାଭିଯୋଗ ନୋଟିସ ଖାରଜ ହେବା ପରେ ଏହି ବିବାଦର ଶେଷ ହୋଇଛି ବୋଲି ଭାବିବା ବି ଠିକ୍ ନୁହେଁ। କାରଣ ଯେଉଁମାନେ ନୋଟିସ ଦେଇଥିଲେ ସେମାନେ ଉପରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ପୁଣି ସୁପ୍ରିମକୋର୍ଟ ହିଁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ପ୍ରଧାନ ବିଚାରପତିଙ୍କ କୋର୍ଟରେ ହିଁ ଏହାର ବିଚାର ହେବ। ଏଣୁ ମହାଭିଯୋଗ ମାମଲାଟି ଆଗାମୀ ଦିନରେ ଅଧିକ ଜଟିଳ ହେବାର ଆଶଙ୍କା ରହିଛି ଓ ରାଜନୈତିକ ଦଳମାନେ ଏ ନେଇ କାଦୁଅ ଫୋପଡା ଫୋଫାଡ଼ି ହେବାର ସ୍ପଷ୍ଟ ସଂକେତ ମିଳୁଛି।

ଏହି ଅଭିଯୋଗ ମାଧ୍ୟମରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଗୋଟିଏ ଗୁଳିରେ ଏକାଧିକ ଶିକାର କରିବା ପାଇଁ ଚାହୁଁଛନ୍ତି। ପ୍ରଧାନ ବିଚାରପତିଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି (ବା ସୃଷ୍ଟି କରାଯାଇଛି) ସେଥିରେ କାହାର ଲାଭ ହେବାର ନାହିଁ। ବରଂ ସର୍ବୋଚ୍ଚ ନ୍ୟାୟାଳୟ ଓ ପ୍ରଧାନ ବିଚାରପତି ପଦଟି ପଦାରେ ପଡ଼ି ହାଟରେ ଗଡ଼ିବା ଭଳି ପ୍ରତୀୟମାନ ହେଉଛି।

Comment