ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଆଇପିଏଲ ମହାସମର। ଟି-ଟ୍ଵେଣ୍ଟି ଫଟାଫଟ କ୍ରିକେଟର ମଜା ନେବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼। ଚୌକା ଓ ଛକା ବର୍ଷା ଭିତରେ ଚିୟରଗାର୍ଲଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଆଇପିଏଲ ରୋମାଞ୍ଚରେ ମଜ୍ଜିବା ପାଇଁ ଆହୁରି ଖୋରାକ ଯୋଗାଉଛି।
କୁହାଯାଏ ଟି-ଟ୍ଵେଣ୍ଟି କ୍ରିକେଟ୍ରେ କେବଳ ଯୁବ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳେ। କିନ୍ତୁ ଆଇପିଏଲ୍ ସିଜିନ୍-୧୧ରେ ଏହାର ଓଲଟା ଦେଖିବାକୁ ମିଳିଛି। ଇତିମଧ୍ୟରେ ଚଳିତ ସିଜିନ୍ର ଅଧାଅଧି ମ୍ୟାଚ୍ ଖେଳା ସରିଛି। ବ୍ୟାଟିଂରେ କିଛି ବ୍ୟାଟ୍ସମ୍ୟାନ୍ ପ୍ରହାର କରି ଦର୍ଶକଙ୍କ ମନ ଜିଣିଥିବାବେଳେ ବୋଲିଂରେ ଭଲ ପ୍ରଦର୍ଶନ କରି ପୂର୍ବ ରେକର୍ଡ ଭାଙ୍ଗିଛନ୍ତି କିଛି କ୍ରିକେଟର୍।
ଆଇପିଏଲ-୧୧ ସିଜିନରେ ପ୍ରଥମ ଶତକ ୧୬ତମ ମ୍ୟାଚ୍ରେ ହିଁ ଦେଖିବାକୁ ମିଳିଥିଲା ଏବଂ ଏହାର ଠିକ୍ ପରଦିନ ୧୭ତମ ମ୍ୟାଚ୍ରେ ଆଉ ଏକ ଶତକ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ଶତକ ପଞ୍ଜାବ ପକ୍ଷରୁ ୩୮ ବର୍ଷିୟ କ୍ରିସ୍ ଗେଲ୍ ହାସଲ କରିଥିବା ବେଳେ ଦ୍ୱିତୀୟ ଶତକ ସିଏସ୍କେ ପକ୍ଷରୁ ୩୬ ବର୍ଷିୟ ୱାଟ୍ସନ ହାସଲ କରିଥିଲେ।
୧୭ ବର୍ଷର ଖେଳାଳିଙ୍କଠାରୁ ଆରମ୍ଭ କରି ୩୮ ବର୍ଷର ଖେଳାଳି ଚଳିତ ଆଇପଏଲରେ ସାମିଲ ହୋଇଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଏହି ଦୁଇ ବରିଷ୍ଠ କ୍ରିକେଟର୍ ଆରମ୍ଭରୁ ଶତକ ହାସଲ କରି ଯୁବ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ସେହିପରି ୩୩ବର୍ଷୀୟ ଡ୍ଵେନ୍ ବ୍ରାଭୋ ମଧ୍ୟ ନିଜ ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ଚେନ୍ନାଇ ସୁପର୍ କିଙ୍ଗସ ଟିମକୁ ପଏଣ୍ଟ୍ ଟେବୁଲର ଶୀର୍ଷରେ ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି।
ସେହିପରି କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଦିନେଶ କାର୍ତ୍ତିକ ଏଥର ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି। ୩୨ବର୍ଷୀୟ ଦିନେଶ ପ୍ରତି ମ୍ୟାଚରେ ଭଲ ସ୍କୋର କରି ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇଛନ୍ତି।
ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି। ୩୬ବର୍ଷୀୟ ମାହି ନିଜ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ଏଥିରୁ ପ୍ରମାଣିତ ହେଉଛି ଯେ, ଟି-ଟ୍ଵେଣ୍ଟିରେ ଯୁବ ଖେଳାଳିଙ୍କ ଅପେକ୍ଷା ବରିଷ୍ଠ ଖେଳାଳିମାନଙ୍କ ପ୍ରଦର୍ଶନ ବେଶ୍ ଆଗରେ ରହିଛି।












