ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ। ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଥିଲେ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ। କଟକ ଜିଲ୍ଲା ସାଲେପୁର ପୀଡ଼ିତାଙ୍କୁ ନେଇ ଚାରିଆଡ଼େ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଆଜି ସମ୍ବଲପୁରରେ ଘଟିଛି ଆଉ ଏକ ଲୋମଟାଙ୍କୁରା ଘଟଣା।

୫ ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକ ପାଶବିକ ଅତ୍ୟାଚାର କରିବା ଅଭିଯୋଗ ଆସିବା ପରେ ଉଠୁଛି ପଡ଼ୁଛି ସମ୍ବଲପୁର ସହର। ସାଲେପୁର ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଯାଇ ଥିବାରୁ ତାଙ୍କୁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭେଟିଛନ୍ତି।

ଶିଶୁକନ୍ୟାଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ ଲମ୍ବୁଥିବାରୁ ବିରୋଧ ଦଳର ସଭ୍ୟ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ଏପଟେ ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବିବୃତି ରଖିଛନ୍ତି।

ବିକ୍ରମ କେଶରୀ ଆରୁଖ କହିଛନ୍ତି, “ମହିଳାଙ୍କ ସୁରକ୍ଷା, ନିରାପତ୍ତା ପାଇଁ ସରକାର ସଚେତନ ଅଛନ୍ତି। ଦୁଷ୍କର୍ମ ମାମଲାକୁ ରେଡ ଫ୍ଲାଗ୍ ଅଧିନରେ ଅନ୍ତଭୁକ୍ତ କରାଯାଉଛି। ଏହି ମାମଲା ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଓକିଲଙ୍କୁ ନିଯୁକ୍ତି କରାଯିବ। ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।”

ମନ୍ତ୍ରୀ ଆହୁରି କହିଛନ୍ତି ଯେ ନିକଟରେ ଘଟିଥିବା କଟକର ତିନୋଟି, କେନ୍ଦ୍ରାପଡ଼ାର ଦୁଇଟି ଏବଂ ସୋରୋ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବଲପୁର ଫ୍ୟାମିଲ କୋର୍ଟ ପରିସରରେ ଘଟିଥିବା ଆକ୍ରମଣ ଘଟଣା ଉପରେ ବିବୃତି ରଖି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୋଲିସ ପ୍ରଶାସନକୁ କୁହାଯାଇଛି।

ଏହାକୁ ବିରୋଧୀ ଗ୍ରହଣ କରିପାରି ନାହାନ୍ତି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ରହିଥିବା ବେଳେ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ନାରୀମାନଙ୍କୁ ସରକାର ସୁରକ୍ଷା ଦେଇ ପାରୁ ନଥିବା ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

Comment