ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପୁର ଉପନିର୍ବାଚନରେ ବିଜେପି ହାରିବା ପରେ ଦଳ ଭିତରେ ଏକ ଆତ୍ମବିଶ୍ୱାସର ସଙ୍କଟ ଦେଖାଦେଇଛି। କିନ୍ତୁ ପ୍ରଶ୍ନ ହେଉଛି ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କାହା ସହିତ ଲଢ଼ିବେ? ବିଜେପି ନା ବିଜେଡି?
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ଦଳର କର୍ମୀଙ୍କ ଭିତରେ ଏକ ନୂଆ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି ହୋଇଛି। ଏହାଦ୍ୱାରା ଆଉ ଗୋଟିଏ କଥା ମଧ୍ୟ ହେବାକୁ ଯାଉଛି ଯେ ଆଗରୁ ଯେଉଁଭଳି ନେତାମାନେ ଦଳ ଛାଡି ଚାଲିଯାଉଥିଲେ ଏବେ ତାହା ଆଉ ହେବ ନାହିଁ।
ଆହୁରି ମଧ୍ୟ ଲୋକଙ୍କ ମନରୁ କଂଗ୍ରେସ ଦଳ ଯେଉଁଭଳି ପୋଛି ହୋଇଯାଇଥିଲା, ତାହା ହେବ ନାହିଁ। ନିରଞ୍ଜନଙ୍କ ନେତୃତ୍ୱରେ ୨୦୧୯ ବିଧାନସଭା ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ। ନିରଞ୍ଜନ ଦାୟିତ୍ୱ ନେବାର ଗୋଟିଏ ସପ୍ତାହ ମଧ୍ୟରେ ଦଳ ପ୍ରତି ଭଲ ଭାବନା ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି।
ନିରଞ୍ଜନଙ୍କ ଜଣେ ବଡ଼ ସମର୍ଥକ ତାରା ବାହିନୀପତି ତ ଦାବି କରିଛନ୍ତି ଯେ କଂଗ୍ରେସର ଭୋଟ ଇତି ମଧ୍ୟରେ ୧୦ ପ୍ରତିଶତ ବଢ଼ିସାରିଲାଣି। ହେଲେ ୨୦୧୯ରେ କେତୋଟି ଆସନ ମିଳିବ ତାହାର କୌଣସି ଆକଳନ କଂଗ୍ରେସ ନେତାମାନେ କରିପାରୁନାହାନ୍ତି।
ନିରଞ୍ଜନ ନିଜେ ସ୍ଵୀକାର କରିଛନ୍ତି ଯେ ଓଡ଼ିଶାରେ ଦଳ ଦୁର୍ବଳ ଅବସ୍ଥାରେ ଅଛି। ତାଙ୍କ କହିବା କଥା ହେଲା ଦଳକୁ ପୁନରୁଜ୍ଜୀବିତ କରିବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ। ସେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ କିନ୍ତୁ ଦଳ ଲଢ଼ି କି ହିଁ ରହିବ। ଏକଥାରେ ଆଦୌ ସନ୍ଦେହ ରହିବା ଉଚିତ ନୁହେଁ ଯେ ନିରଞ୍ଜନଙ୍କ ପଛରେ ୯୦ ପ୍ରତିଶତ ନେତା ଓ କର୍ମୀଙ୍କ ସମର୍ଥନ ରହିଛି। ସେ ଜଣେ ଚାଲାକ ମ୍ୟାନେଜର ଯିଏ କି ସବୁ ଗୋଷ୍ଠୀକୁ ଏକାଠି ନେଇ ଚାଲିପାରିବେ ଓ ବିରୋଧୀଙ୍କୁ ମଧ୍ୟ ଟକ୍କର ଦେଇପାରିବେ।
୨୦୧୯ ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିବ ବୋଲି ଯେଉଁ ବାହାସ୍ଫୋଟ ନେତାମାନେ ମାରୁଛନ୍ତି ସେଥିରେ ଅବଶ୍ୟ ବାସ୍ତବତା ନ ଥାଇପାରେ। କିନ୍ତୁ ନିରଞ୍ଜନଙ୍କ ନେତୃତ୍ୱରେ ଦଳର ମହିଳା ଓ ଯୁବକ ମାନେ କଠିନ ପରିଶ୍ରମ କରିବାକୁ ଇଛୁକ। ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ରତିଦିନ ନିରଞ୍ଜନଙ୍କ ପାଖକୁ ଯେଉଁଭଳି ସମର୍ଥଙ୍କ ସୁଅ ଛୁଟୁଛି ସେଥିରୁ ତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାକୁ ମାପି ହେବ। ଏହା ନିଶ୍ଚିତ ଯେ ଦଳକୁ ପୁଣି ଠିଆ କରାଇବା ପାଇଁ ନିରଞ୍ଜନଙ୍କ ପାଖରେ ଉଭୟ ମାନବିକ ଓ ଆର୍ଥିକ ସମ୍ବଳ ରହିଛି।
୭୫ ବର୍ଷୀୟ ନିରଞ୍ଜନ ଆଗରୁ ତିନି ଥର ମନ୍ତ୍ରୀ ରହି ସାରିଛନ୍ତି ଓ ରାଜ୍ୟ ଶାସନ କେମିତି ଚାଲେ ତାଙ୍କୁ ସେ କଥା ବି ଭଲ ଭାବରେ ଜଣା। ନିରଞ୍ଜନ ଏଭଳି ସମୟରେ ଦାୟିତ୍ୱ ନେଇଛନ୍ତି ଯେତେବେଳେ କି ବିଜେପିର ବେଲୁନ ଫାଟିବାକୁ ଆରମ୍ଭ କଲାଣି। ବିଜେପୁର ଉପନିର୍ବାଚନରେ ବିଜେପି ହାରିବା ପରେ ଦଳ ଭିତରେ ଏକ ଆତ୍ମବିଶ୍ୱାସର ସଙ୍କଟ ଦେଖାଦେଇଛି। କିନ୍ତୁ ପ୍ରଶ୍ନ ହେଉଛି ପରିବର୍ତ୍ତିତ ପରିସ୍ଥିତିରେ ନିରଞ୍ଜନ କାହା ସହିତ ଲଢ଼ିବେ? ବିଜେଡି ନା ବିଜେପି?
ଅଠର ବର୍ଷ ଶାସନ ଭିତରେ ଶାସକ ବିଜେଡି ରାଜ୍ୟର କୋଣ ଅନୁକୋଣରେ ତାର ଉପସ୍ଥିତି ଜାହିର କରିପାରିଥିବା ବେଳେ ବିଜେପି ମଧ୍ୟ ତା’ର ଉପସ୍ଥିତିକୁ ନିଶ୍ଚିତ କରିପାରିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଦଳର ସ୍ଥିତି ବେଶ୍ ମଜବୁତ ହୋଇଛି ଯଦିଓ ବିଜେଡିକୁ ଟକ୍କର ଦେବା ସ୍ଥିତିରେ ଦଳ ନାହିଁ।
ନିରଞ୍ଜନ କଂଗ୍ରେସ ମଙ୍ଗ ସମ୍ଭାଳିବା ସହିତ ଆସନ୍ତା କିଛି ମାସ ଭିତରେ ରାଜ୍ୟର ରାଜନୈତିକ ପାଣିପାଗ ବଦଳିବା ନିଶ୍ଚିତ। ଉଭୟ ବିଜେଡି ଓ ବିଜେପିର ନେତାମାନେ ଦାବି କରୁଛନ୍ତି ଯେ ନିରଞ୍ଜନଙ୍କ ପିସିସି ସଭାପତି ହେବା ତାଙ୍କ ଦଳ ପାଇଁ କିଛି ଫରକ ପକାଇବ ନାହିଁ।
ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ ହୁଏତ ଗତ ଥର ତୁଳନାରେ ବିଜେଡିର ଆସନ ସଂଖ୍ୟା କମିବ କିନ୍ତୁ କଂଗ୍ରେସ ଦଳର ସରକାର ଗଠନ ଦାବି ଏକ ବୃଥା ଆସ୍ଫାଳନ ଛଡ଼ା ଆଉ କିଛି ନୁହେଁ। ତେବେ ନୂଆ କଂଗ୍ରେସ ସଭାପତିଙ୍କ ରଣନୀତି କଣ ହେବ ତାହା ଉପରେ ଅନେକ କଥା ନିର୍ଭର କରୁଛି।
୨୦୧୪ ନିର୍ବାଚନରେ ଯଦିଓ କଂଗ୍ରେସ ମାତ୍ର ୧୬ଟି ଆସନ ଜିତିଥିଲା, ୭୪ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀମନେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଣୁ ନିରଞ୍ଜନଙ୍କୁ ଏହି ୭୪ଟି ଆସନ ଉପରେ ନଜର ରଖିବାକୁ ହେବ। ଆଗାମୀ ଦିନରେ ଜଣାପଡିବ ନିରଞ୍ଜନ କେତେ ଦୂର ଦଳକୁ ଠିକଣା ବାଟରେ ନେଉଛନ୍ତି।








ବିଜେପୁର ଉପନିର୍ବାଚନରେ ବିଜେପି ହାରିବା ପରେ ଦଳ ଭିତରେ ଏକ ଆତ୍ମବିଶ୍ୱାସର ସଙ୍କଟ ଦେଖାଦେଇଛି। କିନ୍ତୁ ପ୍ରଶ୍ନ ହେଉଛି ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କାହା ସହିତ ଲଢ଼ିବେ? ବିଜେପି ନା ବିଜେଡି?









