ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ସୁରକ୍ଷା ପାଇଁ ମେ’ ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିବ ବିଜେଡି। ବରଗଡ଼ରୁ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନ ପାରାଦୀପରେ ଶେଷ ହେବ।
ମହାନଦୀର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ଓଡ଼ିଶାର ଜୀବନ ରେଖା ମହାନଦୀକୁ ବଞ୍ଚାଇବା ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି। ମେ ୧୬ ତାରିଖରୁ ବିଜେଡି ମହାନଦୀ ଅବବାହିକା ଜିଲ୍ଲାରେ ଜନଜାଗରଣ ଯାତ୍ରା କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ବିଜେଡିର ଜନଜାଗରଣ ଯାତ୍ରା ବରଗଡ଼ ଏବଂ ଝାରସୁଗୁଡ଼ାରୁ ଆରମ୍ଭ ହୋଇ ପାରଦୀପରେ ଶେଷ ହେବ। ବିଜେଡି ନେତା ଓ କର୍ମୀମାନେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ଲୋକଙ୍କୁ ମହାନଦୀ ସମ୍ପର୍କରେ ସଚେତନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ତାରିଖ ୧୦ଟାରେ ଏହି ଅଭିଯାନକୁ ଶୁଭାରମ୍ଭ କରିବେ।
ଉଭୟ କେନ୍ଦ୍ର ଏବଂ ଛତିଶଗଡ଼ ସରକାର ମହାନଦୀକୁ ନେଇ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି ସେ ସମ୍ପର୍କରେ ଅବଗତ କରିବେ। ପ୍ରାୟ ଦେଢ଼ ହଜାର କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଯିବ।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମହାନଦୀ ପ୍ରତି ଅବିଚାର କରାଯାଉଛି। ଓଡ଼ିଶାର ଜୀବନରେଖା ଶୁଖିଲା ପଡ଼ିଛି। ଚାଷୀ ମୁଣ୍ଡରେ ହାତି ଦେଇ ବସିଛି। ମହାନଦୀରେ ଜଳସ୍ରୋତ କମିଛି। ମହାନଦୀର ସୁରକ୍ଷା ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରିବ। ଲୋକଙ୍କୁ ସଚେତନ କରାଯିବ।”
୨୨ ତାରିଖରେ ବିଜେଡି ପାର୍ଟି ଅଫିସରେ ମହାନଦୀ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମହାନଦୀ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ସମ୍ମିଳନୀରେ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା। ଏଥିରେ ୧୫ଟି ମହାନଦୀ ଜିଲ୍ଲାର ଜନପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ବର୍ଷିଥିଲେ।
ମହାନଦୀ ପ୍ରତି କରାଯାଉଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନବୀନ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ମହାନଦୀ ଆନ୍ଦୋଳନକୁ ଗାଁକୁ ନେବା ପାଇଁ ବିଜେଡି ସଭାପତି ଆହ୍ୱାନ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଧାୟକ ଅତନୁସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।