ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଓଭରବ୍ରିଜ ରେଲିଂ ଭାଙ୍ଗିବାରେ ଇଞ୍ଜିନିୟରମାନଙ୍କୁ ଦାୟୀ କରିଛି ରାଜ୍ୟ ଠିକାଦାର ସଂଘ।

ବମିଖାଲ ଓଭରବ୍ରିଜ ରେଲିଂ ଭାଙ୍ଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣାରେ ପିସି କାରବାରକୁ ଦାୟୀ କରିଛି ରାଜ୍ୟ ଠିକାଦାର ସଂଘ। ପୋଲ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ପିସି କାରବାର ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଠିକାଦାର ସଂଘ ପ୍ରଭାତ କୁମାର ଦାସ କହିଛନ୍ତି। ଏହାସହ ଯନ୍ତ୍ରୀମାନଙ୍କୁ ମଧ୍ୟ ଦାୟୀ କରିଛନ୍ତି ଶ୍ରୀ ଦାସ।

ପ୍ରଭାତ କୁମାର ଦାସ କହିଛନ୍ତି, “ଅଣ ଓଡ଼ିଆ ଠିକାଦାରଙ୍କୁ ପ୍ରଶୟ ଦିଆଯାଉଛି। ବମିଖାଲ ଓଭରବ୍ରିଜ ନିର୍ମାଣରେ ବ୍ୟାପକ ପିସି କାରବାର ହୋଇଛି। ପ୍ରତ୍ୟେକ ଜେଇ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। ୬ ମାସ ତଳେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲେ ବି ପ୍ରଶାସନ ଚେତିଲା ନାହିଁ। ଫଳରେ ଆଉ ଏକ ଦୁର୍ଘଟଣା ଘଟିଲା।”

ଗୁରୁବାର ରାତିରେ ବମିଖାଲ ଓଭରବ୍ରିଜର ଲୁହା ରେଲିଂ କାମ ଚାଲିଥିବା ବେଳେ ଦୁଇଟି ରେଲିଂ ଖସିପଡ଼ିଥିଲା। ରେଲିଂ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ। ଦୁଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅଜୟ ଭୂମିଜ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ଶ୍ରମିକ ଆନନ୍ଦ ନାୟକ ଗୁରୁତର ହୋଇଯାଇଥିଲେ।

ରେଲିଂ ଭାଙ୍ଗିବାର ଦିନକ ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ରାଜ୍ୟ ଠିକାଦାର ସଂଘ ସିଧାସଳଖ ଇଞ୍ଜିନିୟରମାନଙ୍କୁ ଦାୟୀ କରିଛି।

“ଇଞ୍ଜିନିୟରମାନେ ଆଦୌ ବ୍ରିଜ ନିର୍ମାଣସ୍ଥଳକୁ ଆସୁ ନାହାନ୍ତି। କେମିତି କାମ ହେଉଛି ତାର ତଦାରଖ କରୁ ନାହାନ୍ତି। ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ତାହାଲେ ପ୍ରଥମେ ଇଞ୍ଜିନିୟରମାନଙ୍କ ବିରୋଧରେ ନିଆଯାଉ। ପ୍ରତି ବିଲ୍‌ରେ ପିସି ନେଇ ଇଞ୍ଜିନିୟରମାନେ ନିର୍ମାଣସ୍ଥଳକୁ ଆସୁ ନାହାନ୍ତି। ଆମ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି”, କହିଛନ୍ତି ପ୍ରଭାତ ଦାସ।

Comment