ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତେର୍ଚ୍ଛା ବାଣ ମାରିଛନ୍ତି।
ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମହାନଦୀ ପ୍ରସଙ୍ଗକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ମହାନଦୀ ଆଲୋଚନାକୁ ମୋତେ କେବେ ଡକାଯାଇ ନାହିଁ ବୋଲି କହି ବିଜେଡି ଉପରେ ବର୍ଷିଛନ୍ତି ଡାକ୍ତର ରାଉତ।
“ମହାନଦୀ ଆଲୋଚନାକୁ ମୋତେ ଡକାଯାଇନି। ମୋ ଘର ଦେଇ ମହାନଦୀ ଯାଇଥିଲେ ମଧ୍ୟ ମୋର ମତାମତ ଦଳ କେବେ ଲୋଡ଼ିନି। ୧୬ ତାରିଖରୁ ଆରମ୍ଭ ହେଉଥିବା ଆନ୍ଦୋଳନ ସମ୍ପର୍କରେ ମୁଁ ଜାଣିନି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।
ତିନି ଦିନ ତଳେ ମଧ୍ୟ ଡାକ୍ତର ରାଉତ ମହାନଦୀ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେଡିକୁ ସମାଲୋଚନା କରିଥିଲେ।
ଖାଲି ସେତିକି ନୁହେଁ, ମହାନଦୀର ତଳମୁଣ୍ଡରେ ହେବାକୁ ଥିବା ୭ଟି ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଦାମ ସମାଲୋଚନା କରିଛନ୍ତି। ସରକାର ଫାଲତୁ କାମରେ ମାତିଛନ୍ତି ବୋଲି ଦାମ କହିଛନ୍ତି।
ଡାକ୍ତର ରାଉତ କହିଛନ୍ତି ଯେ ମହାନଦୀକୁ ନେଇ ରାଜ୍ୟ ସରକାର ବହୁ ଆଗରୁ ସତର୍କ ହେବାର ଥିଲା। ହୀରାକୁଦ କ୍ୟାଚମେଣ୍ଟ ଏରିଆରେ ୧୪୮୨ ମିଲିମିଟର ବର୍ଷା ହେଉଛି। ସେଥିରୁ ୬୭ରୁ ୭୦ ପ୍ରତିଶତ ପାଣି ସମୁଦ୍ରକୁ ଚାଲି ଯାଉଛି। ଯଦି ସରକାର ତଳମୁଣ୍ଡରେ ପ୍ରକଳ୍ପ ଆଗରୁ ନିର୍ମାଣ କରିଥାନ୍ତେ ତାହାଲେ ଛତିଶଗଡ଼ ଧମକ ଦେଇ ନଥାନ୍ତା।
ହରାକୁଦର ତଳମୁଣ୍ଡରେ ୭ଟି ପ୍ରକଳ୍ପ କରିବାକୁ ସରକାର କେବେ ସର୍ଭେ ଏବଂ ଅଟକଳ କଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି। ପ୍ରସ୍ତାବିତ ୭ଟି ପ୍ରକଳ୍ପକୁ ଦାମ ସ୍ୱାଗତ କରିବା ସହ ସରକାରଙ୍କର ଏଥିରେ ଆନ୍ତରିକତା ରହିବା ଦରକାର ବୋଲି ଦାମ କହିଛନ୍ତି।
ମହାନଦୀକୁ ଅସ୍ତ୍ର କରି ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଆଶା ରଖିଛି। ୧୬ ତାରିଖରୁ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବା ପାଇଁ ଯାଉଛି। ଆନ୍ଦୋଳନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଦାମଙ୍କ ଏଭଳି ମନ୍ତବ୍ୟ ପୁଣି ବିଜେଡି ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି।