ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ
  • ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲା ପୋଲିସ
  • ପୋଲିସର ମାଡ଼ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଲୋକ
  • ପୋଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ
  • ଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ବରଗଡ଼ ସହରରେ ପୋଲିସ ଦେଖାଇଛି ଦାଦାଗିରି। ଗାଡ଼ି ପାର୍କିଂକୁ ନେଇ ଜଣେ ଯୁବକକୁ ପୋଲିସ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିବା ସହ ହାଜତରେ ପୂରାଇ ନିର୍ଧୁମ ଛେଚିଛି। ଫଳରେ ବରଗଡ଼ ସହରରେ ଦେଖାଦେଇଛି ଉତ୍ତେଜନା।

ଶନିବାର ରାତିର ଘଟଣା। ସବୁଦିନ ପରି ଶନିବାର ପୋଲିସ ସହରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଟ୍ରାଫିକ ଜାମ୍ ହୋଇଥିଲା। ରାସ୍ତା କଡ଼ରେ ଲୋକେ ଗାଡ଼ି ରଖିଥିବାରୁ ଲୋକେ ଯାତାୟତରେ ଅସୁବିଧା ଭୋଗୁଥିଲେ। ଫଳରେ ରାସ୍ତାରୁ ଗାଡ଼ି ହଟାଇବା ପାଇଁ ପୋଲିସ ଉଦ୍ୟମ କରିଥିଲା। ଏହି ସମୟରେ ଅମିତ ସାହୁ ନାମକ ଜଣେ ଯୁବକ ଆସି ପୋଲିସକୁ ବିରୋଧ କରିଥିଲେ। ଗାଡ଼ି ପାର୍କିଂ ପାଇଁ ସେ ରସିଦ କାଟିଥିବା ପୋଲିସକୁ ଦେଖାଇଥିଲେ। ହେଲେ ପୋଲିସ କିଛି ଶୁଣି ନଥିଲା। ଗାଡ଼ି ହଟାଇବା ପାଇଁ କହିଥିଲା।

ରାସ୍ତା କଡ଼ରୁ ଗାଡ଼ି ନେଇ ଆମେ କେଉଁଠି ପାର୍କିଂ କରିବୁ ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ ଅମିତ। ହେଲେ ଏଥିରେ ଉତକ୍ଷୀପ୍ତ ହୋଇଯାଇଥିଲେ ପୋଲିସ କର୍ମୀ। ଫଳରେ ଅମିତ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ପରେ ପୋଲିସ କର୍ମଚାରୀ ଅମିତଙ୍କୁ ବିଚ ରାସ୍ତାରେ ନିସ୍ତୁକ ମାଡ଼ ମାରିଥିଲେ। ଏତିକିରେ ମନ ବୁଝି ନଥିଲା ପୋଲିସ ବାବୁଙ୍କର।

ଯୁବକଙ୍କୁ ହାଜତକୁ ନେଇ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଅମିତ ଗୁରୁତର ହୋଇଯାଇଛନ୍ତି। ପିଠି, ହାତରେ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

“ମୁଁ ରସିଦ କାଟି ଗାଡ଼ି ପାର୍କିଂ କରିଥିଲି। ହେଲେ ପୋଲିସ ଗାଡ଼ି ହଟାଇବା ପାଇଁ କହିଲା। ଗାଡ଼ି ଆଉ କେଉଁଠି ପାର୍କିଂ କରିବି ବୋଲି ପ୍ରଶ୍ନ କରିବାରୁ ସେମାନେ ମୋତେ ମାଡ଼ ମାରିଛନ୍ତି। ରାସ୍ତାରେ ପିଟିବା ସହ ହାଜତରେ ମଧ୍ୟ ମୋତେ ନିସ୍ତୁକ ମାଡ଼ ମାରିଛନ୍ତି”, କହିଛନ୍ତି ଅମିତ ସାହୁ।

ପୋଲିସର ଏହି ଅମାନୁଷିକ କାର୍ଯ୍ୟକୁ ବିରୋଧ କରିଛନ୍ତି ବରଗଡ଼ବାସୀ। ଏହି ବର୍ବରତା ବିରୋଧରେ ସହରବାସୀ ରାସ୍ତାରୋକ କରିଥିଲେ। ବିନା କାରଣରେ ଯୁବକଙ୍କୁ ପୋଲିସ କାହିଁକି ମାଡ଼ ମାରିଲା ତାର ଉତ୍ତର ଦେବା ପାଇଁ ଅଡ଼ି ବସିଥିଲେ। ବରଗଡ଼ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଛି।

ବରଗଡ଼ ଓକିଲ ସଂଘ ସମ୍ପାଦକ ଲିପସିତ୍ ମିଶ୍ର କହିଛନ୍ତି, “ଜଣେ ନିରୀହ ଯୁବକଙ୍କୁ ପୋଲିସ ଯେଉଁଭଳି ମାଡ଼ ମାରିଛି ତାହା ନିନ୍ଦନୀୟ। ଯୁବକ ଜଣକ ଯଦି କିଛି ଭୁଲ୍ କରିଥିଲେ ତାହାଲେ ତାଙ୍କୁ ପୋଲିସ ବୁଝାଇଥାନ୍ତେ। କିନ୍ତୁ ତାହା ନକରି ତାଙ୍କ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ପୋଲିସ ଯଦି ଏଭଳି କାର୍ଯ୍ୟ ଜାରି ରଖେ ତାହାଲେ ଆନ୍ଦୋଳନ ଜୋରଦାର ହେବ।”

ପୋଲିସର ଏହି ଅମାନୁଷିକ କାର୍ଯ୍ୟକୁ ପ୍ରତିବାଦ କରି ଲୋକେ ରାଜରାସ୍ତାକୁ ଓହ୍ଲାଇବା ଖବରପାଇ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାସ୍ଥଳକୁ ଆସିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ।

“ବରଗଡ଼ ହେଉଛି ଶାନ୍ତିର ସହର। ଲୋକମାନେ ପ୍ରଥମେ ଶାନ୍ତି ବଜାୟ ରଖନ୍ତୁ। ପୋଲିସ ଯେଉଁ କାମ କରିଛି ତାହା ତଦନ୍ତ କରାଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି”, କହିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ।

Comment