ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନିର୍ଜଳ ଉପବାସ କଲେ କିନ୍ନର
  • ବୟଫ୍ରେଣ୍ଡ ଏବଂ ଗୁରୁଙ୍କ ପାଇଁ ପୂଜାର୍ଚ୍ଚନା
  • ସଧବା ବେଶରେ ଝଟକିଲେ କିନ୍ନର
  • ସେଲ୍‌ଫି ନେଲେ କିନ୍ନର

ସ୍ୱାମୀଙ୍କ ଶୁଭ ମନାସି ସ୍ତ୍ରୀମାନେ ଆଜି ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ କିନ୍ନରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ଭୁବନେଶ୍ୱରର ପଳାଶପଲ୍ଲିସ୍ଥିତ ବଟ ବୃକ୍ଷ ମୂଳରେ ଏବଂ ରାମ ମନ୍ଦିରରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।

ମଙ୍ଗଳବାର ଦିନ ସକାଳେ ପଳାଶପଲ୍ଲିଠାରେ କିନ୍ନର ମୀରା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାବିତ୍ରୀ ଓଷା ପାଳନ କରାଯାଇଛି। ସେହିପରି ରାମ ମନ୍ଦିରରେ କିନ୍ନର  ସୁଇଟି ସାହୁ, ମେନକା ଏବଂ ଲିପ୍ସା ମିଶ୍ରଙ୍କ ତତ୍ତ୍ୱାବଧାନରେ କିନ୍ନରମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।

କିନ୍ନର ମାନେ ନୂଆ ଲୁଗା, ଗହଣା ଏବଂ ଭୋଗ ସାମଗ୍ରୀ ନେଇ ପୂଜା କରିଛନ୍ତି। ବିବାହିତ କିନ୍ନରମାନେ ନିଜ ସ୍ୱାମୀଙ୍କ ପାଇଁ ଓଷା କରିଥିବା ବେଳେ ଅବିବାହିତ କିନ୍ନର ବୟଫ୍ରେଣ୍ଡଙ୍କ ଶୁଭ ମନାସି ଓଷା କରିଛନ୍ତି। ଆଉ କେତେକ କିନ୍ନର ନିଜ ଗୁରୁଙ୍କ ପାଇଁ ବ୍ରତ ରଖିଛନ୍ତି।

“ଆମେ ରାମ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ କରିଛୁ। ସମାଜକୁ ଏକ ନୂଆ ବାର୍ତ୍ତା ଦେବା ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଛୁ। ସାବିତ୍ରୀ ବ୍ରତ ପାଇଁ ଆମେ ନୂଆ ଲୁଗା, ଗହଣା ପିନ୍ଧି ପୂଜା କରିଛୁ। ବୟଫ୍ରେଣ୍ଡ ଏବଂ ଗୁରୁଙ୍କ ଶୁଭ ମନାସିଛୁ”, କହିଛନ୍ତି କିନ୍ନର ସୁଇଟି ସାହୁ।

ସାବିତ୍ରୀ ବ୍ରତ ପାଳନ ଅବସରରେ ପଳାସପଲ୍ଲିଠାରେ ଦୁଇ ଜଣ କିନ୍ନର ବିବାହ କରିଛନ୍ତି। ଶିବାନି ଏବଂ ଗୁରୁବାରି କିନ୍ନରଙ୍କର ବାହାଘର ହୋଇଛି। ବଟ୍ଟ ବୃକ୍ଷ ମୂଳରେ ସାବିତ୍ରୀ ପୂଜା ପରେ ଏହି ବାହାଘର ହୋଇଥିଲା।

ଶିବାନୀ କିନ୍ନର ଜଗା ନାମକ ଜଣେ ଯୁବକକୁ ବିବାହ କରିଥିବା ବେଳେ ଗୁରୁବାରି କିନ୍ନର ଜିତୁ ନାମକ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ବାହାଘର ବେଳେ ସମସ୍ତ କିନ୍ନରମାନେ ଉପସ୍ଥିତ ଥିଲେ।

“ପ୍ରତିବର୍ଷ ପରି ଆମେ ଏବର୍ଷ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛୁ। ପଳାଶପଲ୍ଲି ଲେନ୍-୯ ନମ୍ବରରେ ଥିବା ବଟ୍ଟ ବୃକ୍ଷ ମୂଳରେ କିନ୍ନରମାନେ ଏକାଠି ହୋଇ ପୂଜା କରିଛନ୍ତି। ସାଧାରଣ ମହିଳାମାନେ ଯେଉଁଭଳି ଓଷା କରୁଛନ୍ତି ଆମେମାନେ ମଧ୍ୟ ସେହିପରି ପୂଜା କରୁଛୁ। କିନ୍ନରମାନଙ୍କ ପ୍ରତି ଥିବା ଘୃଣାଭାବକୁ ଦୂର କରିବା ପାଇଁ ଆମେ ଏହା ପାଳନ କରୁଛୁ”, କହିଛନ୍ତି କିନ୍ନର ମୀରା ପରିଡ଼ା।

Comment