ଓଡ଼ିଶାଲାଇଭ୍ ବ୍ୟୁରୋ

  • ୭ଟି ସ୍ଥାନରୁ ବାହାରିଲା ମହିଳା ସୁରକ୍ଷା ଯାତ୍ରା
  • ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ
  • ନାରୀଙ୍କ ଉପରେ ବଢ଼ୁଛି ଅତ୍ୟାଚାର: ପ୍ରଭାତି ପରିଡ଼ା

ରାଜ୍ୟରେ ବଢ଼ୁଛି ନାବାଳିକା ଦୁଷ୍କର୍ମ। ରାଜ୍ୟ ସରକାର ଏହା ରୋକିବାରେ ବିଫଳ। ମହିଳାମାନେ ମଧ୍ୟ ନିଜର ହକ୍ ବିଷୟରେ ଜାଣିପାରୁ ନାହାନ୍ତି।  ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ  ସଚେତନତା କରାଇବା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ବିଜେପି ଆଜିଠୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ କରିଛି।

ରାଜ୍ୟର ୭ଟି ରୁଟରେ ଏହି ଯାତ୍ରା ଆରମ୍ଭ ହୋଇଛି। ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ମହିଳା ସୁରକ୍ଷାଯାତ୍ରା କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରୁ ଆରମ୍ଭ ହୋଇଛି। ମା’ ମଙ୍ଗଳାଙ୍କ ଆର୍ଶୀବାଦ ନେଇ ଶତାଧିକ ମହିଳା ଏହି ଯାତ୍ରା ଆରମ୍ଭ କରିଛନ୍ତି।

“ଓଡିଶାର ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଏହାକୁ ବିରୋଧ କରିବା ସହ ନାରୀ ସୁରକ୍ଷାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ”, କହିଛନ୍ତି ପ୍ରଭାତି ପରିଡ଼ା।

ଓଡିଶାର ୨ କୋଟି ୭୫ ଲକ୍ଷ ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ରାଜ୍ୟର ନାରୀମାନେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଚାଲିବାକୁ ଭୟ କଲେଣି। ସରକାର କେତେଦିନ ଅପରାଧୀମାନଙ୍କୁ ସୁରକ୍ଷା ଦେବେ ବୋଲି ବିଜେପି ପ୍ରଶ୍ନ କରିଛି।

କାକଟପୁର ଏବଂ କୋଣାର୍କରେ ସାଧାରଣ ସଭା ହୋଇଛି। ମହିଳାଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଯାଇଛି। ନିମାପଡ଼ାରୁ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହେବ।

ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିରରୁ ରାଜ୍ୟ ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଛି। କଟକର ମା’ ଚଣ୍ଡୀ ମନ୍ଦିରରୁ ଉପ-ସଭାନେତ୍ରୀ ସୁକେଶୀ ଓରାମ, ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡ଼ର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର ମା’ କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଛି।

ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here