ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇନ ଶିକ୍ଷା ଓ ଆଇନଜୀବୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

“ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ। ଆଇନଜୀବୀ କଲ୍ୟାଣ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯିବ। ଆଇନଜୀବୀଙ୍କ ତାଲିମ୍‌ ଓ ଦକ୍ଷତା ବିକାଶ ପାଇଁ ଆଡ୍‌ଭୋକେଟ୍‌ ଏକାଡେମୀ ପ୍ରତିଷ୍ଠା ହେବ”, ବିଜେଡିର ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡିର ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଆଇନଜୀବୀ ସାମ୍ମୁଖ୍ୟର ସଭ୍ୟମାନେ ଆଇନ୍‌ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ। ତୃଣମୂଳ ସ୍ତରର ଲୋକମାନେ ଯେପରି ଆଇନ ସେବା ପାଇପାରିବେ ସେ ଦିଗ ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି। ଖୁବଶୀଘ୍ର ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ୍‌ ସହାୟକ ନିଯୁକ୍ତ ହେବେ”।

ଆଇନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କ ଦ୍ୱାରା ନୂଆ କୋର୍ଟ ପ୍ରତିଷ୍ଠା ଓ ଭିତ୍ତିଭୂମି ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। “ଅପରାଧିକ, ସାମାଜିକ ଏବଂ ଆର୍ଥିକ ଦିଗ ସହ ଆଜିର ଦିନରେ ରାଜନୈତିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ମାମଲା ପାଇଁ କୋର୍ଟକଚେରୀର ଗୁରୁତ୍ଵ ବଢ଼ିଚାଲିଛି। ଏଥିପାଇଁ ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” କହିଛନ୍ତି ପ୍ରତାପ ଜେନା।

ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ଉପଦେଷ୍ଟା ଅସିମ ଅମିତାଭ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆବାହକ ମିଲନ୍‌ କାନୁନଗୋ, ଜୋନାଲ୍‌ ଆବାହକ ଗୋପାଳ ପାଣିଗ୍ରାହୀ, ପ୍ରବୀର ପଟ୍ଟନାୟକ, ସୌମେନ୍ଦ୍ର ଘୋଷ, ବିଷ୍ଣୁ ପାତ୍ର, ନିରଞ୍ଜନ ପଣ୍ଡା, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ଜିଲ୍ଲା ଆବାହକ ଗଗନ ଚନ୍ଦ୍ର ମେହେର, ପବନ କୁମାର ଶର୍ମା, ଭୀମସେନ ସାହୁ, ରାଜକିଶୋର ଖଟୁଆ, ବସନ୍ତ ମିଶ୍ର, ତାପସ ରାୟଚୌଧୁରୀ, ପ୍ରତାପ ପାତ୍ର, ଦିଲ୍ଲୀପ ମଲ୍ଲିକ, ସୁଷମା ସାହୁ, ବିଶ୍ୱେଶରୀ ମହାନ୍ତି, ଭିକାରୀ ମହାନ୍ତି, ଗୋପାଳ ଚନ୍ଦ୍ର ପାତ୍ର, ବାର୍‌ କାଉନ୍‌ସିଲ୍‌ର ଉପାଧ୍ୟକ୍ଷ ଦେବଦତ୍ତ ମିଶ୍ର ଓ ରାଉରକେଲା ବାର୍‌ ସଭାପତି ସତ୍ୟ ଶର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଅଧିକ ବାର୍‌ ଆସୋସିଏସନ୍‌ର ଆଇନଜୀବୀ, ୮ଟି ଜୋନ୍‌ର ଜୋନାଲ୍‌ ଆବାହକ ଓ ଜିଲ୍ଲା ଆବାହକମାନେ ଯୋଗ ଦେଇଥିଲେ। ଏହି ଅବସରରେ କଂଗ୍ରେସ ଆଇନ ସେଲ୍‌ର ବିଜ୍ଞାନ ମହାପାତ୍ର ଓ ଦେବେନ୍ଦ୍ର ବେହେରା ବିଜେଡିରେ ଯୋଗ ଦେଇଥିଲେ। ରାଜ୍ୟ ସଂଯୋଜକ ଶୁଭ୍ରାଂଶୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comment