ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଆଜି ଦେଶରେ ଏକ ଉଦାହରଣ ପାଲଟିଛି ଓଡ଼ିଶା।

ଆଜିର ଯୁଗରେ ଦକ୍ଷତା କେବଳ ନିଯୁକ୍ତି ବା ଆତ୍ମନିଯୁକ୍ତି ନୁହେଁ, ବରଂ ଜଣେ ମଣିଷର ଜୀବନଧାରଣର ମାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ଜୀବନ ପ୍ରତି ଦୃଷ୍ଟିଭଙ୍ଗୀକୁ ମଧ୍ୟ। ସଂଘର୍ଷକୁ ସଫଳତାରେ ରୂପାନ୍ତରିତ କରିଦେଇପାରେ। ଏହି କଥା ଏବେ ସ୍ପଷ୍ଟ ଦିଶିଯାଉଛି ଓଡ଼ିଶାରେ ବର୍ତ୍ତମାନ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ।

ଆଦିବାସୀ ଝିଅ ମୁନି ଟିଗା। ଘରର ଆର୍ଥିକ ଦୁରବସ୍ଥା ମଧ୍ୟରେ ଦିନେ ଗାଈ ପଲ ଧରି ଚରାଇବାକୁ ଜଙ୍ଗଲକୁ ଯାଉଥିଲେ। ଆଜି ତାଙ୍କ ହାତରେ ଟ୍ରେନର ଷ୍ଟିଅରିଂ। ରେଳବାଇରେ ମିନି ଟିଗା ଲୋକମୋଟିଭ୍ ପାଇଲଟ୍ ଭାବେ ଚାକିରି କରି ଖୁସିରେ ନିଜର ପରିବାର ଚଳାଉଛନ୍ତି।

ଜୟନ୍ତୀ ପାତ୍ର। ସେ ପିଲାଟିଏ ଥିଲା ବେଳେ ବାପା ଚାଲିଯାଇଥିଲେ। ଯୁକ୍ତ ଦୁଇରୁ ଅଧିକ ପାଠ ପଢ଼ିବାର ସୁଯୋଗ ଆସିନଥିଲା ଜୟନ୍ତୀଙ୍କ ଜୀବନରେ। ଆଜି କିନ୍ତୁ ଜୟନ୍ତୀ ନିଜେ ରୋଜଗାର କରି ସମ୍ମାନଜନକ ଜୀବନ ଜିଉଁଛନ୍ତି। ଜଣେ ଟେଲର ହିସାବରେ ତାଙ୍କ ହାତରେ କେତେ ଆଧୁନିକ ବ୍ରାଣ୍ଡର କପଡ଼ା ତିଆରି ହୋଇ ବଜାରକୁ ଯାଉଛି।

ସୁବାସିନୀ। ଆଜି ତାଙ୍କର ପରିଚୟ ପ୍ଲାଷ୍ଟିକ୍ ଟେକ୍ନୋଲୋଜିଷ୍ଟ। ସୁବାସିନୀଙ୍କ ବାପା ଜଣେ ଡ୍ରାଇଭର। ସୁବାସିନୀ ଆଜି ରାଜସ୍ଥାନରେ ପ୍ରତିଷ୍ଠିତ ଏକ ଜାପାନୀ ଅଟୋମୋବାଇଲ୍ ଯନ୍ତ୍ରାଂଶ ତିଆରି କମ୍ପାନିରେ କାମ କରୁଛନ୍ତି। ସିପେଟ୍‌ରୁ ପ୍ଲାଷ୍ଟିକ୍ ଟେକ୍ନୋଲୋଜିରେ ପାଠ ପଢ଼ିଥିଲେ ସୁବାସିନୀ।

ଭକ୍ତ ହରି। ଆଜି ଜଣେ ଉଦୀୟମାନ କ୍ୟାମେରାପର୍ସନ। ଭୁବନେଶ୍ୱର ସ୍ଥିତି ଏକ ଆଇଟିଆଇରେ ମଲ୍ଟିମିଡିଆ ପଢ଼ି ମାତ୍ର ୧ ଲକ୍ଷ ଟଙ୍କାରୁ ତାଙ୍କ ଷ୍ଟିଡିଓ ଆରମ୍ଭ କରିଥିଲେ। ଆଜି ତାଙ୍କ ପାଖରେ ଥିବା କ୍ୟାମେରା ଓ ଅନ୍ୟ ଯନ୍ତ୍ରପାତିର ମୂଲ୍ୟ ପ୍ରାୟ ୧୦ ଲକ୍ଷ। ନିୟମିତ ରୋଜଗାର କରି ସେ ତାଙ୍କ ଜୀବନ ଜୀବିକା ଭଲ ଭାବେ ମେଣ୍ଟେଇପାରୁଛନ୍ତି।

ଏମିତି ଅନେକ ସଫଳ କାହାଣୀ। ଏହି ଯୁବକଯୁବତୀଙ୍କ ମୁହଁରେ ହସ ଭରିଦେଇଛି ଦକ୍ଷତା ବିକାଶ। ଆଇଟିଆଇ କିମ୍ବା ପଲିଟେକ୍ନିକ୍, କୌଣସି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର କିମ୍ବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ନେଇ ନିଜକୁ ନିଯୁକ୍ତିଯୋଗ୍ୟ ବା ସ୍ୱାବଲମ୍ବୀ କରିପାରିଛନ୍ତି ଏହି ନୂଆ ପିଢ଼ି। ସେମାନେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଦିନ ଦୟାଲ ଗ୍ରାମୀଣ କୌଶଲ୍ୟ ଯୋଜନା ଅଧୀନରେ ରାଜ୍ୟରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସୁଫଳ ଆଜି ହଜାର ହଜାର ପରିବାର ପାଇପାରିଛନ୍ତି।

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ। ସ୍କିଲ୍ଡ ଇନ୍ ଓଡ଼ିଶାସ୍ଲୋଗାନ୍ ନେଇ ମୁଣ୍ଡ ଟେକିଥିବା ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି ସୁବ୍ରତ ବାଗ୍ଚୀ। ୨୦୧୮- ୧୯ ସୁଦ୍ଧା ରାଜ୍ୟର ୧୧ ଲକ୍ଷ ଯୁବକଯୁବତୀଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ୍ କରାଯିବା ସହ ସେମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତିର ସୁଯୋଗ ଆଣିଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏ ସୁଚିନ୍ତିତ ଦୁରଦୃଷ୍ଟି, ନିର୍ଦ୍ଧାରିତ କାର୍ଯ୍ୟଖସଡ଼ା, ରାଜ୍ୟରେ ଆଗରୁ ଥିବା ବିଭିନ୍ନ ଶିଳ୍ପ ତାଲିମ୍ କେନ୍ଦ୍ରର ରୂପରେଖରେ ଆଖିଦୃଶିଆ ପରିବର୍ତ୍ତନ, ନୂତନ  ଶିଳ୍ପ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା, ଆଡ୍ଭାନ୍ସଡ ସ୍କିଲ୍ ସେଣ୍ଟର ଯୋଜନା, ଭିନ୍ନକ୍ଷମଙ୍କ ପାଇଁ ଆଇଟିଆଇ ଏବଂ ଶିଳ୍ପ ତାଲିମ୍ ତଥା ଦକ୍ଷତା ବିକାଶ ତାଲିମ କ୍ଷେତ୍ରରେ ଝିଅମାନଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ପଦକ୍ଷେପ ନେଇ ଆଜି ଏହି ଅଭିଯାନ ବେଶ୍ ଲୋକପ୍ରିୟ ହୋଇପାରିଛି।

ରାଜ୍ୟରେ ବର୍ତ୍ତମାନ ଥିବା ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ବା ଆଇଟିଆଇ ମଧ୍ୟରୁ ୪୫ଟି ଅନୁଷ୍ଠାନ ନିଜକୁ ଫାଇଭ୍ ଷ୍ଟାର୍ ରେଟିଂ ସ୍ତରକୁ ନେଇପାରିଛନ୍ତି। ଶିଳ୍ପ ତାଲିମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ତଥା ଶିକ୍ଷାନୁଷ୍ଠାନର ପରିବେଶକୁ ଆକର୍ଷଣୀୟ କରିବା ଦିଗରେ ଆଜି ଆଇଟିଆଇଗୁଡ଼ିକ ଭିତରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆହୁରି ଖୁସିର କଥା ହେଉଛି ଯେ ଦେଶରେ ଥିବା ଶ୍ରେଷ୍ଠ ୨୦ଟି ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୫ଟି ଆଇଟିଆଇ ରହିଛି।

ଆଜି ଓଡ଼ିଶାରେ ବିଭିନ୍ନ ଶିଳ୍ପ ତାଲିମ୍ ପ୍ରତିଷ୍ଠାନରେ କେବଳ ବୈଷୟିକ ବା ଧନ୍ଦାମୂଳକ ଶିକ୍ଷା ଦିଆଯାଉନାହିଁ। ସେଠାରେ ଆଜି ଛାତ୍ରଛାତ୍ରୀମାନେ କମୁ୍ୟନିକେସନ, କମ୍ପ୍ୟୁଟର ଏବଂ ବିଭିନ୍ନ ସବସ୍କିଲ୍ ଶିଖିବାର ସୁଯୋଗ ପାଉଛନ୍ତି। ପିଲାଙ୍କୁ ମିଳିଛି ଏନଆଇଏଫଟିରେ ଡିଜାଇନ୍ କରାଯାଇଥିବା ନୂଆ ୟୁନିଫର୍ମ। ଦକ୍ଷତା ବିକାଶର ମାପଦଣ୍ଡ ସହ ଖେଳକୁଦ ଓ ଅନ୍ୟ ବିଷୟରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏବେ ଓଡ଼ିଶାର ଏହି ଛାତ୍ରଛାତ୍ରୀମାନେ ଏବଂ ତାଲିମଧାରୀମାନେ ବିଶ୍ୱ ସ୍କିଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। କିଛି ଦିନ ତଳେ କଟକ ଓ ଭୁବନେଶ୍ୱରଠାରେ ସ୍କିଲ୍ ଡେଭଲପମେଣ୍ଟକୁ ନେଇ ଯେଉଁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ତାହା ଦେଖିଲେ ମନେ ହେବ ଯେ ଓଡ଼ିଶାରେ ଦକ୍ଷତା ବିକାଶ ଆଜି କିଭଳି ଗାଁରୁ ସହର ପର୍ଯ୍ୟନ୍ତ ଏହି ଯୁବକଯୁବତୀଙ୍କ ମନରେ ପର ଲଗାଇଦେଇଛି। ନବୀନ ସରକାର ଆଜି ଡାକରା ଦେଇଛନ୍ତି ସ୍କିଲ୍ଡ ଇନ୍ ଓଡ଼ିଶା ୱିଲ୍ ଗୋ ଗ୍ଲୋବାଲ୍

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଛି ଏହି କାର୍ଯ୍ୟକ୍ରମ। ଆସନ୍ତୁ ଏକ ନଜର ପକାଇବା ଏ କ୍ଷେତ୍ରରେ ଗତ କିଛି ବର୍ଷରେ ମିଳିଥିବା ବିଶେଷ ଅନୁଭବ ସମ୍ପର୍କରେ:

  • ରାଜ୍ୟର ସମସ୍ତ ୪୯ଟି ଆଇଟିଆଇ ଏନ୍ସିଭିଟି ଦ୍ୱାରା ଅନୁମୋଦିତ।
  • ପ୍ରତିଷ୍ଠା ହୋଇଥିବା ନୂତନ ୨୫ଟି ଆଇଟିଆଇ ମଧ୍ୟରୁ ୧୫ଟି ରହିଛି କେବିକେ ଅଞ୍ଚଳରେ।
  • ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଖୋଲିଛି ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ।
  • ୨୦୧୬-୧୭ ଶିକ୍ଷାବର୍ଷରେ ୧୦,୯୩୪ ଜଣ ଛାତ୍ରଛାତ୍ରୀ ସରକାରୀ ଆଇଟିଆଇରେ ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ତାହା ୧୪, ୮୯୮କୁ ବୃଦ୍ଧି ପାଇଛି।
  • ୨୦୧୬-୧୭ରେ ବିଭିନ୍ନ ସରକାରୀ ଆଇଟିଆଇରେ ମାତ୍ର ୭୮ ଜଣ ଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ଆଖିଦୃଶିଆ ଭାବେ ୧୯୧୬କୁ ବୃଦ୍ଧି ପାଇଛି।
  • ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ହୋଇଥିବା ସ୍କିଲ୍ କାରାଭାନ୍ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୬୦ ହଜାରରୁ ଅଧିକ କିଲୋମିଟର ରାସ୍ତା ଅତିକ୍ରମ କରିଛି।
  • ଆଇଟିଆଇଗୁଡ଼ିକର ଶିକ୍ଷାଦାନ କ୍ଷେତ୍ରରେ ଇଣ୍ଟରନେଟ୍, ଏଜୁକେସନାଲ୍ ଭିଡିଓ, ହ୍ୱାଟସଆପ୍ ଏବଂ ଟୁ୍ୟଟର ଭଳି ଅତ୍ୟାଧୁନିକ କୌଶଳ ଓ ସୋସିଆଲ୍ ମିଡିଆର ପ୍ରୟୋଗ ସହ ଏକ ନୂଆ ଧାରା ସୃଷ୍ଟି କରାଯାଇଛି।
  • ଆଇଟିଆଇରେ ଅଧିକ ସଂଖ୍ୟାରେ ଛାତ୍ରୀମାନଙ୍କ ନାମ ଲେଖା ତଥା ସେମାନଙ୍କୁ ଚାକିରି ସହାୟତା ଯୋଗାଇ ଦେବା ପାଇଁ ରହିଛି ସୁଦକ୍ଷା ଯୋଜନା
  • ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (ସିଟିଟିସି) ସହ ବୁଝାମଣା କରି ବାଲେଶ୍ୱର, ବ୍ରହ୍ମପୁର, କଟକ, ତାଳଚେର ଓ ହୀରାକୁଦ ଆଇଟିଆଇରେ ଛୋଟ ଟୁଲ୍ ରୁମ୍ ବ୍ୟବସ୍ଥା କରାଯାଉଛି। ଫଳରେ ଆଇଟିଆଇ ପିଲାମାନେ ଏହି ନୂଆ ଟେକ୍ନୋଲୋଜି ସହ ପରିଚିତ ହେବେ।
  • ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
  • ଗତ ୪ ବର୍ଷ ମଧ୍ୟରେ ପଲିଟେକ୍ନିକ ନଥିବା ସମସ୍ତ ଜିଲ୍ଲାରେ ନୂତନ ୨୨ଟି ପଲିଟେକ୍ନିକ୍ ପ୍ରତିଷ୍ଠା କରାଯାଇଛି। ରାଜ୍ୟର ସମସ୍ତ ୩୨ଟି ପଲିଟେକ୍ନିକ୍ ଏଆଇସିଟିଇ ଦ୍ୱାରା ଅନୁମୋଦିତ ହୋଇଛି।
  • ଡିପ୍ଲୋମା ସେମିଷ୍ଟାର ପରୀକ୍ଷାଗୁଡ଼ିକରେ ଶୀର୍ଷସ୍ଥାନ ହାସଲ କରୁଥିବା ଛାତ୍ରୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ୬,୦୦୦ ଟଙ୍କାର ମେଧାବୃତ୍ତି ଓ ବୃତ୍ତି ପ୍ରଦାନ କରାଯାଉଛି।

ରାଜ୍ୟରେ ଦକ୍ଷତା ବିକାଶ ଏହି ଧାରା ସ୍ୱଳ୍ପକାଳୀନ ଧନ୍ଦାମୂଳକ ତାଲିମଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା ଓ ତାଲିମ୍ ପର୍ଯ୍ୟନ୍ତ ଏକ ବ୍ୟାପକ ପରିବେଶ ସୃଷ୍ଟି କରିଛି।

ବିଭିନ୍ନ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ମୁଖ୍ୟମନ୍ତ୍ରୀ କର୍ମନିଯୁକ୍ତି ଯୋଜନା। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରୁ ୧୫୦ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଅଧାରୁ ପାଠ ଛାଡ଼ିଥିବା ଯୁବକଯୁବତୀମାନଙ୍କୁ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ଓ ସହଯୋଗ ଯୋଗାଇ ଦେବା ପାଇଁ ୨୦୧୧-୧୨ ମସିହାରୁ ଜାରି ରହିଛି ପ୍ଲେସମେଣ୍ଟ ଲିଙ୍କ୍ଡ୍ ଟ୍ରେନିଂ ପ୍ରୋଗ୍ରାମ୍। ଏହା ସାଙ୍ଗକୁ ଦିନଦୟାଲ ଗ୍ରାମୀଣ କୌଶଲ୍ୟ ଯୋଜନା ମାଧ୍ୟମରେ ଗାଁ ଓ ସହରର ଯୁବକଯୁବତୀଙ୍କୁ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ନିଯୁକ୍ତିକ୍ଷମ କରିବାରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର।

ଓଡ଼ିଶାରୁ ଆମେ ବାଛିଥିବା ନୂତନ ପ୍ରାର୍ଥୀମାନେ ଦେଶର ଶ୍ରେଷ୍ଠ ଟ୍ୟାଲେଣ୍ଟ ବୋଲି କହିଲେ ଭୁଲ୍ ହେବ ନାହିଁ। ବିଶେଷକରି ଟାଟାଷ୍ଟିଲ୍ ଜଣେ କର୍ମଚାରୀ ଭିତରେ ଯେଉଁ ଶିଖିବାର ଇଛା, ପରିବେଶ ସହିତ ନିଜକୁ ଖାପ ଖୁଆଇବାର କ୍ଷମତା ଏବଂ ଟାଟା ପରିବାର ଆଦର୍ଶ ଖୋଜିଥାଏ ସେସବୁ ଲକ୍ଷଣ ସେମାନଙ୍କ ଭିତରେ ରହିଛି। “- ଏକ କଥା କହିଛନ୍ତି ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟିଭି ନରେନ୍ଦ୍ରନ।)

ଗତ ଏକ ବର୍ଷ ମଧ୍ୟରେ ଆମର ଅନୁଭବ ହୋଇଛି ଯେ ଓଡ଼ିଶାରୁ ଆସୁଥିବା ଛାତ୍ରଛାତ୍ରୀ ଏବଂ ତାଲିମଧାରୀମାନଙ୍କ ଭିତରେ ସବୁବେଳେ ନୂଆ କଥା ଶିଖିବାର ଇଛା ଓ କ୍ଷମତା ରହିଛି। ସେମାନେ ବିଭିନ୍ନ କ୍ଷେତ୍ରରେ କାମ କରି ପାରଦର୍ଶିତା ପ୍ରଦର୍ଶନ କରିବାର ବେଶ୍ ଯୋଗ୍ୟତା ରଖୁଛନ୍ତି।’’ – ଏ କଥା କହିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ଭର୍ଗିଜ୍ ଚେରିଅନ୍।

୨୦୧୨ ମସିହାରୁ କାଫେ କଫି ଡେପାଇଁ ଆମେ ଓଡ଼ିଶାରୁ ନିଯୁକ୍ତି କରିଆସୁଛୁ। ଓଡ଼ିଆ ପ୍ରାର୍ଥୀମାନଙ୍କ ମଧ୍ୟରେ ସେବା ମାନସିକତା, ଅଧ୍ୟବସାୟ, ଉଚ୍ଚାଭିଳାସ ଏବଂ ଏକ ସକରାତ୍ମକ ମନୋଭାବ ଆମେ ଦେଖିବାକୁ ପାଉଛୁ।”- ଏହି ମନ୍ତବ୍ୟ ଦେଇଛନ୍ତି କାଫେ କଫି ଡେର ଅଧ୍ୟକ୍ଷ ଭି ଜି ସିଦ୍ଧାର୍ଥ।

 ଉପରେ ଦିଆଯାଇଥିବା ଏହି ତିନୋଟି ମନ୍ତବ୍ୟ ଓଡ଼ିଶାରେ ତିଆରି ହେଉଥିବା ଦକ୍ଷ ମାନବ ସମ୍ବଳ ସମ୍ପର୍କରେ ବର୍ଣ୍ଣନା କରିବା ଲାଗି ଯଥେଷ୍ଟ। ସେଇଥିପାଇଁ ସ୍କିଲ୍ ଇନ୍ ଓଡ଼ିଶା ୱିଲ୍ ଗୋ ଗ୍ଲୋବାଲସ୍ଲୋଗାନ୍ ଆଜି ଓଡ଼ିଶାର ଭୌଗୋଳିକ ପରିସୀମା ଟପି ଦେଶ ଏବଂ ଦେଶ ବାହାରେ ଶୁଣିବାକୁ ମିଳୁଛି।

(‘ପ୍ରମେୟରେ ପ୍ରକାଶିତ ମୂଳ ଲେଖା ଆଧାରରେ)

LEAVE A REPLY

Please enter your comment!
Please enter your name here