ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ଏବଂ ଯୁବ ସଶକ୍ତିକରଣ ବିଷୟରେ ଗୁରୁ୍ତ୍ୱ ଦେଇ ଆସୁଅଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା କ୍ରୀଡ଼ା ଓ ଯୁବ ସେବା କ୍ଷେତ୍ରରେ ହୋଇଥିବା ଉପଲବ୍ଧିମାନ ନିମ୍ନରେ ବର୍ଣ୍ଣିତ।

୧. ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଯୋଜନା ୨୦୧୪-୧୫ଠାରୁ ପ୍ରଣୟନ ହୋଇଆସୁଅଛି ଓ ଏଥିପାଇଁ ବାର୍ଷିକ ବ୍ୟୟ ବରାଦ ଏକ କୋଟି ଟଙ୍କା ଧାର୍ଯ୍ୟ କରାଯାଇଅଛି। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଆୟୋଜନ କରାଯିବା ସହ ରାଜ୍ୟ ସ୍ତରୀୟ ଦଳ ଚୟନ କରାଯାଇ ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣ କରାଇଥାଏ।

୨. ୨୨ତମ ଏସିଆନ୍ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍‌ସ ୨୦୧୭, ଗତ ତା. ୫ରୁ ୯ ଜୁଲାଇ ୨୦୧୭ ମଧ୍ୟରେ ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା। ଏଥିରେ ୪୨ଟି ଦେଶର ଅନ୍ୟୁନ୍ୟ ୧,୦୦୦ ଖେଳାଳୀ ଏବଂ ଆୟୋଜନକାରୀ ଭାଗ ନେଇଥିଲେ। ଏଥିରେ ୯୦ ଦିନର ସୀମିତ ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌କୁ ଆନ୍ତର୍ଜାତୀୟ ମାନର ଖେଳର ଆୟୋଜନ ନିମନ୍ତେ ପ୍ରସ୍ତୁତ କରାଯାଇପାରିଥିଲା, ଯେଉଁଥିରେ ୨ଟି ସିନ୍ଥେଟିକ୍‌ ଟ୍ରାକ୍‌ ସହ ୩ ଲକ୍ଷ ବର୍ଗଫୁଟର ଘାସ ଟର୍ଫ ଏବଂ ଅତ୍ୟାଧୁନିକ ଉଚ୍ଚ ଆଲୋକୀକରଣର ବ୍ୟବସ୍ଥା କରାଯାଇପାରିଥିଲା।

୨୨ତମ ଏସିଆନ୍ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍‌ସ ନିମନ୍ତେ ଆନୁସଙ୍ଗିକ ପ୍ରସ୍ତୁତି ଅତି ବିଶାଳ ଓ ଉଚ୍ଚମାନର କରାଯାଇପାରିଥିଲା। ଏଥିରେ ୧୯ ଗୋଟି ହୋଟେଲର ୧,୦୮୦ ପ୍ରକୋଷ୍ଠ, ୭୨ ଗୋଟି ବସ୍, ୧୧୫ଗୋଟି କାର୍, ୮୩୫ ଜଣ ସ୍ବେଚ୍ଛାସେବୀଙ୍କ ସହ ୨,୦୦୦ରୁ ଅଧିକ ପୋଲିସ ବାହିନୀ ଏବଂ ୩୫୦ରୁ ଅଧିକ ସରକାରୀ ପଦାଧିକାରୀ ନିୟୋଜିତ ହୋଇଥିଲେ।

୩. ରାଜ୍ୟ ସରକାରଙ୍କର ସକ୍ରିୟ ସହଯୋଗରେ ଅନେକ ଆନ୍ତର୍ଜାତିକ କ୍ରୀଡ଼ା ରାଜ୍ୟରେ ଆୟୋଜନ କରାଯାଇପାରିଅଛି। ଓଡ଼ିଶା ପୁରୁଷ ହକି ୱାର୍ଲଡ ଲିଗ୍‌ ଫାଇନାଲ୍‌, ଆଇ.ଟି.ଏଫ୍ ଟେନିସ୍, ଇଣ୍ଡିଆନ୍ ସୁପରଲିଗ୍ ଫୁଟବଲ୍‌ ଇତ୍ୟାଦି ଏହାର ଦୃଷ୍ଟାନ୍ତ। ରାଜ୍ୟ ସରକାର ଜାତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଗାମୀ ୫ ବର୍ଷ ନିମନ୍ତେ ପ୍ରାୟୋଜିତ କରିବା ନିମନ୍ତେ ଭାରତୀୟ ହକି ସଂଘ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

୪. ଜନଜାତି ଯୁବଗୋଷ୍ଠୀ ମଧ୍ୟରେ କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ନିମନ୍ତେ ରାଜ୍ୟ ସରକାର ୨୦୧୭ ମସିହାରୁ ଜନଜାତି କ୍ରୀଡ଼ାର ଆୟୋଜନ କରିଅଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ପ୍ରକାରର କ୍ରୀଡ଼ା ଆୟୋଜନ କରିଅଛି। ୨୦୧୭ ଡିସେମ୍ବରରୁ ୨୦୧୮ ଜାନୁଆରୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜନଜାତି କ୍ରୀଡ଼ାରେ ଅନ୍ୟୁନ୍ୟ ୧.୩୧ ଲକ୍ଷ ଜନଜାତି ଯୁବକଯୁବତୀ ଭାଗ ନେଇଥିଲେ।

୫. “ବିଜୁ ଯୁବ ସଶକ୍ତିକରଣ ଯୋଜନା” ଅଧୀନରେ ଏକ ନୂତନ ଉପ-ଯୋଜନା “ବିଜୁ ଯୁବବାହିନୀ” କାର୍ଯ୍ୟକ୍ରମ ପରିଚାଳନା କରାଯାଉଅଛି, ଯେଉଁଥିରେ ଯୁବଗୋଷ୍ଠୀ ମଧ୍ୟରେ ନେତୃତ୍ୱ, ସ୍ୱେଚ୍ଛାସେବୀପଣ, କ୍ରୀଡ଼ା ଓ ଖେଳୁଆଡ଼ ମୋନୋବୃତ୍ତି ସହ ସୁସ୍ଥ ଜୀବନ ଯାପନ ଶୈଳୀର ବିକାଶ ଇତ୍ୟାଦି ଲକ୍ଷ୍ୟଗୁଡ଼ିକ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୬,୮୦୦ ପଞ୍ଚାୟତ ଏବଂ ୧୧୩ ସହରାଞ୍ଚଳ (ULB)ରେ ଥିବା ଯୁବଗୋଷ୍ଠୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ରାଜ୍ୟରେ ଅନ୍ୟୁନ୍ୟ ୮,୦୦୦ ବିଜୁ ଯୁବବାହିନୀ ଗଠନ କରାଯାଇ ୪ ଲକ୍ଷ ଯୁବକଯୁବତୀଙ୍କୁ ଏଥିରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଅଛି। ଆସନ୍ତା ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୪୫୦୪୯.୦୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଅଛି।

୬. ରାଜ୍ୟ ସରକାର ୨୦୧୭-୧୮ ବର୍ଷଠାରୁ ଅନ୍ତର୍ଜାତିୟ କ୍ରୀଡ଼ାରେ ଭାଗ ନେବା ନିମନ୍ତେ ଆର୍ଥିକ ସହାୟତା, ଉଚ୍ଚତର ତାଲିମ୍ ଓ ପ୍ରଶିକ୍ଷଣ ନିମନ୍ତେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୧୮ ଜଣ କ୍ରୀଡ଼ାବିତ୍‌ଙ୍କୁ ୮୧.୭୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଅଛି।

୭. ରାଜ୍ୟରେ କ୍ରୀଡ଼ାର ଉତ୍କର୍ଷତା ନିମନ୍ତେ ରାଜ୍ୟ ସରକାର କ୍ରୀଡ଼ା ଏକାଡେମୀମାନ ପ୍ରତିଷ୍ଠା କରିଛନ୍ତି। SAI ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆଞ୍ଚଳିକ ବ୍ୟାଡ୍‌ମିଣ୍ଟନ ଏକାଡେମୀ, ପ୍ରତିଷ୍ଠା କରାଯାଇଅଛି। ଗୋପାଳପୁରଠାରେ ଭାରୋତ୍ତଳନ ଏକାଡେମୀ ଏବଂ ସୁନ୍ଦରଗଡ଼ ଠାରେ ତିରନ୍ଦାଜୀ ଏକାଡେମୀ ପ୍ରତିଷ୍ଠା କରାଯାଇଅଛି। ରାଜ୍ୟରେ ଏକ ଉତ୍କର୍ଷ ଖେଳକୁଦ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖେଳକୁଦ ସଂଘ ସହ ସରକାର ଚୁକ୍ତି କରିଛନ୍ତି।

ବର୍ଷ: ୨୦୧୪-୧୫ରୁ ୨୦୧୬-୧୭

ଉପଲବ୍ଧିମାନ

୧. ରାଜ୍ୟ ସରକାର ଅନେକ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରିଥିଲେ। ୨୦୧୪ (୬ରୁ ୧୪ ଡିସେମ୍ବର) ୮ ଗୋଟି ଦେଶକୁ ନେଇ FIH ଚମ୍ପିଆନ୍ସ ଟ୍ରଫି, ୩ରୁ ୯ ମେ ୨୦୧୫ ମଧ୍ୟରେ ଭାରତ-ଜାପାନ ହକି ଶୃଙ୍ଖଳା ତଥା ୨୦୧୭ ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ୩୭ତମ ସବ୍-ଜୁନିୟର ତିରନ୍ଦାଜୀ ଚାମ୍ପିଆନସିପ୍ ଆୟୋଜନ କରାଯାଇଥିଲା।

୨. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା କଟକ କାଠଯୋଡ଼ିଠାରେ ଏକ ଚିତାକର୍ଷକ Air-Showର ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ବିଭାଗର ବାୟୁସେନା ଦ୍ୱାରା ଆୟୋଜିତ ‘ସୂର୍ଯ୍ୟକିରଣ୍’ ସରାଙ୍ଗ ଓ ଆକାଶ ଗଙ୍ଗା’ ଦୁଃସାହସିକ ବିମାନ ଉଡାଣ କୌଶଳ ୧୬ ହିସେମ୍ବର ୨୦୧୬ରେ ଅନୁଷ୍ଠିତ ହୋଇଥିଲା ଯାହାକି ୫ ଲକ୍ଷରୁ ଅଧିକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆହୁରି ମଧ୍ୟ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ୨୦୧୬ ବର୍ଷରେ ଏକ ରାଜ୍ୟ ସ୍ତରୀୟ ସାଇକେଲ୍ ରାଲିର ଆୟୋଜନ କରାଯାଇଥିଲା।

୩. କୃତି କ୍ରୀଡ଼ାବିତମାନଙ୍କୁ ଓଡ଼ିଶା ପୋଲିସ୍ ଏବଂ ରାଜ୍ୟ ସରକାରୀ ଅନୁଷ୍ଠାନ/ସରକାରୀ ଉଦ୍ୟୋଗ ମାନଙ୍କରେ ନିଯୁକ୍ତି

କୃତି କ୍ରୀଡ଼ାବିତମାନଙ୍କୁ ରାଷ୍ଟ୍ରୀୟ ଓ ଆନ୍ତଃରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସଫଳତା ମାନଦଣ୍ଡକୁ ଆଧାର କରି ଓଡ଼ିଶା ପୋଲିସର “ଗ୍ରୁପ୍-ଏ”, “ଗ୍ରୁପ୍-ବି” ଓ “ଗ୍ରୁପ୍-ସି” ସ୍ତରରେ ସିଧାସଳଖ ନିଯୁକ୍ତି ଦିଆଯାଇଥାଏ। ଅଦ୍ୟାବଧି ୬୦ ଜଣ କୃତି କ୍ରୀଡାବିତ୍‌ଙ୍କୁ ଓଡ଼ିଶା ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି। ୨୦୧୦ ମସିହାରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଆନ୍ତର୍ଜାତିକ ଭାରୋତ୍ତଳକ ଶ୍ରୀ କେ. ରବି କୁମାରଙ୍କୁ ସିଧାସଳଖ ଡି.ଏସ୍.ପି ପାହ୍ୟାରେ ଅବସ୍ଥାପିତ କରାଯାଇଅଛି। ୨୦୧୬ ବର୍ଷରେ ରାଜ୍ୟର ୨ ଜଣ କୃତି ପ୍ରତିଯୋଗୀ ସୁଶ୍ରୀ ଶ୍ରାବଣୀ ନନ୍ଦ ଓ ସୁଶ୍ରୀ ଦୁତୀ ଚାନ୍ଦଙ୍କୁ ଯଥାକ୍ରମେ OHPC ଏବଂ OMCରେ ନିଯୁକ୍ତି ଦିଆଯାଇଅଛି।

୪. କୃତି କ୍ରୀଡ଼ାବିତ୍‌ଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ପୁରସ୍କାର ବ୍ୟବସ୍ଥା

ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ (ବ୍ୟକ୍ତିଗତ ଖେଳ କ୍ଷେତ୍ର ପାଇଁ) ଆର୍ଥିକ ପ୍ରୋତ୍ସାହନ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଅଛି ତଥା ଦଳଗତ ଖେଳ ବର୍ଗରେ ଏହାର ୫୦ ପ୍ରତିଶତ ଦିଆଯାଉଅଛି। ଗତ ୪ ବର୍ଷ ମଧ୍ୟରେ ମୋଟ ୧,୧୧୬ ଜଣ କ୍ରୀଡ଼ାବିତଙ୍କୁ ମୋଟ ୮,୮୩ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଅଛି।

୫. କ୍ରୀଡ଼ା ସଂଘମାନଙ୍କୁ ସହାୟତା

କ୍ରୀଡ଼ା ସଂଘମାନଙ୍କୁ ଅନୁଦାନ ପାଇଁ ବାର୍ଷିକ ବ୍ୟୟ ବରାଦ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଅଛି। ଏହି ଅନୁଦାନ ସଂଘର ସାଧାରଣ କାର୍ଯ୍ୟ, କ୍ରୀଡ଼ା ସାମଗ୍ରୀ କ୍ରୟ ଓ ଏବଂ ରାଷ୍ଟ୍ରୀୟ ଓ ଆନ୍ତଃରାଷ୍ଟ୍ରୀୟ ସ୍ତରୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣ ନିମନ୍ତେ ଦିଆଯାଇଥାଏ। ଗତ ୪ ବର୍ଷ ମଧ୍ୟରେ ଏଥି ନିମନ୍ତେ ମୋଟ ୨.୧୭ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଅଛି।

୬. ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରାଯାଇଅଛି। ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାଠାରେ ସନ୍ତରଣାଗାର ପ୍ରତିଷ୍ଠା କରିବା ସହ କଳିଙ୍ଗ ଆନ୍ତର୍ଜାତୀୟ କ୍ରୀଡ଼ା ସହର ଏବଂ ମୁଖ୍ୟ ସହରମାନଙ୍କରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‌ମାନ ତଥା ସମନ୍ୱିତ କ୍ରୀଡ଼ା ପ୍ରାଙ୍ଗଣମାନ ପ୍ରତିଷ୍ଠା କରାଯାଉଅଛି। ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ନୂତନ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା ଏବଂ ପୁର୍ନଗଠନ ନିମନ୍ତେ ମୋଟ ୧୮୫.୦୭ କୋଟି ଟଙ୍କାର ଆର୍ଥିକ ମଞ୍ଜୁରି ଦିଆଯାଇଅଛି।

୭. ବ୍ଲକ୍ ଓ ସହରାଞ୍ଚଳରେ କ୍ଷୁଦ୍ର-କ୍ରୀଡ଼ାଙ୍ଗନ (Mini Stadium) ଯୋଜନା ୨୦୧୩-୧୪ରୁ ପରିଚାଳିତ ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ଲକ୍ ଓ ସହରାଞ୍ଚଳ ପୌରପରିଷଦ (ULBs) ମାନଙ୍କରେ ୨୫ ଲକ୍ଷ ଟଙ୍କା ବ୍ୟୟରେ କ୍ଷୁଦ୍ର କ୍ରୀଡ଼ାଙ୍ଗନ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ୨୦ ଲକ୍ଷ ରାଜ୍ୟ ସରକାର ଏବଂ ୫ ଲକ୍ଷ MP/MLA LAD ମାଧ୍ୟମରେ ବିନିଯୋଗ ହୋଇଥାଏ। ୨୦୧୭-୧୮ ମସିହା ସୁଦ୍ଧା ସମସ୍ତ ୩୧୪ ବ୍ଲକ୍ ଏବଂ ୧୧୩ ସହରାଞ୍ଚଳ ପୌରପରିଷଦ (ULBs) ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅଦ୍ୟାବଧି ୪୬୨ଟି ପ୍ରକଳ୍ପ ନିମନ୍ତେ ୯୨.୪୦ କୋଟି ଟଙ୍କା ମଞ୍ଜୁରି କରାଯାଇଅଛି।

୮. ୨୦୧୮ ବର୍ଷରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ ନିମନ୍ତେ ସ୍ଥିରୀକୃତ ହୋଇଅଛି। ଆସନ୍ତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ମଧ୍ୟରେ ୧୬ ଗୋଟି ଦେଶକୁ ନେଇ ଓଡ଼ିଶା ପୁରୁଷ ବିଶ୍ୱକପ୍ ହକି, ୨୦୧୮ର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଯାଉଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୧୮ରେ ଜାତୀୟ ସିନିୟର ଆଥ୍‌ଲେଟିକ୍ସ ଚମ୍ପିଆନସିପ୍‌ ଏବଂ ଅକ୍ଟୋବର ମାସରେ ୧୮ ବର୍ଷରୁ କମ୍ ଏସୀୟ ମହିଳା ରଗ୍‌ବି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି।

୯. ରାଜ୍ୟ ସରକାରଙ୍କ ଆହୁରି ମଧ୍ୟ ଅନେକ ଉପଲବ୍ଧି ରହିଛନ୍ତି। ଆଦ୍ୟାବଧି SAI ଏବଂ ଦୁଃସାହସିକ କ୍ରୀଡ଼ା ସଂସ୍ଥାନଠାରେ ୧୩୬ ଜଣ ଶିକ୍ଷାର୍ଥୀଙ୍କ ନିମନ୍ତେ ୨୫.୫୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଅଛି। ୧୭୯ ଜଣ ଦୁଃସ୍ଥ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ମାସକୁ ୩,୦୦୦ ଟଙ୍କା ଲେଖାଏଁ ପେନ୍‌ସନ୍‌ ରାଶି ଦେବାର ବ୍ୟବସ୍ଥା କରାଯାଇଅଛି। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅନ୍ୟୁନ୍ୟ ୫,୦୦୦ ଯୁବକଯୁବତୀଙ୍କ ନିମନ୍ତେ ଦୁଃସାହସିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଟାଟା ଷ୍ଟିଲ୍ ଆଡ୍‌ଭେଞ୍ଚର୍‌ ଫାଉଣ୍ଡେସନ୍‌ର ବୈଷୟିକ ସହାୟତାରେ ପ୍ରତିବର୍ଷ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ କରାଯାଇଥାଏ।

Comment