ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା’ ଉପରେ ସମସ୍ତଙ୍କ ନଜର।
ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। କଟକର ବାଲିଯାତ୍ରା ପଡ଼ିଆରେ ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ବିଜେପି ନେତାମାନେ ଉତ୍ସାହିତ ହୋଇ ଯାଇଛନ୍ତି। ମୋଦିଙ୍କ ସଭାକୁ ସଫଳ କରିବା ପାଇଁ ବିଜେପି ପାରୁ ପାର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ହେଲେ ମୋଦି ଏହି ସଭାରେ କ’ଣ କହିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦି ଓଡ଼ିଶାକୁ ଆସୁଛନ୍ତି। ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଉଷୁମ ରହିଥିବା ବେଳେ ମୋଦି କଟକର ମହାନଦୀ ପଠାରେ ସଭା କରିବେ। ତେବେ ମୋଦି ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପି ପକ୍ଷରୁ କୁହାଯାଇଛି ଯେ ମେ ୨୬ ତାରିଖରେ କେନ୍ଦ୍ର ସରକାରଙ୍କୁ ଚାରି ବର୍ଷ ପୂରୁଛି। ଚାରି ବର୍ଷ ଭିତରେ କେନ୍ଦ୍ର ସରକାର ଯେଉଁସବୁ ଜନକଲ୍ୟାଣ ଯୋଜନା କରିଛନ୍ତି ସେ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଅବଗତ କରିବା ପାଇଁ ମୋଦି ଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଛଡ଼ା ମୋଦି ଆଉ କିଛି କହିବେ ନାହିଁ। ହେଲେ ଓଡ଼ିଶାର ବୁଦ୍ଧିଜୀବୀ, ବିଭିନ୍ନ ରାଜନୀତିକ ଦଳ, ସାମାଜିକ କର୍ମୀ ଏଥିରେ ଏକମତ ହୋଇପାରୁ ନାହାନ୍ତି। ମହାନଦୀ କୂଳରେ ମୋଦି ସଭା କରୁଥିବାରୁ ବିପଦରେ ପଡ଼ିଥିବା ମହାନଦୀ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ କିଛି ଶୁଣିବା ପାଇଁ ସେମାନେ ଆଶା ରଖିଛନ୍ତି।
ମୋଦିଙ୍କ କଟକ ଗସ୍ତ ପୂର୍ବରୁ ମହାନଦୀକୁ ବଡ଼ ପ୍ରସଙ୍ଗ କରିଛି ଶାସକ ବିଜେଡି। ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ ଗେଟ୍ ବନ୍ଦ କରିଥିବାରୁ ଓଡ଼ିଶାର ଜୀବନରେଖା ଶୁଖିଲା ପଡ଼ିଛି। ଏହି ପ୍ରସଙ୍ଗକୁ ହିଁ ବିଜେଡି ଅସ୍ତ୍ର କରିଛି। ଝାରସୁଗୁଡ଼ାର ସୁଖାସୋଡ଼ା ଏବଂ ବରଗଡ଼ର ଚିଖିଲିରୁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରି ବିପୁଳ ଜନ ସମର୍ଥନ ହାସଲ କରିଛି।
ମହାନଦୀ ସୁରକ୍ଷା ଅଭିଯାନ ୧୫ଟି ଜିଲ୍ଲା ପରିକ୍ରମା କରି ପାରାଦୀପରେ ପହଞ୍ଚିଛି। ସବୁଠୁ ବଡ଼ କଥା ହେଉଛି ମୋଦିଙ୍କ କଟକ କାର୍ଯ୍ୟକ୍ରମ ପୂର୍ବଦିନ ହିଁ ମହାନଦୀ ସୁରକ୍ଷା ଅଭିଯାନ ପାରାଦୀପରେ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାନଦୀ ଲଢ଼େଇକୁ ସମାଜିକ ଆନ୍ଦୋଳନ ସହ ଯୋଡ଼ିଛନ୍ତି। ଏହା ବିଜେଡିର ନୁହେଁ, ଓଡ଼ିଶାବାସୀଙ୍କର ଲଢ଼େଇ କହି ମହାନଦୀ ମହାସଂଗ୍ରାମରେ ସାଧାରଣ ଲୋକଙ୍କୁ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି।
ମହାନଦୀ ଆନ୍ଦୋଳନ ଶେଷ ହେବାର ଠିକ୍ ଦିନକ ପରେ ମୋଦି କଟକ ଆସୁଥିବାରୁ ମହାନଦୀ ପ୍ରସଙ୍ଗରେ କିଛି କହିବେ ନା ଏହାକୁ ବାଏଁ ବାଏଁ ଉଡ଼େଇ ଦେବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।
ମୋଦି ଆସିବା ପୂର୍ବରୁ କଂଗ୍ରେସ ମଧ୍ୟ ମହାନଦୀ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପିକୁ ବାଣ ମାରିଛି। ମୋଦି କଟକ ଆସିବା ପୂର୍ବରୁ କଲ୍ମା ବ୍ୟାରେଜ ଗେଟ୍ ଖୋଲିକି ଆସନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମଧ୍ୟ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ମୋଦି ବାଲିଯାତ୍ରା ପଡ଼ିଆରେ ସଭା କରିବା ବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଯୋବ୍ରା ବ୍ୟାରେଜ ନିକଟରେ ଜଳସତ୍ୟାଗ୍ରହ କରିବା ପାଇଁ ଘୋଷଣା କରାଯାଇଛି।
ମହାନଦୀକୁ ନେଇ ଓଡ଼ିଶାରେ ଗରମ୍ ହାୱା ବହୁଛି। ରାଜ୍ୟ ରାଜନୀତି ସରଗରମ୍ ହୋଇଛି। ବିଜେଡି, କଂଗ୍ରେସ ସମେତ ଅନ୍ୟ ରାଜନୀତିକ ଦଳ କେନ୍ଦ୍ର ଏବଂ ଛତିଶଗଡ଼ର ବିଜେପି ସରକାରକୁ ଟାର୍ଗେଟ କରି ଆସୁଛନ୍ତି। ଯଦି ମୋଦି ମହାନଦୀ ପ୍ରସଙ୍ଗରେ ମୁହଁ ନଖୋଲନ୍ତି ତାହାଲେ ତାଙ୍କୁ ଏବଂ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ବିଜେଡି ଏବଂ କଂଗ୍ରେସ ମହାନଦୀ ପ୍ରସଙ୍ଗରେ ଯେତେବେଳେ ବି ବିଜେପିକୁ ଟାର୍ଗେଟ କରିଛନ୍ତି ସେତେବେଳେ ବିଜେପି ନେତାମାନେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନାହାନ୍ତି। ଓଲଟି ବିଜେଡି ଏବଂ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରୁଛନ୍ତି।
ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ କଂଗ୍ରେସ କହୁଛି ମୋଦି କଲ୍ମା ବ୍ୟାରେଜ ଗେଟ ବନ୍ଦ କରି ଓଡ଼ିଶା ଆସନ୍ତୁ। ହେଲେ ଧର୍ମେନ୍ଦ୍ର କଲ୍ମା ବ୍ୟାରେଜ ଗେଟ ବନ୍ଦ ସମ୍ପର୍କରେ ଉତ୍ତର ନଦେଇ କଂଗ୍ରେସ ଉପରେ ବର୍ଷିଥିଲେ।
ମହାନଦୀ ୨୦୧୯ ପୂର୍ବରୁ ରାଜନୀତିକ ଅସ୍ତ୍ର ପାଲଟିଛି। ଏହାକୁ ନେଇ ବିଜେଡି ୨୦୧୯ ନିର୍ବାଚନ ଲଢ଼ିବାକୁ ସଜ ହେଉଛି। ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର ଓଡ଼ିଶା ଦେଇ ଯାଇଥିବା ମହାନଦୀକୁ ଶୁଖାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ବିଜେଡି ଗାଁ ଗାଁରେ କହିଛି। ଏଣୁ ମୋଦି ମହାନଦୀ ପ୍ରସଙ୍ଗରେ କ’ଣ କହିବେ ତାକୁ ହିଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ବିଜେପି ନେତାମାନେ ବି ତାଙ୍କ ଦଳର ନେତାଙ୍କୁ ଅପେକ୍ଷା କରିଛନ୍ତି। କାରଣ ମହାନଦୀ ପାଇଁ ଓଡ଼ିଶାରେ ବିଜେପି ଅଡ଼ୁଆ ପରିସ୍ଥିତିର ସମ୍ମୁଖିନ ହେଉଛି। ମହାନଦୀ ଶୁଖିବା ପଛରେ ବିଜେପିର ହାତ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଜେପି ଏହାର ଜବାବ ଦେଇପାରୁ ନାହିଁ। ମାଟି ନା ପାର୍ଟି କାହାର ହେବ ତାକୁ ନେଇ ବିଜେପି ଚିନ୍ତାରେ ପଡ଼ିଛି। ଏଣୁ ମୋଦି କଟକ ସଭାରେ ମହାନଦୀ ସମ୍ପର୍କରେ କ’ଣ କହିବେ ତାକୁ ବିଜେପି ନେତା ବି ଅପେକ୍ଷା କରିଛନ୍ତି।
ଆଗକୁ ଆସୁଛି ୨୦୧୯ ନିର୍ବାଚନ। ନିର୍ବାଚନ ପୂର୍ବରୁ ମୋଦିଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ବହୁ ମୂଲ୍ୟବାନ ମନେକରାଯାଉଛି। ବିଜେପୁର ଉପ-ନିର୍ବାଚନରେ ପରାଜିତ ହେବା ପରେ ବିଜେପି ନେତାମାନେ ନିରୁତ୍ସାହିତ ହୋଇଯାଇଛନ୍ତି। ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପି ଶିବିର ଯେପରି ଚଳଚଞ୍ଚଳ ହୋଇ ଉଠିଥିଲା ତାହା ବର୍ତ୍ତମାନ ନାହିଁ। ମୋଦିଙ୍କ ଗସ୍ତ ପରେ ବିଜେପି ନେତାମାନେ ପୁଣି ଉତ୍ସାହିତ ହେବେ ବୋଲି କୁହାଯାଉଛି। ତେବେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ମୋଦି ମହାନଦୀ ପଠାରେ କେଉଁ ମନ୍ତ୍ର ଦେଉଛନ୍ତି ତାକୁ ହିଁ ଅପେକ୍ଷା।








କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା’ ଉପରେ ସମସ୍ତଙ୍କ ନଜର।









