ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ମେଣ୍ଟକୁ ନା କହିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମଦୂରତ୍ୱ ପ୍ରସଙ୍ଗକୁ ପୁଣି ଦୋହରାଇଲେ ନବୀନ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀ ଦଳ ଏକାଠି ହୋଇଛନ୍ତି। ବିଜେପିକୁ ଦୂରେଇ ରଖିବା ପାଇଁ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିରୋଧୀଙ୍କ ଏକତାକୁ ଦେଖି ୨୦୧୯ରେ କଂଗ୍ରେସ ବିଭିନ୍ନ ଆଞ୍ଚଳିକ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଓଡ଼ିଶାରେ ମଧ୍ୟ ହେଉଛି।

ବିଜେପି ଦୂରେଇ ରଖିବା ପାଇଁ କଂଗ୍ରେସ-ବିଜେଡି ହାତ ମିଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ବିଜେଡି ୨୦୧୯ରେ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତ୍ୱ ରଖିବ ବୋଲି ନବୀନ କହିଛନ୍ତି।

“ଆମେ କଂଗ୍ରେସ-ବିଜେପିଠାରୁ ସମଦୂରତ୍ୱ ରଖି ଆସୁଛୁ। ଆଗକୁ ମଧ୍ୟ ରଖିବୁ। ୨୦୧୯ରେ ଆମେ କାହା ସହ ମେଣ୍ଟ କରିବୁ ନାହିଁ। ଏକାକୀ ନିର୍ବାଚନ ଲଢ଼ିବୁ”, କହିଛନ୍ତି ନବୀନ ପଟ୍ଟନାୟକ।

୧୦ ଦିନ ଧରି ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନ ପାରାଦୀପରେ ଶେଷ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଉଦଯାପିତ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ୨୦୧୯ରେ ବିଜେଡି କାହା ସହ ମେଣ୍ଟ କରିବ ବୋଲି ପ୍ରଶ୍ନ କରିଥିଲେ। ନବୀନ ଏହାକୁ ଖଣ୍ଡନ କରିଛନ୍ତି।

କଂଗ୍ରେସ ସହ ଭିତିରି ସମ୍ପର୍କକୁ ମଧ୍ୟ ନବୀନ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ନବୀନ କହିଛନ୍ତି।

କୁମାରସ୍ୱାମୀ ଶପଥ ଗ୍ରହଣ ଉତ୍ସବ ଦିନ ମୋଦି ଏବଂ ବିଜେପି ବିରୋଧୀମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ହେଲେ ବିଜେଡିର କୌଣସି ପ୍ରତିନିଧି ଏଥିରେ ଯୋଗ ଦେଇ ନଥିଲେ।

କେବଳ ଏବେ ନୁହେଁ, ନବୀନ ପଟ୍ଟନାୟକ ବହୁ ପୂର୍ବରୁ ବିଜେଡି ଏବଂ ବିଜେପିଠାରୁ ସମାନ ଦୂରତା ରଖି ଆସୁଥିବା କହୁଛନ୍ତି। ଆଜି ପୁଣି ସେ ଏହି କଥାକୁ ଦୋହରାଇଛନ୍ତି।

LEAVE A REPLY

Please enter your comment!
Please enter your name here