ଓଡ଼ିଶାଲାଇଭ୍ ବ୍ୟୁରୋ

  • ପାରାଦୀପରେ ଉଦଯାପିତ ହୋଇଛି ବିଜେଡି ମହାନଦୀ ସୁରକ୍ଷା ଅଭିଯାନ
  • ୧୬ ତାରିଖ ଦିନ ଶୁଖାସୋଡ଼ାଠାରେ ଆରମ୍ଭ ହୋଇଥିଲା ଏହି ଅଭିଯାନ
  • ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି
  • ଜୀବନଜୀବିକା ପାଇଁ ଚାଲିଥିବା ଲଢ଼େଇ ବନ୍ଦ ହେବନି: ମୁଖ୍ୟମନ୍ତ୍ରୀ

ପାରାଦୀପଠାରେ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଛି। ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଡ଼ାରୁ ଆରମ୍ଭ ହୋଇ ଏହି ସୁରକ୍ଷା ଅଭିଯାନ ଦୀର୍ଘ ୫ଶହ କିଲୋମିଟର ଅତିକ୍ରମ କରି ଶୁକ୍ରବାରଦିନ ପାରାଦୀପରେ ପହଞ୍ଚିଛି।

ବିଜେଡି ପକ୍ଷରୁ କରାଯାଉଥିବା ଏହି ମହାନଦୀ ସୁରକ୍ଷା ଅଭିଯାନ ଉଦଯାପନ ସମାରୋହରେ ମୁଖ୍ୟଅତିଥି ଭାବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି।

“ମହାନଦୀ ସୁରକ୍ଷା ଅଭିଯାନ ବିଜେଡି ଆରମ୍ଭ କରିଥିଲା। ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଡ଼ାରୁ ଆରମ୍ଭ ହୋଇ ଏହି ସୁରକ୍ଷା ଅଭିଯାନ ଦୀର୍ଘ ୧୫ଶହ କିଲୋମିଟର ଅତିକ୍ରମ କରି ପାରାଦୀପରେ ପହଞ୍ଚିଛି। ଏଥିରେ ବହୁ ଲୋକ ସାମିଲ ହୋଇଛନ୍ତି। ଏହା କେବଳ ଏକ ରାଜନୈତିକ ଆନ୍ଦୋଳନ ନହୋଇ, ଏହା ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ମହାନଦୀ ଆନ୍ଦୋଳନ କେବଳ ପାଣି ପାଇଁ ନୁହେଁ, ସ୍ଥାନୀୟ ଲୋକମାନଙ୍କର ଜୀବନଜୀବିକା ପାଇଁ ଲଢ଼ୁଛୁ। ଏହାକୁ ଆଗକୁ ଆହୁରି ବ୍ୟାପକ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି।

“ଆମ ପ୍ରଚେଷ୍ଟାରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା। ଆମ ଜୀବନଜୀବୀକାକୁ ଉଜାଡ଼ିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏହାର ଉଚିତ ଜବାବ ଦିଆଯିବ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ ରହିଥିବାବେଳେ ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ସମାବେଶରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଡାକ୍ତର ଦାମୋଦର ରାଉତ, ବିଧାୟକ ସଞ୍ଜୟ ଦାସବର୍ମା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ବିଜୁ ମଇଦାନରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସମସ୍ତ ପ୍ରୟାସ କରିଥିଲେ।

ଝାରସୁଗୁଡ଼ାର ଶୁଖାସୋଡ଼ାରୁ ଆରମ୍ଭ ହୋଇଥିବା ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ପ୍ରାୟ ୧୦ଦିନ ଧରି ବିଭିନ୍ନ ଜିଲ୍ଲାର ୧୮ଶହରୁ ଅଧିକ ରାସ୍ତା ଅତିକ୍ରମ କରି ଶେଷରେ ପାରାଦୀପରେ ପହଞ୍ଚିଥିଲା।

Comment