ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରି ରାଜନୀତିକୁ ଜଟିଳ କରିଦେଇଛନ୍ତି ମୋଦି। ମୋଦି ଫେରିଯିବା ପରେ ମହାନଦୀକୁ ନେଇ ଏବେ ରାଜନୀତି ଉଠୁଛି ପଡ଼ୁଛି।

ମହାନଦୀ ପାଲଟିଲା ମହାପ୍ରସଙ୍ଗ। ମହାନଦୀକୁ ନେଇ ବିଜେଡି ରାଜନୀତିକ ଫାଇଦା ହାସଲ କରିବା ପାଇଁ ଚାହୁଁଥିବା ବେଳେ ବିଜେପି ମଧ୍ୟ ଏଥିରୁ ବାଦ୍ ପଡ଼ିନନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି ମହାନଦୀ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ଦିଲ୍ଲୀ ଫେରିଯିବା ପରେ ଓଡ଼ିଶା ରାଜନୀତି ଗୋଳିଆ ହୋଇଯାଇଛି। ମହାନଦୀ ପାଇଁ ବିଜେପି ଏବଂ ବିଜେଡି ପୁଣି ମୁହାଁମୁହିଁ ହୋଇଛନ୍ତି।

ମହାନଦୀକୁ ନେଇ ଓଡ଼ିଶାବାସୀ ଅନେକ ଆନ୍ଦୋଳନ ଏବଂ ବିକ୍ଷୋଭ ଦେଖି ଆସୁଛନ୍ତି। ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାରକୁ ଦାୟୀ କରି ବିଜେଡି ଆନ୍ଦୋଳନ କରିଛି। ପୁଣି ଓଡ଼ିଶାର ବିଜେପି ନେତାଙ୍କୁ ଟାର୍ଗେଟ କରି ବିଜେଡି ନେତା ଓ କର୍ମୀ କୁଶପୁତ୍ତଳିକା ଦାହ କରିଛନ୍ତି। ହେଲେ ମୋଦି କଟକ ଆସିବା ପରେ ମହାନଦୀ ବିବାଦରେ ପୂର୍ଣ୍ଣଛେଦ ପକାଇବେ ବୋଲି ଆଶା ରହିଥିଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ମୋଦି ମହାନଦୀ ବିବାଦ ପାଇଁ ରାଜ୍ୟକୁ ଦାୟୀ କରି ରାଜନୀତି ପାଣିପାଗକୁ ଆହୁରି ଗରମ୍ କରିଦେଇଛନ୍ତି।

ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିଦେଇଥିବାରୁ ଓଡ଼ିଶାର ମହାନଦୀ ଶୁଖିଲା ପଡ଼ିଛି। ୧୫ଟି ଜିଲ୍ଲାର ଜୀବନ ଜୀବିବା ପ୍ରଭାବିତ ହୋଇଛି। ଚାଷୀ, ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଣୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଏହାକୁ ପ୍ରମୁଖ ଅସ୍ତ୍ର କରିଛି। ମହାନଦୀର ଏଭଳି ଦୁର୍ଦ୍ଦଶା ପାଇଁ ବିଜେପିକୁ ଦାୟୀ କରି ବିଜେଡି ୧୫ଟି ଜିଲ୍ଲାରେ ଆନ୍ଦୋଳନ କରିଛି। ମହାନଦୀ ପ୍ରସଙ୍ଗରେ ଗାଁ ଗାଁରେ ବିଜେପିର ମୁଖା ଖୋଲିଛି ବିଜେଡି।

ବିଜେଡି ମହାନଦୀକୁ ନେଇ ବାରମ୍ବାର ବିଜେପିକୁ ଟାର୍ଗେଟ କରି ଆସୁଛି। ଏପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଜେପିର ନାଁ ନେଇ ବର୍ଷିଛନ୍ତି। ହେଲେ ଓଡ଼ିଶାର ବିଜେପି ନେତା ଏହାର ଉଚିତ ଜବାବ ଦେଇପାରୁ ନଥିଲେ। କାରଣ ଛତିଶଗଡ଼ ଏବଂ କେନ୍ଦ୍ରରେ ତାଙ୍କ ସରକାର ରହିଥିବାରୁ କ’ଣ କରିବେ ଏବଂ କ’ଣ ନକରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

ଏହି ସମୟରେ ନରେନ୍ଦ୍ର ମୋଦିଙ୍କ କଟକ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। ବିଜେପି ନେତାମାନେ ଆଶ୍ୱସ୍ତ ହୋଇଥିଲେ ଯେ ମୋଦି ମହାନଦୀ ପ୍ରସଙ୍ଗରେ କିଛି କହିବେ। ହେଲେ ମୋଦି ଏମିତି ବୟାନ ଦେଲେ ଯାହାକୁ ନେଇ ରାଜନୀତି ମାହୋଲ ପୂରା ସର୍‌ଗରମ୍ ହୋଇଯାଇଛି।

କେବଳ ବିଜେପି ନୁହେଁ, ବିଜେଡି ଓ କଂଗ୍ରେସ ସମତେ ବିଭିନ୍ନ ସଙ୍ଗଠନ ଏବଂ ମହାନଦୀ ଆନ୍ଦୋଳନ ସହ ଜଡ଼ିତ ଲୋକମାନେ ମୋଦି କ’ଣ କହିବେ ତାକୁ ଅପେକ୍ଷା କରିଥିଲେ। କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ଭାବେ ନୁହେଁ ଜଣେ ରାଜନେତା ଭାବେ ମନ୍ତବ୍ୟ ଦେଇ ଦିଲ୍ଲୀ ଫେରି ଯାଇଛନ୍ତି।

ମୋଦି କହିଥିଲେ, ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ଉଦ୍ୟମ କରିଥିଲା। ହେଲେ ଓଡ଼ିଶା ସରକାର ପଛଘୁଞ୍ଚା ଦେଲେ। ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି।

ମୋଦିଙ୍କର ଏହି ଦୁଇ ଧାଡ଼ି କଥା ରାଜନୀତିରେ ନିଆଁ ଲଗାଇ ଦେଇଛି। ମୋଦିଙ୍କୁ କାଉଣ୍ଟର କରିବା ପାଇଁ ଆଗେଇ ଆସିଛି ବିଜେଡି।

“ମୋଦିଙ୍କ ମନ୍ତବ୍ୟ କନଫ୍ୟୁଜନ ସୃଷ୍ଟି କରିଛି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ବିଭ୍ରାନ୍ତିକର। ସମସ୍ତେ ଜାଣିଛନ୍ତି ଯେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ। ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର କ’ଣ କରିଛି ତାହା କାହାକୁ ଅଛପା ନାହିଁ”, କହିଛନ୍ତି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ।

ମହାନଦୀ ସୁରକ୍ଷା ପାଇଁ ବିଜେଡି ଆରମ୍ଭ କରିଥିଲା ଦ୍ୱିତୀୟ ପର୍ଯ୍ୟୟ ଆନ୍ଦୋଳନ। ଝାରସୁଗୁଡ଼ାର ସୁଖାଶୋଡ଼ା ଏବଂ ବରଗଡ଼ର ଚିଖିଲିରୁ ବାହାରିଥିବା ଅଭିଯାନ ୨୫ ତାରିଖରେ ପାରାଦୀପରେ ଶେଷ ହୋଇଛି। ଅଭିଯାନ ଶୁଭାରମ୍ଭ ଏବଂ ଉଦଯାପନ ଦିନ ବିଜେଡି ସଭାପତି ଯୋଗଦେଇ ସିଧାସଳଖ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ। ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ।

ଏହାର ଦିନକ ପରେ ମୋଦି ଆସିଲେ। ମହାନଦୀ ପ୍ରସଙ୍ଗରେ ରାଜ୍ୟକୁ ଜବାବ ଦେଲେ।

“ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଠକ୍ କହିଛନ୍ତି। ଓଡ଼ିଶା ସରକାରଙ୍କ ପାଇଁ ମହାନଦୀର ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି”, କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୋଦିଙ୍କ ମନ୍ତବ୍ୟକୁ ସମର୍ଥ କରୁଥିବା ବେଳେ ବିଜେପିର ଅନ୍ୟତମ ନେତା ବିଜୟ ମହାପାତ୍ର କିନ୍ତୁ ମୋଦିଙ୍କୁ ମାରିଛନ୍ତି ତେରଚ୍ଛା ବାଣ।

“ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ଠିକ୍ ନୁହେଁ। ଛତିଶଗଡ଼ର ବେଆନ୍ ପ୍ରକଳ୍ପ ଉପରେ କହିଥିଲେ ଭଲ ହୋଇଥାନ୍ତା। ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କଠାରୁ ବହୁତ କିଛି ଆଶା ରଖିଥିଲେ। ସମସ୍ତେ ଜାଣିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ହେଲେ ଏହି ଟ୍ରିବ୍ୟୁନାଲ କିପରି କାର୍ଯ୍ୟକ୍ଷମ ହେବ ତାହା ଦେଖିବା କେନ୍ଦ୍ରର କାମ। ରାଜ୍ୟ ସରକାର ବି କେନ୍ଦ୍ର ପାଖରେ ଯଥାର୍ଥ ଦାବି କରିବା ଦରକାର”, କହିଛନ୍ତି ବିଜୟ ମହାପାତ୍ର।

ମହାନଦୀକୁ ନେଇ ଦୁଇ ବର୍ଷରୁ ଅଧିକ ସମୟ ଧରି ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହାର ସମାଧାନ ପାଇଁ ଓଡ଼ିଶା ସରକାର କେନ୍ଦ୍ର ପାଖରେ ଅନେକ ଥର ଦାବି କରିଛନ୍ତି। ହେଲେ କେନ୍ଦ୍ରର ଅସହଯୋଗ ଯୋଗୁଁ ମହାନଦୀ ସମସ୍ୟା ସମାଧାନ ହେଉ ନଥିବା ବିଜେଡି ଅଭିଯୋଗ କରୁଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ବହୁବାର ଚିଠି ଲେଖିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ କୌଣସି ଉତ୍ତର ଆସି ନଥିବା ବିଜେଡି ଦାବି କରୁଛି।

ମହାନଦୀ ପ୍ରସଙ୍ଗରେ ମୋଦିଙ୍କଠାରୁ ଓଡ଼ିଶାର ବୁଦ୍ଧିଜୀବୀମାନେ ବହୁତ କିଛି ଆଶା କରୁଥିଲେ। ହେଲେ ମୋଦି ମହାନଦୀ ବିବାଦର ସମାଧାନ କିପରି ହେବ ସେ ସମ୍ପର୍କରେ କିଛି କହିଲେ ନାହିଁ। ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଦେଇ ମୋଦି ଦିଲ୍ଲୀ ଚାଲିଗଲେ। କଲ୍‌ମା ବ୍ୟାରେଜ ଗେଟ ଖୋଲିବା ପାଇଁ କଂଗ୍ରେସ ଦାବି କରୁଥିଲା। ହେଲେ କଲ୍‌ମା ବ୍ୟାରେଜ ସମ୍ପର୍କରେ ମଧ୍ୟ ମୋଦି କିଛି କହିଲେ ନାହିଁ। ଫଳରେ ମହାନଦୀ ପୁଣି ଆଡ଼ୁଆ ସୂତାରେ ଛନ୍ଦି ହୋଇ ରହିଯାଇଛି।

ଏପର୍ଯ୍ୟନ୍ତ ମହାନଦୀ ଟ୍ରିବ୍ୟୁନାଲ ତାର କାର୍ଯ୍ୟକ୍ରମ ଆରମ୍ଭ କରିନି। ପ୍ରଧାନମନ୍ତ୍ରୀ ମଧ୍ୟ ସମାଧାନର ବାଟ କିଛି ଦେଖାଇଲେ ନାହିଁ। ତେବେ ମହାନଦୀର ଭାଗ୍ୟ କ’ଣ ହେବ ତାହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here