ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲା ଚୋରି ଗୁଜବ ଆସୁଛି। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେବା ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଖଣ୍ଡନ କରିଛନ୍ତି। ପିଲା ଚୋରିକୁ ଗୁଜବ କହିଛନ୍ତି ପୋଲିସ ଡିଜି।

ପୋଲିସ ଡିଜି କହିଛନ୍ତି, “କିଛିଦିନ ହେଲା ସୋସିଆଲ ମିଡିଆରେ ପିଲା ଚୋରି ଅଭିଯୋଗ ଆସୁଛି। ହେଲେ ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହା ଏକ ଗୁଜବ।”

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ବିହାରରୁ କିଛି ଲୋକ ଓଡ଼ିଶାକୁ ଚାଲି ଆସିଛନ୍ତି। ରାୟଗଡ଼ା, କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଲା ଚୋରି କରି ନେଉଛନ୍ତି। ସେମାନଙ୍କୁ ହତ୍ୟା କରୁଛନ୍ତି। ଏହି ମ୍ୟାସେଜ ହ୍ୱାଟସ୍‌ ଆପ୍‌ରୁ ହ୍ୱାଟସ୍‌ ଆପ୍‌କୁ ଘୂରି ବୁଲୁଛି। ଏହାକୁ ଆଧାର କରି ଲୋକେ ଭୟଭୀତ ହୋଇଯାଇଛନ୍ତି।

ଅଜଣା ଲୋକ ଗାଁକୁ ଆସିଲେ ଲୋକେ ଭୟ କରିବା ସହ ପିଲା ଚୋର ସନ୍ଦେହରେ ମାଡ଼ ମାରିବାକୁ ପଛାଉ ନାହାନ୍ତି। ଏଥିପାଇଁ ସମସ୍ତ ଏସ୍‌ପିଙ୍କୁ ସଜାଗ ରହିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କ ଯଦି ଏମିତି କିଛି ଅଭିଯୋଗ ରହିଛି ତାହାଲେ ସେମାନେ ନିକଟସ୍ଥ ଥାନାରେ ଖବର ଦିଅନ୍ତୁ ବୋଲି ଡିଜି ନିବେଦନ କରିଛନ୍ତି। ଅଯଥାରେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।

କିଛିଦିନ ତଳେ ରାୟଗଡ଼ା ଏବଂ କୋରାପୁଟରେ ପିଲା ଚେରି ନେଥ ଆତଙ୍କ ସୃଷ୍ଟି ହୋଇଥିଲା। କିଛି ଲୋକ ଗ୍ରାମବାସୀଙ୍କର ଆକ୍ରମଣ ଶିକାର ହୋଇଥିଲେ। ନୟାଗଡ଼ରେ ମଧ୍ୟ ଆଜି ଏଭଳି ଏକ ଘଟଣା ଘଟିଛି। ସୋସିଆଲ ମିଡିଆର ଏକ ଗୁଜବକୁ ନେଇ ଲୋକେ ଭୟଭିତ ହୋଇଯାଇଛନ୍ତି।

Comment