ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଲୋକାର୍ପିତ ହେଲା ନ୍ୟାସନାଲ ଇନଫରମେସନ ସେଣ୍ଟର(ଏନ୍‌ଆଇସି)। ଦେଶର ଚତୁର୍ଥ ଡାଟା ସେଣ୍ଟର ଭାବେ ଏହାକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ସୂଚନା ଓ ବୈଷୟିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୨୦୦ କୋଟି ଟଙ୍କା ବ୍ୟୟରେ ଏହି ସେଣ୍ଟର ନିର୍ମାଣ କରାଯାଇଛି।

ରବିଶଙ୍କର ପ୍ରସାଦ କହିଛନ୍ତି, “ଓଡ଼ିଶା ସମେତ ୧୫ଟି ପୂର୍ବାଞ୍ଚଳ ରାଜ୍ୟର ଡାଟା ସଂରକ୍ଷଣ କ୍ଷେତ୍ରରେ ଏହି ସେଣ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ। ଡିଜିଟାଲ ଇଣ୍ଡିଆକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି ଡାଟା ସେଣ୍ଟରର କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ ରହିବ।”

ସରକାରଙ୍କ ଦ୍ବାରା ପରିଚାଳିତ ଇ-ହସ୍ପିଟାଲ ସୁବିଧା ହେଉ କିମ୍ବା ଅନ୍ୟାନ୍ୟ ଯୋଜନାର ରୂପରେଖ ପ୍ରସ୍ତୁତିରେ ଏହି ଡାଟା ସେଣ୍ଟର ବେଶ୍ ଉପଯୋଗୀ ହେବ। ଏହି ଅବସରରେ ଏକ ୱେବସାଇଟ୍ ଏବଂ ମୋବାଇଲ ଆପ୍ ଉନ୍ମୋଚନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟ ସରକାର ଏଦିଗରେ ତତ୍ପରତା ପ୍ରକାଶ କଲେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେବ।”

ରାଜ୍ୟ ସରକାରଙ୍କ ଆଇଟି ସଚିବ ଅଶୋକ ମୀନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment