ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ।

ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଏଥର ଏହି ଆସନରେ ଦେଖିବାକୁ ମିଳିବ ଦୁଇ ହେଭିୱେଟ ନେତାଙ୍କ ହାଇପ୍ରୋଫାଇଲ୍ ଲଢ଼େଇ। ଚଳିତ ନିର୍ବାଚନରେ ସମ୍ବଲପୁରର ପାୱାର ଫାଇଟରେ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ସମ୍ବଲପୁର ଲୋକସଭା ଆସନ ଅନେକ ବର୍ଷରୁ ପଶ୍ଚିମ ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ ରହିଆସିଛି। ଏହି ଆସନ ପାଇଁ ସବୁବେଳେ ରାଜନୈତିକ ଦଳଗୁଡ଼ିକ ଭିତରେ ଦେଖିବାକୁ ମିଳିଥାଏ ବିଶେଷ ଉତ୍ସାହ। ଏଥର ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଛି। ସେହିପରି ତାଙ୍କ ବିରୋଧରେ ବିଜେଡି ନିଜ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓହ୍ଲାଇଛି। ତେବେ ନିର୍ବାଚନୀ ଫଳାଫଳ ଏହି ଦୁଇ ଚର୍ଚ୍ଚିତ ରାଜନେତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି।

ସମ୍ବଲପୁର ଆସନର ସମୀକରଣ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ ତଥା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ଏବଂ ଦେବଗଡ଼କୁ ନେଇ ଗଠିତ ସମ୍ବଲପୁର ଲୋକସଭା କ୍ଷେତ୍ର। ସମ୍ପ୍ରତି ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡି ୪ଟି ଓ ବିଜେପି ୩ଟି ବିଧାନସଭା ଆସନର କ୍ଷମତାରେ ରହିଛି।

ସମ୍ବଲପୁର, ରେଙ୍ଗାଲି ଓ ଦେବଗଡ଼ ବିଜେପି ହାତମୁଠାରେ ରହିଥିବାବେଳେ କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକରେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ସ୍ୱାଭାବିକ ଯେ, ଲୋକସଭା ଆସନ ଲାଗି ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏକପାକ୍ଷିକ ମତଦାନ ହୋଇନଥିଲା।

୨୦୧୯ ନିର୍ବାଚନୀ ଫଳାଫଳକୁ ଦେଖିଲେ, ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଓ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ନିତେଶ ଗଙ୍ଗଦେବ ୯ ହଜାର ୧୬୨ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିଲେ। ନଳିନୀ ପ୍ରଧାନଙ୍କୁ ୪ ଲକ୍ଷ ୬୪ ହଜାର ୬୦୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ନିତେଶ ପାଇଥିଲେ ୪ ଲକ୍ଷ ୭୩ ହଜାର ୭୭୦ ଖଣ୍ଡ ଭୋଟ। ଏହି ନିର୍ବାଚନରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ୧ ଲକ୍ଷ ୩୫ ହଜାର ୯୬୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବଲପୁରରେ ଏଥର ମଧ୍ୟ ବିଜେଡି-ବିଜେପି କଡ଼ା ଟକ୍କର   

ଏଥର ସମ୍ବଲପୁରରେ ନିର୍ବାଚନୀ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଛି। ଏଠାରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ବଦଳାଇଛନ୍ତି। ଏଥର ସମ୍ବଲପୁର ମାଟି ପାଇଁ ଉଭୟ ଦଳର ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ନୂଆ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କ୍ଷେତ୍ରକୁ ଲାଗି ରହିଥିବା ଅନୁଗୁଳର ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବିଧାୟକ ହୋଇଥିଲେ। ହେଲେ ସେ ଉପଲବ୍ଧିକୁ ଅନେକ ବର୍ଷ ବିତିଗଲାଣି। ସେହିପରି ଯାଜପୁରରୁ ସିଧାସଳଖ ସମ୍ବଲପୁର ରାଜନୀତିକୁ ପ୍ରବେଶ କରିଥିବା ପ୍ରଣବଙ୍କ ପାଇଁ ଲୋକସଭା କ୍ଷେତ୍ରରୁ ଭୋଟ୍ ହାତେଇବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ରହିବ।

୨୦୧୯ରେ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ସମ୍ବଲପୁର ଲୋକସଭା ଆସନ ବିଜେପି ହାତକୁ ଚାଲିଯାଇଥିଲା। ହେଲେ ଏଥର ନିଜେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ଛାମୁଆ ନେତାମାନେ ଏକାଠି ହୋଇ ନିର୍ବାଚନୀ ସହଯୋଗ ପ୍ରଦାନ କରିବାକୁ ବାଧ୍ୟ ହେବେ।

ସମ୍ବଲପୁର କ୍ଷେତ୍ରରେ ସବୁ ସମୟରେ ଜାତିଭିତ୍ତିକ ଭୋଟ ଉପରେ ସବୁ ଦଳର ନଜର ରହିଥାଏ। ଚଳିତ ବର୍ଷ ଏ ସମୀକରଣର ଫାଇଦା ଉଠାଇବାକୁ ପ୍ରମୁଖ ରାଜନୈତିକ ଦଳମାନେ ଉଦ୍ୟମ କରିବେ। ତେବେ ଜାତିଭିତ୍ତିକ ମତଦାନ ଅଧିକ ହୋଇଆସୁଥିବାରୁ ଅନ୍ୟ କୌଣସି ମୁଦ୍ଦା ପୂର୍ବେ ନିର୍ବାଚନକୁ ପ୍ରଭାବିତ କରିପାରିନଥିବା ଦେଖିବାକୁ ମିଳିଛି। ତଥାପି ଆଠମଲ୍ଲିକ, ଛେଣ୍ଡିପଦା, ରେଢ଼ାଖୋଲ, ଦେବଗଡ଼ ପ୍ରମୁଖ କୃଷି କ୍ଷେତ୍ର ଥିବା ଅଞ୍ଚଳରେ ଚାଷୀଙ୍କୁ ସୁବିଧା ସୁଯୋଗ ତଥା ବିଭିନ୍ନ ସମସ୍ୟାକୁ ଉଭୟ ବିଜେଡି ଓ ବିଜେପି ଗୁରୁତ୍ୱ ଦେଇପାରନ୍ତି।

ଅନ୍ୟପଟେ ଯଦି ଷ୍ଟାର କ୍ୟାମ୍ପେନର କଥା ଦେଖାଯାଏ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ତଥା ଅନ୍ୟ ପ୍ରମୁଖ ନେତାମାନେ ସମ୍ବଲପୁରକୁ ପ୍ରଚାର ପାଇଁ ଆସିପାରନ୍ତି।

ସେହିପରି ବିଜେଡି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ପ୍ରମୁଖ ଚେହେରା ହେବେ ବୋଲି କୁହାଯାଉଛି। ତା’ ଛଡ଼ା ମା’ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପକୁ ସମ୍ବଲପୁରର ମୁଖ୍ୟ ରୂପାନ୍ତରଣ ଭାବେ ପ୍ରଦର୍ଶନ କରିବାକୁ ଦଳ ଯୋଜନା କରିଛି।

ଅନ୍ୟପକ୍ଷରେ କଂଗ୍ରେସ ଏଯାଏଁ ସମ୍ବଲପୁରରୁ ପ୍ରାର୍ଥୀ ଘୋଷଣା କରିନାହିଁ। ହେଲେ ଏଥର ଏଠାରେ ବିଜେଡି ଓ ବିଜେପି ମଧ୍ୟ ମୁଖ୍ୟ ଟକ୍କର ହେବ ବୋଲି କୁହାଯାଉଛି। ଏହା ରାଜ୍ୟ ରାଜନୈତିକ ମାହୋଲକୁ ରୋଚକ କରିବ ବୋଲି ଆଶା କରାଯାଉଛି।  

Tags: #Politics #OdishaPolitics #GeneralElections2024 #SambalpurLoksabhaSeat #DharmendraPradhan #PoliticalFight #PranabPrakashDas #BJD #BJP #Politics #Odisha

Comment