ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସହ ସମ୍ପର୍କ ତୁଟାଇବା ପରେ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ରାଜନୀତି ଇନିଂସ କେଉଁ ଦଳରୁ ଆରମ୍ଭ କରିବେ ତା’ ଉପରେ ସମସ୍ତଙ୍କ ନଜର।

ବହୁ ବାଦ ବିବାଦ ଓ ଛକାପଞ୍ଝା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତିନି ପୃଷ୍ଠା ସମ୍ବଳିତ ଚିଠି ଲେଖି ଜୟ ପଣ୍ଡା ବିଜେଡି ଛାଡ଼ିଛନ୍ତି।

ବୈଜୟନ୍ତ ବିଜେଡି ଛାଡ଼ିବା ପରେ ରାଜ୍ୟ ରାଜନୀତିରେ ନୂଆ ବିତର୍କ ମୁଣ୍ଡ ଟେକିଛି। ବୈଜୟନ୍ତ ଏବେ କୁଆଡ଼େ ଯିବେ ଏବଂ ତାଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କାହିଁକି ବିଜେଡି ଛାଡ଼ିଲେ?

ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଦଳ ଛାଡ଼ି ନଥିଲେ। ବିଜେଡି ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଛାଡ଼ି ନଥିଲା। ୩ ମାସରୁ ଅଧିକ ଦିନ ହେଲା ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ତୁତୁ ମେମେ ଚାଲିଥିଲା। ତଥାପି ବୈଜୟନ୍ତ ଦଳ ଛାଡ଼ି ନଥିଲେ। କିନ୍ତୁ ତାଙ୍କ ବାପା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିବା ପାଇଁ ନିଜେ ନବୀନ ଏବଂ ଦଳର କୌଣସି ନେତା ନଆସିବାରୁ ବୈଜୟନ୍ତଙ୍କ ମନରେ କ୍ଷୋଭ ସୃଷ୍ଟି କରିଥିଲା। ଫଳରେ ବାପାଙ୍କ ଦେହାନ୍ତର ୬ ଦିନ ପରେ ବୈଜୟନ୍ତ ବିଜେଡି ଛାଡ଼ିଛନ୍ତି।

ଚିଠିରେ ଦର୍ଶାଇଲେ କାରଣ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ବୈଜୟନ୍ତ ଇସ୍ତଫାପତ୍ର ପଠାଇଛନ୍ତି। ଏଥିରେ ସେ ବିଜେଡି ଛାଡ଼ିବାର କାରଣ ଦର୍ଶାଇଛନ୍ତି। ବୈଜୟନ୍ତ ଲେଖିଛନ୍ତି ଯେ ବିଜେଡି ରାଜନୀତି ନିମ୍ନସ୍ତରକୁ ଯାଇଥିବାରୁ ମୁଁ ମର୍ମାହତ। ୪ ବର୍ଷ ହେଲା ଦଳର ପରିସ୍ଥିତି ଖରାପ ହୋଇଥିଲେ ମଧ୍ୟ ମୁଁ ଦଳରେ ରହିଥିଲି। ହେଲେ ମୋ ବାପାଙ୍କ ଶେଷ ଦର୍ଶନ ପାଇଁ ବିଜେଡିରୁ କେହି ନଆସିବାରୁ ମୋ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅନୁଭବ କଲି।

ବିଜୁ ଅଙ୍କଲ ଏବଂ ମୋ ବାପା ବଂଶୀଧର ପଣ୍ଡା ଥିଲେ ଅନ୍ତରଙ୍ଗ ବନ୍ଧୁ। ହେଲେ ମୋ ବାପାଙ୍କ ଶେଷ ଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିଲା। ଏହା ଜାଣିବା ପରେ ମୋତେ ବହୁତ ବାଧିଥିଲା। ମୁଁ ହୃଦବୋଧ କଲି ଯେ ଦଳ ମୋତେ ଚାହୁଁନି। ଏଣୁ ମୁଁ ଇସ୍ତଫା ଦେବାକୁ ଉଚିତ୍ ମନେକଲି।

ନିଲମ୍ବନ ପରେ ବି ଦଳ ଛାଡ଼ି ନଥିଲେ ବୈଜୟନ୍ତ

ଜାନୁଆରୀ ୨୭ ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତଙ୍କୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେତେବେଳେ କୁହାଯାଇଥିଲା। ହେଲେ ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରାଯାଇ ନଥିଲା କି ବୈଜୟନ୍ତ ଦଳ ଛାଡ଼ି ନଥିଲେ। ଏହା ପଛରେ ଅନେକ କାରଣ ରହିଥିବା କୁହାଯାଉଛି।

ବୈଜୟନ୍ତଙ୍କୁ ଯେତେବେଳେ ଦଳରୁ ନିଲମ୍ବନ କରାଯାଇଥିଲା ସେତେବେଳେ ତାଙ୍କ ସପକ୍ଷରେ ଜନମତ ରହିଥିଲା। ନିଶ୍ଚିନ୍ତକୋଇଲିର ପାଣିଟାଙ୍କି ଉଦଘାଟନକୁ କେନ୍ଦ୍ର କରି ବୈଜୟନ୍ତ ଏବଂ ବିଜେଡି ଭିତରେ ମତଭେଦ ସୃଷ୍ଟି ହୋଇଥିଲା। ଏହି ଉଦଘାଟନକୁ ଭଣ୍ଡୁର କରିବା ପାଇଁ ବିଜେଡିର କିଛି ନେତା ଚକ୍ରାନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ତରଫରୁ କୁହାଯାଇଥିଲା। ଏଥିପାଇଁ ନିଜେ ସାଂସଦ ସିଧାସଳଖ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଥିଲେ।

ତୃତୀୟ ମହଲାର ଅଫିସରଙ୍କ ବିରୋଧରେ ଗଣମାଧ୍ୟମରେ ବିବୃତି ଦେବା ସହ ଟୁଇଟର ମାଧ୍ୟରେ ବୈଜୟନ୍ତ ଆଟାକ କରି ଚାଲିଲେ। ଏହାର କିଛିଦିନ ପରେ ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିଲେ।

ଯଦି ବୈଜୟନ୍ତଙ୍କୁ ସେତେବେଳେ ଦଳରୁ ବହିଷ୍କାର କରାଯାଇଥାନ୍ତା ତାହାଲେ ଦଳ ବିରୋଧରେ ହାୱା ସୃଷ୍ଟି ହୋଇଥାନ୍ତା। ଅଫିସରଙ୍କ ଇସାରାରେ ଦଳ ଚାଲୁଛି ବୋଲି ଏକ ବାର୍ତ୍ତା ଆସିଥାନ୍ତା। ଫଳରେ ବୈଜୟନ୍ତ ଫାଇଦାରେ ରହିଥାନ୍ତେ। ଏଣୁ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରି ବୈଜୟନ୍ତଙ୍କୁ ହାଲ୍‌କା ଝଟକା ଦେଇଥିଲେ।

ବୈଜୟନ୍ତ ମଧ୍ୟ ଦଳକୁ ଛାଡ଼ିପାରି ନଥିଲେ। ଦଳ ଛାଡ଼ିଥିଲେ ସେତେବେଳେ ତାଙ୍କୁ ସାଂସଦ ପଦ ହରାଇବାକୁ ପଡ଼ିଥାନ୍ତା। ଏଣୁ ସାଂସଦ ସିଟ୍ ହରାଇବା ପାଇଁ ବୈଜୟନ୍ତ ସେତେବେଳେ ଚାହୁଁ ନଥିଲେ। ସାଂସଦ ପଦ ଯାଇଥିଲେ ବୈଜୟନ୍ତ ହୁଏତ ତାଙ୍କ  ନିର୍ବାଚନମଣ୍ଡଳୀରେ ସାଙ୍ଗେ ସାଙ୍ଗେ ସମର୍ଥନ ଜୁଟାଇ ପାରି ନଥାନ୍ତେ। ସେଥିପାଇଁ ସେ ସୁଯୋଗକୁ ଅପେକ୍ଷା କରିଥିଲେ।

କ’ଣ କରିବେ ବୈଜୟନ୍ତ?

ଦଳ ଛାଡ଼ିବା ପରେ ବୈଜୟନ୍ତଙ୍କ ରାଜନୀତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୈଜୟନ୍ତ ଏବେ ଏକୁଟିଆ ଚାଲିବେ ନା ଆଉ କେଉଁ ଦଳର ଆଶ୍ରା ନେବେ ତାହା ହିଁ ଚର୍ଚ୍ଚାର ବିଷୟ ହୋଇଛି।

ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିବାକୁ ବିଜେଡିର କୌଣସି ନେତା ନଆସିବାର ଆଳ ଦେଖାଇ ବୈଜୟନ୍ତ ଦଳ ଛାଡ଼ିଥିବା କୁହାଯାଉଛି। ହେଲେ ଏହା ଭିତରେ ଅନେକ କିନ୍ତୁ ରହିଥିବା କୁହାଯାଉଛି।

ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିବା ପାଇଁ ବିଜେପି ଏବଂ କଂଗ୍ରେସର ପ୍ରମୁଖ ନେତାମାନେ ଆସିଥିଲେ। କିନ୍ତୁ କଂଗ୍ରେସ ଅପେକ୍ଷା ବିଜେପିର ଛୋଟଠାରୁ ବଡ଼ ନେତା ସମସ୍ତେ ବୈଜୟନ୍ତଙ୍କ ବାସଭବନକୁ ଯାଇଥିଲେ।

ସମୀର ମହାନ୍ତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ବୈଜୟନ୍ତଙ୍କ ଭାବସଭବନକୁ ଯାଇ ସମବେଦନା ଜଣାଇଛନ୍ତି। ଏଣୁ ବୈଜୟନ୍ତଙ୍କୁ ବିଜେପି ଆପଣାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ପଦ୍ମ ଧରିବେ କି ଜୟ ପଣ୍ଡା?

ଜୟ ପଣ୍ଡା ବିଜେଡି ଛାଡ଼ିବା ପରେ ବିଜେପି ନେତାମାନେ ଯେଉଁ ବୟାନ ଦେଇଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବୈଜୟନ୍ତ ବିଜେପିରେ ହିଁ ଆଗାମୀ ରାଜନୀତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।

“ବୈଜୟନ୍ତ ବାବୁ ହେଉଛନ୍ତି ଜଣେ ସ୍ବାଭିମାନୀ ଲୋକ। ତାଙ୍କ ସ୍ବାଭିମାନରେ ଆଞ୍ଚ ଆସିଥିବାରୁ ସେ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ ଭଲ ଲୋକମାନେ ଆସୁଛନ୍ତି। ଯେଉଁ ଭଲ ଲୋକମାନେ ମୋଦିଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି ସେମାନେ ବିଜେପିକୁ ଆସିଲେ ଆମେ ସ୍ୱାଗତ କରିବୁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ନେତା ସମୀର ମହାନ୍ତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବୈଜୟନ୍ତ ଯଦି ବିଜେପିକୁ ଆସିବେ ତାହାଲେ ଆମ ଦଳ ଶକ୍ତିଶାଳି ହେବ।

ବୈଜୟନ୍ତ ତାଙ୍କ ରାଜନୀତିକ କ୍ୟାରିଅର ବିଷୟରେ କିଛି କହିବା ଆଗରୁ ବିଜେପି ନେତାମାନେ ତାଙ୍କୁ ସ୍ୱାଗତ କରିଥିବାରୁ ୨୦୧୯ ପୂର୍ବରୁ ସେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି।

Comment