ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ଆଇଏଏସ୍ ଅଫିସର। ରାଜ୍ୟ ଆଇଟି ସଚିବ ଅଶୋକ କୁମାର ମୀନାଙ୍କ ବିରୋଧରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିବାରୁ ଅଫିସରମାନେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି।

ଆଇଏଏସ୍ ଅଫିସରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ ହୋଇଛନ୍ତି।

ଭୁବନେଶ୍ୱରରେ ନ୍ୟାସନାଲ ଡାଟା ସେଣ୍ଟର ଉଦଘାଟନ ବେଳେ ରାଜ୍ୟ ଆଇଟି ସଚିବ ଅଶୋକ କୁମାର ମୀନାଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିଲେ।

ଧର୍ମେନ୍ଦ୍ର କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସହଯୋଗ କରୁଛନ୍ତି। ରାଜ୍ୟ ସରକାର ଆଉ ଟିକେ ସହଯୋଗ କଲେ ଆହୁରି ଉନ୍ନତି ହୋଇପାରନ୍ତା। ରାଜ୍ୟ ସରକାରଙ୍କୁ ଛାଡ଼ି କୌଣସି କାମ କରିହେବ ନାହିଁ। ହେଲେ ରାଜ୍ୟ ସରକାର ଏମିତି କିଛି କରୁଛନ୍ତି ଯାହା ଗ୍ରହଣୀୟ ନୁହେଁ। ଡିଜିଟାଲ ମିଡିଆରେ ଜଣଙ୍କ ନାଁ ବଦଳରେ ଆଉ ଜଣଙ୍କ ନାଁ ପୂରାଇ ଦେବା ଠିକ୍ ନୁହେଁ। ମୀନା ସାହେବ ଏମିତି କରନ୍ତୁ ନାହିଁ।

ଡାଟା ସେଣ୍ଟର ଉଦଘାଟନ ସଭାରେ ଧର୍ମେନ୍ଦ୍ର ସିଧାସଳଖ ଅଶୋକ କୁମାର ମୀନାଙ୍କ ନାଁ ଧରିଥିବାରୁ ଏହାକୁ ଗଣ୍ଠି କରିଛି ଓଡ଼ିଶା ଆଇଏଏସ୍ ଅଫିସର ସଙ୍ଘ।

ସଙ୍ଘ ପକ୍ଷରୁ କୁହାଯାଇଛି, “ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ରାଜନେତାମାନେ ଅଫିସରମାନଙ୍କୁ ଟାର୍ଗେଟ କରିବା ସାମ୍ବିଧାନିକ ମୂଲ୍ୟବୋଧର ଅବମାନନା। ଏହାଦ୍ବାରା ଅଫିସରଙ୍କ ମନୋବଳ ଉପରେ କୁପ୍ରଭାବ ପଡ଼ିବ।”

ଆଇଏଏସ୍ ଅଫିସରମାନେ ଧର୍ମେନ୍ଦ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବା ପରେ ବିଜେଡି-ବିଜେପି ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ସମାଲୋଚନା କରିଥିବା ବେଳେ ବିଜେଡି ବିଜେପିକୁ କରିଛି କାଉଣ୍ଟର।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଧର୍ମେନ୍ଦ୍ରଙ୍କ କଥା ବିଜେଡିକୁ ବାଧୁଛି। ଏଥିପାଇଁ ବିଜେଡି କିଛି ମୁଷ୍ଟିମେୟ ଅଫିସରଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛି। ଧର୍ମେନ୍ଦ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି।”

“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନୁହେଁ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଦେଇଛନ୍ତି। ବିଜେଡି ଏହାକୁ ନିନ୍ଦା କରୁଛି”, କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

LEAVE A REPLY

Please enter your comment!
Please enter your name here