ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମହାନଦୀ ପ୍ରସଙ୍ଗରେ ବିଜେଡି ମୁହଁତୋଡ଼ ଜବାବ ଦେଇଛି।

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିର କଡ଼ା ଜବାବ ଦେଇଛି ବିଜେଡି। ରମଣ ସିଂ ସମ୍ବିଧାନର ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଔଦ୍ଧତ୍ୟ ଆଚରଣ କରିଛନ୍ତି ବୋଲି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

“ରମଣ ସିଂ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ସମ୍ବିଧାନ ଏବଂ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ମହାନଦୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ମହାନଦୀର ଉପରମୁଣ୍ଡରେ କେବଳ ଛତିଶଗଡ଼ର ଅଧିକାର ରହିଛି। ଓଡ଼ିଶାର କିଛି ଅଧିକାର ନାହିଁ ବୋଲି ରମଣ ଭାବୁଛନ୍ତି। ଏହା ସମ୍ବିଧାନର କେଉଁ ଧାରାରେ ଲେଖାଯାଇଛି”, କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ରମଣ ସିଂ ମଙ୍ଗଳବାର ଦିନ ଛତିଶଗଡ଼ର ରାୟଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପ୍ରସଙ୍ଗରେ ବିବୃତି ଦେଇଥିଲେ। କହିଥିଲେ, ମହାନଦୀ ପାଣି ଉପରେ କେବଳ ଛତିଶଗଡ଼ର ଅଧିକାର  ରହିଛି। ମହାନଦୀ ପାଣି ବ୍ୟବହାରକୁ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ। ଆମର ଯେତିକି ପାଣି ଦରକାର ତାହା ଆମେ ଉପଯୋଗ କରୁଛୁ। ଆଗକୁ ଆହୁରି ଅଧିକ ପାଣିର ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ଆମକୁ ଅଟକାଇ ପାରିବେ ନାହିଁ। ନିର୍ବାଚନ ସମୟ ଆସିଲେ ଓଡ଼ିଶାରେ ମହାନଦୀ ପ୍ରସଙ୍ଗ ଉଠିଥାଏ।

ରମଣଙ୍କ ଏହି ବିବୃତିକୁ ୨୪ ଘଣ୍ଟା ନପୂରୁଣୁ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଦୃଢ଼ ଜବାବ ଦେଇଛି।

ବିଜେଡି ଆହୁରି କହିଛି ଯେ ରମଣ ସିଂ ଯେଉଁ ବିବୃତି ଦେଇଛନ୍ତି ସେଥିରେ ସଂକୀର୍ଣ୍ଣ ମନୋଭାବ ଭରି ରହିଛି। ରମଣ ପରୋକ୍ଷରେ ଓଡ଼ିଶାବସୀଙ୍କୁ ଧମକ ଦେଇଛନ୍ତି। ଚାଷୀଙ୍କୁ ମହାନଦୀ ପାଣିରୁ ବଞ୍ଚିତ କରି ଶିଳ୍ପପତିମାନଙ୍କୁ ପାଣି ବିକ୍ରି କରି ବିଜେପି ବ୍ୟବସାୟିକ ମାନସିକତାର ପରିଚୟ ଦେଇଛି।

ବିଜେପି ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଜାଣିନାହିଁ ବୋଲି ରମଣଙ୍କ ବୟାନ ସ୍ପଷ୍ଟ କରୁଥିବା ବିଜେଡି ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here