ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବୈଜୟନ୍ତଙ୍କୁ ନେବା ପାଇଁ କଂଗ୍ରେସ ଏବଂ ବିଜେପି ଆରମ୍ଭ କରିଛନ୍ତି ଗୋଟି ଚାଳନା। ହେଲେ ବୈଜୟନ୍ତ କାହାକୁ ନିଜର କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ବାପା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ବୈଜୟନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ଉପରେ ସମସ୍ତେ ନଜର ରଖିଥିବା ବେଳେ କଂଗ୍ରେସ, ବିଜେପି କିନ୍ତୁ ଜୟ ପଣ୍ଡାଙ୍କ ପାଇଁ ଦୁଆର ଖୋଲା ରଖିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କୁ ଶାସକ ବିଜେଡି ଅଲୋଡ଼ା ଭାବୁଥାଉ ପଛକେ ହେଲେ ଅନ୍ୟ ଦୁଇ ଜାତୀୟ ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ତାଙ୍କୁ ଦଳରେ ନେବା ପାଇଁ ଆଗ୍ରହୀ ଥିବା କଥା ସ୍ପଷ୍ଟ ହୋଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୈଜୟନ୍ତଙ୍କୁ ନିଜ ଆଡ଼ୁ ସ୍ୱାଗତ କରିଥିବା ବେଳେ ବିଜେପି ବି ବୈଜୟନ୍ତଙ୍କ ବାଟକୁ ଚାହିଁ ରହିଛି।

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଏହି ବିବୃତ୍ତିଟି ପଢନ୍ତୁ: ପଣ୍ଡା ଜଣେ ଭଦ୍ର ଓ ଉତ୍ତମ ସ୍ୱଭାବର ମଣିଷ। ଜଣେ ଭଲ ରାଜନେତା ମଧ୍ୟ। ବିଜେଡି ତାଙ୍କୁ ଚିହ୍ନିପାରିଲା ନାହିଁ କି ତାଙ୍କୁ ଠିକ୍ ଭାବରେ କାମରେ ଲଗାଇପାରିଲା ନାହିଁ। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତାହା ଆମ ଦଳ ପାଇଁ ଫାଇଦା ହେବ।

କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି ଯେ ଯେଉଁମାନେ ଭଲ ନେତା ହୋଇଥିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରୁଥିବେ ସେମାନେ ବିଜେପିରେ ଯୋଗ ଦେବାରେ କୌଣସି ଅସୁବିଧା ନାହିଁ।

ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଖବର ଅନୁସାରେ ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ବୈଜୟନ୍ତଙ୍କ ଇସ୍ତଫା ପରିପ୍ରେକ୍ଷୀରେ ବିଜେଡିର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା କଥା ଜଣାପଡ଼ିଛି। ଜଣେ ବରିଷ୍ଠ କଂଗ୍ରେସ ନେତା କହିଲେ, ବିଜେପି ଓ କଂଗ୍ରେସ ବୈଜୟନ୍ତଙ୍କୁ ନିଜ ଆଡକୁ ଟାଣିବା ପାଇଁ ଆବଶ୍ୟକତା ଅପେକ୍ଷା ଅଧିକ ଉତ୍ସାହୀ। କାରଣ ତାଙ୍କୁ ନେଲେ ନବୀନଙ୍କ ବିରୋଧରେ ଲଢେଇକୁ ଜୋରଦାର କରାଯାଇପାରିବ।

ଜୟ ପଣ୍ଡାଙ୍କ ପରିବାର ମାଲିକାନାରେ ପ୍ରଭାବଶାଳୀ ନ୍ୟୁଜ୍ ଚ୍ୟାନେଲ ଓଟିଭି ରହିଛି। ଓଡ଼ିଶାରେ ଏହି ଗଣମାଧ୍ୟମର ଭଲ ପ୍ରଭାବ ରହିଛି। ଏଣୁ ଗଣମାଧ୍ୟମକୁ ଅକ୍ତିଆର କରିବା ପାଇଁ ବିଜେପି ଏବଂ କଂଗ୍ରେସ ବୈଜୟନ୍ତଙ୍କୁ ନେବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ ଯେଉଁ ଦଳ ବୈଜୟନ୍ତଙ୍କୁ ନେଲେ ବି ସେ ତାଙ୍କ ପାଇଁ ଏକ ସମ୍ପତ୍ତି ହୋଇପାରିବେ। ଆସନ୍ତା ନିର୍ବାଚନରେ ଯେହେତୁ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ସେହି ଦୃଷ୍ଟିରୁ ବୈଜୟନ୍ତଙ୍କୁ ଓ ପରୋକ୍ଷରେ ଓଟିଭିକୁ ସେମାନେ ପାଖରେ ରଖିବା ପାଇଁ ଆଗ୍ରହୀ।

LEAVE A REPLY

Please enter your comment!
Please enter your name here