ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୨୬ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ପୂରିଛି ଚାରି ବର୍ଷ। ଏହି ଅବସରରେ ମୋଦି କଟକ ଆସି ଚାରି ବର୍ଷର ସଫଳତା ବଖାଣି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ ଚାରି ବର୍ଷ ଭିତରେ କେନ୍ଦ୍ର ସରକାର କ’ଣ କରିଛନ୍ତି ତାର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏହାକୁ ନେଇ ଓଡ଼ିଶା ବିଜେପି ପକ୍ଷରୁ ‘ମୋଦି ସରକାରକୁ ୪୮ ମାସ, ନୂଆ ଓଡ଼ିଶାର ବିକାଶ ପାଇଁ ପ୍ରୟାସ’ ପୁସ୍ତକ ଉନ୍ମୋଚନ କରାଯାଇଛି। ଏହି ପୁସ୍ତିକାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି।

ପୁସ୍ତିକା ଉନ୍ମୋଚନ ବେଳେ ଓଡ଼ିଶାକୁ କେନ୍ଦ୍ର ସରକାର କ’ଣ ଦେଇଛନ୍ତି ଏବଂ ଉପା ସରକାର କ’ଣ ଦେଇଥିଲେ ତାର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର କହିଛନ୍ତି, “ଏନଡିଏ ସରକାରର ଚାରି ବର୍ଷ ଅମଳରେ ଓଡ଼ିଶା ଅନେକ ଲାଭ ପାଇଛି। ବିଭିନ୍ନ ଯୋଜନା ଓଡ଼ିଶା ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାକୁ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚାଯିବ। ଉପା ସରକାର ତୁଳନାରେ ଏନଡିଏର ଚାରି ବର୍ଷ ଶାସନରେ ଅଧିକ ଟଙ୍କା ଦିଆଯାଇଛି।”

ଉପା ସରକାରଙ୍କ ଶେଷ ଚାରି ବର୍ଷ ଅମଳରେ ଓଡ଼ିଶାକୁ ୮୨ ହଜାର କୋଟି ଟଙ୍କା ଆସିଥିଲା। କିନ୍ତୁ ଗତ ଚାରି ବର୍ଷ ଭିତରେ ଚତୁର୍ଦ୍ଦଶ ଅର୍ଥ କମିଶନ ଜରିଆରେ ଓଡ଼ିଶାକୁ ୧ ଲକ୍ଷ ୯୬ ହଜାର ୬୩୨ ଟଙ୍କା ଦିଆଯାଇଛି।

ଉପା ସରକାର ଅମଳରେ ଖଣି ବେନିୟମ ଭାବେ ଅବଣ୍ଟନ କରାଯାଉଥିଲା। ରାଜକୋଷକୁ ଅର୍ଥ ଆସୁ ନଥିଲା। କିନ୍ତୁ ଏନଡିଏ ସରକାର ଆସିବା ପରେ ଖଣି ଆବଣ୍ଟନ ନିୟମରେ ପରିବର୍ତ୍ତନ କରାଯାଇଛି। ଖଣି ନିଲାମୀ କରାଯାଉଛି। ଏହାଦ୍ୱାରା ଓଡ଼ିଶା ଲାଭବାନ ହେବ। ଖଣି ନିଲାମୀରୁ ପ୍ରାୟ ୭୧ ହଜାର କୋଟି ଟଙ୍କା ଓଡ଼ିଶା ପାଇବ।

ବ୍ୟାଙ୍କରୁ ଋଣ ନେଇ ଯେଉଁ କମ୍ପାନିମାନେ ଟଙ୍କା ସୁଝି ନପାରି ଲୁଚୁଥିଲେ ସେମାନଙ୍କଠାରୁ ଟଙ୍କା ଆଦାୟ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି। କମ୍ପାନି ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଏହାଦ୍ୱାରା କମ୍ପାନିମାନଙ୍କଠାରୁ ଋଣ ଟଙ୍କା ଆଦାୟ କରାଯାଇ ପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

“ଓଡ଼ିଶା ବିଜେପି ତରଫରୁ ଯେଉଁ ପୁସ୍ତିକା ଉନ୍ମୋଚନ କରାଯାଇଛି ତାହା ଗାଁ ଗହଳିର ଲୋକଙ୍କ ପାଖରେ ପହଞ୍ଚାଯିବ। ଜୁନ୍ ୫ ତାରିଖରୁ ମହାସମ୍ପର୍କ ଅଭିଯାନ ଆରମ୍ଭ କରାଯାଉଛି। କେନ୍ଦ୍ର ଓଡ଼ିଶା ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

LEAVE A REPLY

Please enter your comment!
Please enter your name here