ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ଜୋର୍ ଧରିଛି ରାଜନୀତି। ଚାବି କିଏ ହଜାଇଛି ତାକୁ ନେଇ ଚାଲିଛି ଖୋଳତାଡ଼।

କୁଆଡ଼େ ଗଲା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି? କିଏ ହଜାଇଲା ଚାବି? କେବେଠୁ ହଜିଲାଣି ଚାବି? ଏମିତି ଅନେକ ପ୍ରଶ୍ନକୁ ନେଇ ତିନି ଦିନ ହେଲା ଉଠୁଛି ପଡ଼ୁଛି ସାରା ଓଡ଼ିଶା। ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସରକାର ଆଜି ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ହେଲେ ଚାବି ହଜାଇଥିବା ବ୍ୟକ୍ତିକୁ ସରକାର ଧରିପାରିବେ କି ବୋଲି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏପ୍ରିଲ ୪ରେ ଖୋଲିଥିଲା କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଆକଳନ କରିବା ପାଇଁ ୧୬ ଜଣିଆ ଟିମ୍‌ ପ୍ରବେଶ କରିଥିଲେ। ହେଲେ ଭିତର ରତ୍ନଭଣ୍ଡାରରେ ପଶିପାରି ନଥିଲେ ଯାଞ୍ଚକାରୀ ଟିମ୍। ବାହାର ରତ୍ନଭଣ୍ଡାରରେ ରହି ଜଳାକବାଟି ଦେଇ ଭିତର ରତ୍ନଭଣ୍ଡାରକୁ ନିରୀକ୍ଷଣ କରିଥିଲେ।

ଭିତର ରତ୍ନଭଣ୍ଡାରକୁ ଯାଞ୍ଚକାରୀ ଟିମ୍ କାହିଁକି ପଶିପାରିଲେନି ବୋଲି ଗଣମାଧ୍ୟମ ପ୍ରତିନିଧି ଶ୍ରୀମନ୍ଦିର ପ୍ରଶାସକଙ୍କୁ ପ୍ରଶ୍ନ କରିଥିଲା। କିନ୍ତୁ ପ୍ରଶାସକ ଯାହା ଉତ୍ତର ଦେଇଥିଲେ ତାହା ଏବେ ଜଣାପଡ଼ୁଛି ମିଛ। ପ୍ରଶାସକ କହିଥିଲେ ଯେ ବାହାରେ ରହି ଭିତର ରତ୍ନଭଣ୍ଡାର ଯାଞ୍ଚ କରିବା ସମ୍ଭବ ହେଉଥିବାରୁ ଭିତରକୁ ଯିବାକୁ ଚାହିଁଲେ ନାହିଁ ଟିମ୍।

ହେଲେ ସେହିଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ହିଁ ଚାବି ହଜିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାଶୁଣି ଗଜପତି ମହାରାଜ ଚକିତ ହୋଇଯାଇଥିଲେ। ହେଲେ ପ୍ରଶାସନ ଚୁପ୍ ହୋଇଯାଇଥିଲା। କିନ୍ତୁ ଗଣମାଧ୍ୟମରେ ଦୁଇଦିନ ହେଲା ଚାବିକୁ ନେଇ ଚର୍ଚ୍ଚା ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ।

ଚାବି ହଜିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ଚାବି ହଜିବା ଜାଣିଥିଲେ ବି ପ୍ରଶାସନ କାହିଁକି ଚୁପ୍ ରହିଲା? କାହିଁକି ଥାନାରେ ଏତଲା ଦିଆଯାଇ ନଥିଲା? ୧୯୮୪ ମସିହା ପରେ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିକୁ ଫେରିଥିଲା ତ? ରତ୍ନଭଣ୍ଡାର ଖୋଲିବା ଦିନ ଯେଉଁ ଚାବି ନେନ୍ଥା ଯାଇଥିଲା ସେଥିରେ ଭିତର ରତ୍ନଭଣ୍ଡାର ଚାବି ଥିଲା ତ? ଏମିତି ଅନେକ ପ୍ରଶ୍ନ ଏବେ ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି।

କୁହାଯାଉଛି ଭିତର ରତ୍ନଭଣ୍ଡାରରେ ତିନୋଟି ତାଲା ପଡ଼ିଥାଏ। ସେଥିମଧ୍ୟରୁ ଗୋଟିଏ ତାଲାର ଚାବି ହଜିଯାଇଛି। ରତ୍ନଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ଯାଞ୍ଚକାରୀ ଟିମ୍ ବାହାରୁ ବାହାରୁ ପଳାଇ ଆସିଥିବା ଚର୍ଚ୍ଚା ହେଉଛି।

ତିନି ମାସ ପରେ ବିଚାର ବିଭାଗୀୟ ତଦନ୍ତ ଆଦେଶ

ଭିତର ରତ୍ନଭଣ୍ଡାର ଚାବି ତିନି ମାସ ହେଲା ହଜିଲାଣି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇ ନଥିଲା। ଗଣମାଧ୍ୟମରେ ଚାବି ହଜିବା ସମ୍ପର୍କରେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ଶେଷରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ। ତିନି ମାସ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

“ମୁଖ୍ୟମନ୍ତ୍ରୀ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ତଦନ୍ତ ଉପରେ ସମସ୍ତେ ଭରସା ରଖିବା ଦରକାର”, କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ମୁଖ୍ୟମନ୍ତ୍ରୀଙ୍କ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି ବିରୋଧୀ।

“ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇ ରାଜ୍ୟ ସରକାର ଚାବି ହଜିବା ପ୍ରସଙ୍ଗରୁ ସମସ୍ତଙ୍କ ନଜର ହଟାଇବାକୁ ଚେଷ୍ଟା କରିଛନ୍ତି। ଏହି କମିଶନର ରୂପରେଖ କ’ଣ ହେବ ସେ ସମ୍ପର୍କରେ ସରକାର କିଛି କହିନାହାନ୍ତି। ତେବେ ଏଥିରୁ କିଛି ସୁଫଳ ମିଳିବା ଭଳି ମନେହେଉନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ୧୮ ବର୍ଷ ଭିତରେ ଯେତେ କମିଶନ ବସିଛି ତାର ଫଳାଫଳ ଶୂନ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

“ବିଜେପି ମଧ୍ୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ କଡ଼ା ସମାଲୋଚନା କରିଛି। ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ଯେ ସରକାର ଏତେଦିନ ହେଲା ଚୁପ୍ କାହିଁକି ଥିଲେ? ଏପ୍ରିଲ ୪ ତାରିଖରୁ ଚାବି ହଜିବା ଜଣାପଡ଼ିଲାଣି। ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଲୋକଦେଖାଣିଆ ଭାବେ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ଚାବି ହଜିବା ଘଟଣାର ଫୌଜଦାରୀ ମୋକଦ୍ଦମା ରୁଜୁ ହେବା କଥା। ଯିଏ ଚୋରି କରିଛନ୍ତି ସେ ଜେଲ୍ ଯିବା କଥା”, କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।

Comment