ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ତାତିଛନ୍ତି ବିରୋଧୀ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି ବିରୋଧୀ। ବିଚାରବିଭାଗୀୟ ତଦନ୍ତକୁ ଲୋକଦେଖାଣିଆ କହିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବାକୁ କେନ୍ଦ୍ର କରି ତିନିଦିନ ହେଲା ଚାଲିଛି ହଲ୍ଲାପଟା। ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ। ଚାବି ହଜିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବିଜେପି। ଚାବି ହଜିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଆଜି ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି।

ହେଲେ ବିରୋଧୀ ବିଜେପି, କଂଗ୍ରେସ ଏବଂ ସେବାୟତମାନେ ଏହାକୁ ସମାଲୋଚନା କରିଛନ୍ତି।

ନଜର ହଟାଇବା ପାଇଁ ପ୍ରୟାସ: କଂଗ୍ରେସ

ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇ ରାଜ୍ୟ ସରକାର ଚାବି ହଜିବା ପ୍ରସଙ୍ଗରୁ ସମସ୍ତଙ୍କ ନଜର ହଟାଇବାକୁ ଚେଷ୍ଟା କରିଛନ୍ତି। ଏହି କମିଶନର ରୂପରେଖ କ’ଣ ହେବ ସେ ସମ୍ପର୍କରେ ସରକାର କିଛି କହିନାହାନ୍ତି। ତେବେ ଏଥିରୁ କିଛି ସୁଫଳ ମିଳିବା ଭଳି ମନେହେଉନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ୧୮ ବର୍ଷ ଭିତରେ ଯେତେ କମିଶନ ବସିଛି ତାର ଫଳାଫଳ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଚାର ବିଭାଗୀୟ ତଦନ୍ତ ଲୋକଦେଖାଣିଆ: ବିଜେପି

ବିଜେପି ମଧ୍ୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ କଡ଼ା ସମାଲୋଚନା କରିଛି। ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ଯେ ସରକାର ଏତେଦିନ ହେଲା ଚୁପ୍ କାହିଁକି ଥିଲେ? ଏପ୍ରିଲ ୪ ତାରିଖରୁ ଚାବି ହଜିବା ଜଣାପଡ଼ିଲାଣି। ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଲୋକଦେଖାଣିଆ ଭାବେ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ଚାବି ହଜିବା ଘଟଣାର ଫୌଜଦାରୀ ମୋକଦ୍ଦମା ରୁଜୁ ହେବା କଥା। ଯିଏ ଚୋରି କରିଛନ୍ତି ସେ ଜେଲ୍ ଯିବା କଥା।

କିଛି ସୁଫଳ ମିଳିବନି: ଦଇତାପତି

ବିଚାର ବିଭାଗୀୟ ତଦନ୍ତରୁ କିଛି ସୁଫଳ ମିଳିବନି। ଯିଏ ଚାବି ହଜାଇଛି ତାଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା କଥା। ଏପ୍ରିଲ ୪ରୁ ଚାବି ହଜିଥିବା ଜଣାପଡ଼ିଥିବା ବେଳେ ସରକାର କାହିଁକି ଚୁପ୍ ରହିଥିଲେ? ଯଦି ଜଣେ ସେବାୟତ ଚାବି ହଜାଇଥାନ୍ତେ ତାହାଲେ ସେ ଜେଲ୍ ଯାଇ ସାରନ୍ତେଣି। କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।

ସିବିଆଇ ତଦନ୍ତ ଦାବି କଲା ଜଗନ୍ନାଥ ସେନା

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ଆମେ ଭାବିଥିଲୁ ଚୋର ଧରିବା ପାଇଁ ମୁଖ୍ୟମନ୍ତ୍ରୀ ସିବିଆଇକୁ ତଦନ୍ତ ଦାୟତ୍ୱ ଦେବେ। କିନ୍ତୁ ବିଚାର ବିଭାଗୀୟ ତଦନ୍ତ ଦେଇ ମୁଖ୍ୟମନ୍ତ୍ରୀ ପୁଣି ଲୋକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରିଛନ୍ତି। ଜିଲ୍ଲା ଟ୍ରେଜେରିରେ ଭିତର ରତ୍ନଭଣ୍ଡାରର ଚାବି ରହିଥାଏ। ରତ୍ନଭଣ୍ଡାର ଖୋଲିବା ଦିନ ପ୍ରଶାସନ ନେନ୍ଥାଏ ଚାବି ନେଇ ଯାଇଥିଲା। ତେବେ ପ୍ରଶାସନ ସ୍ପଷ୍ଟ କରୁ ଚାବି କିଏ ଏବଂ କେତେବେଳେ ହଜାଇଲା?

LEAVE A REPLY

Please enter your comment!
Please enter your name here