ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି। ବିଜେଡି ବ୍ଲକ ସ୍ତରରେ ଆନ୍ଦୋଳନ କରିବା ପରେ ଆଜି କଂଗ୍ରେସ ଟୁଇନ ସିଟିରେ କରିଛି ଚକାଜାମ୍ ପ୍ରତିବାଦ।

  • କଂଗ୍ରେସର ୬ ଘଣ୍ଟିଆ ଚକାଜାମ୍
  • କଟକ-ଭୁବନେଶ୍ୱରରେ ଗଡ଼ିଲାନି ଗାଡ଼ି
  • ରାଜପଥରେ ଅଟକି ରହିଲା ଗାଡ଼ି
  • ପ୍ରମୁଖ ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ
  • ୨୮-୨୯ରେ ତେଲ ଦର ବୃଦ୍ଧିର ପ୍ରତିବାଦ କରିଥିଲା ବିଜେଡି

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ତେଜିଲା ରାଜନୀତି। ବିଜେଡି ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ବ୍ଲକରେ ପ୍ରତିବାଦ କରିବା ପରେ କଂଗ୍ରେସ ଆଜି ଏହି ପ୍ରସଙ୍ଗକୁ ଅସ୍ତ୍ର କରିଛି। ଟୁଇନ ସିଟି କଟକ ଏବଂ ଭୁବନେଶ୍ୱରରେ ୬ ଘଣ୍ଟିଆ ଚକାଜାମ୍ କରି ତେଲ ଦର ବୃଦ୍ଧିର ପ୍ରତିବାଦ କରିଛି।

ସକାଳ ୬ଟାରୁ ଆରମ୍ଭ ହୋଇଥିଲା କଂଗ୍ରେସର ପ୍ରତିବାଦ। ଟୁଇନ ସିଟିର ପ୍ରମୁଖ ରାସ୍ତାରୋକ କରିଥିଲେ କଂଗ୍ରେସ କର୍ମୀ। ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାସ୍ତାରୋକ ଯୋଗୁଁ ଟ୍ରକ, ବସ୍‌ ଏବଂ କାର୍ ଅଟକି ରହିଥିଲା।

ଭୁବନେଶ୍ୱର ଏଜି ଛକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ନେତାମାନେ ପ୍ରତିବାଦ କରିଥିଲେ। ପୋଲିସ ସେମାନଙ୍କୁ ଅଟକ ରଖିଥିଲା।

ଏପଟେ କଟକରେ ମଧ୍ୟ କଂଗ୍ରେସ କର୍ମୀମାନେ ମଧୁପାଟଣା ଛକ ଏବଂ ଲିଙ୍କ ରୋଡରେ ରାସ୍ତାରୋକ କରିଥିଲେ। ଏହି ସମୟରେ ଖପୁରିଆ ଆଇଟିଆଇର ଜଣେ ଛାତ୍ର ଗାଡ଼ି ନେଇ ଆସିବାରୁ ତାଙ୍କୁ କର୍ମୀମାନେ ଅଟକାଇଥିଲେ ଏବଂ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଂଗ୍ରେସ କର୍ମୀଙ୍କ ମାଡ଼ରେ ଛାତ୍ର ଜଣକ ଆହତ ହୋଇଛନ୍ତି।

“କଟକ ଭୁବନେଶ୍ୱରରେ ପ୍ରତିବାଦ ସଫଳ ହୋଇଛି। ଲୋକେ ଗାଡ଼ି ନଚଳାଇ ସ୍ୱତଃପ୍ରବୃତ ଭାବେ ପ୍ରତିବାଦରେ ସାମିଲ ହୋଇଥିଲେ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପିସିସି ସଭାପତି ଆହୁରି କହିଛନ୍ତି ଯେ ତେଲ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ। କେନ୍ଦ୍ର ଏକ୍ସଆଇଜି ଡ୍ୟୁଟି ହ୍ରାସ କରୁ ନଥିବାରୁ ଏବଂ ରାଜ୍ୟ ସରକାର ଭାଟ ହ୍ରାସ କରୁ ନଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି।

କଂଗ୍ରେସର ଚକାଜାମ ଆନ୍ଦୋଳନକୁ ସମାଲୋଚନା କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ବିଜେଡି ସହାୟତାରେ କଂଗ୍ରେସ ଏହି ଆନ୍ଦୋଳନ କରିଛି।

“କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଉଛି। ହେଲେ କଂଗ୍ରେସ ନିଜ ରାଜନୀତିକ ଫାଇଦା ପାଇଁ ରାଜରାସ୍ତାକୁ ଆସି ଆତଙ୍କରାଜ ଚଳାଇଛି। ବିଜେଡି ଏବଂ କଂଗ୍ରେସ ବୁଝାମଣା କରି ଏଭଳି ଆନ୍ଦୋଳନ କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛନ୍ତି”, କହିଛନ୍ତି ସମୀର ମହାନ୍ତି।

ବିଜେଡି ପକ୍ଷରୁ ଭୁବନେଶ୍ୱରରେ ହୋଇଥିବା ଆନ୍ଦୋଳନ

ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ପ୍ରଥମେ ଓହ୍ଲାଇଥିଲା ରାଜରାସ୍ତାକୁ। ମେ ୨୮ରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲା। ଛାତ୍ର ଓ ଯୁବ ବିଜେଡି କର୍ମୀମାନେ ରାଜରାସ୍ତାରେ ଅଭିନବ ଢଙ୍ଗରେ ପ୍ରତିବାଦ କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ।

୨୯ ତାରିଖରେ ମଧ୍ୟ ବିଜେଡି ବିଭିନ୍ନ ବ୍ଲକରେ ପ୍ରତିବାଦ କରିଥିଲା। ଉପ-ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ଦେଇଥିଲା ବିଜେଡି। ତୃଣମୂଳ ସ୍ତରରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିବା ପରେ ଆଜି କଂଗ୍ରେସ ଟୁଇନ୍ ସିଟିରେ କରିଛି ଚକା ଜାମ ପ୍ରତିବାଦ।

Comment