ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତିନି ଦିନ ଧରି ଚାଲିବ ସମାରୋହ
  • ଯୋଗଦେବେ ବହୁ ବିଶିଷ୍ଟ କବି ଏବଂ ଲେଖକ
  • ଆଞ୍ଚଳିକ ଭାଷାରେ କବିତା ପାଠ
  • ସମାରୋହରେ ୧୦ଟି ପୁସ୍ତକ ଉନ୍ମୋଚନ 

ଜୁନ ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ୫ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବେ। ତିନି ଦିନ ଧରି ଏହି ସମାରୋହ ଚାଲିବ।

ବିଶିଷ୍ଟ କବି ତଥା ଲେଖକ ପବନ ବର୍ମା, ନିରୁପମା ରାଓ, ଅମିଶ ତ୍ରିପାଠୀ, ପ୍ରତିଭା ରାୟ ଏବଂ ପ୍ରତିଭା ଶତପଥୀ ଉଦଘାଟନୀ ସମାରୋହରେ ଯୋଗ ଦେବେ। ପବନ ବର୍ମା ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେବେ। ଅମିଶ ତ୍ରିପାଠୀ, ନିରୁପମା ରାଓ, ବିନୋଦ ଦୁଆ ପ୍ରମୁଖ ଫେଷ୍ଟିଭାଲର  ମୁଖ୍ୟ  ବିଷୟ ଟୁୱାର୍ଡସ୍ ଏ ଜଷ୍ଟ ସୋସାଇଟି- ସାହିତ୍ୟରେ ସମାନତା, ନିରପେକ୍ଷତା ଏବଂ ମାନବବାଦ ଉପରେ ଆଲୋକପାତ କରିବେ ବୋଲି କେଏଲ୍ଏଫର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କମଳାକାନ୍ତ ଦାସ, କେଏଲ୍ଏଫର ଅନ୍ୟତମ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, ସଂଯୋଜକ ଏବଂ ନିର୍ଦ୍ଦେଶକ ପ୍ରାଚୀ ନାଏକ, ଦୀକ୍ଷା ତିୱାରୀ, ରଞ୍ଜନ ମଲ୍ଲିକ ଏବଂ ଦେବରାଜ ମହାନ୍ତି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

ଅମିଶ ତ୍ରିପାଠୀ, ନିରୁପମା ରାଓ ଏବଂ ପଦ୍ମଜ ପାଲଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସାହିତ୍ୟ ପୁରସ୍କାର- ୨୦୧୮ରେ ସମ୍ମାନିତ କରାଯିବ। ଓଡ଼ିଶାର ବିଭିନ୍ନ ଜିଲାର ଯୁବ ପ୍ରତିଭାସମ୍ପନ୍ନ ଲେଖକ ଏବଂ କବିମାନଙ୍କୁ କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାରରେ ପ୍ରଦାନ କରାଯିବ।

ଭାରତର ଅଧିକାଂଶ ରାଜ୍ୟର ୪୦ ଜଣ କଳାକାରଙ୍କୁ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ବେଶ୍ ଆକର୍ଷଣ କରିପାରିଛି। ସମାରୋହରେ ବୋଧଗମ୍ୟ ତଥା ପ୍ରଂଶସନୀୟ କଳା ସମ୍ପର୍କରେ ସ୍ୱତନ୍ତ୍ର ଅଧିବେଶନ ରହିଛି।

ବହୁଭାଷୀ କବିତା ଅଧିବେଶନରେ ବହୁ ବରିଷ୍ଠ କବି ସେମାନଙ୍କ କବିତା ନିଜ ଆଞ୍ଚଳିକ ଭାଷାରେ ପାଠ କରିବେ। ରାଜେନ୍ଦ୍ର ପଣ୍ଡା, ହରିହର ମିଶ୍ର, ଅମରେଶ ପଟ୍ଟନାୟକ, ପାରମିତା ଶତପଥୀ, ପବନ ବର୍ମା, ନିରୁପମା ରାଓ, ଜୟଶ୍ରୀ ତ୍ରିପାଠୀ, ପ୍ରଭାକର ଶତପଥୀ, ହୃଷିକେଶ ମଲ୍ଲିକ, ହୁସେନ ରବି ଗାନ୍ଧି, ମମତା ଦାଶ, ଆଶୁତୋଷ ପରିଡ଼ା ଏବଂ କେଦାର ମିଶ୍ର ପ୍ରମୁଖ କବି ସେମାନଙ୍କ  କବିତା ପାଠ କରିବେ।

ଏହି ତ୍ରିଦିବସୀୟ ସମାରୋହରେ ୧୦ଟି ପୁସ୍ତକ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି। କବି ରମାକାନ୍ତ ରଥ, କଥାକାର ଗୌରହରି ଦାସ, ଯତୀନ ନାୟକ ଏବଂ ସ୍ୱରାଜ ମିଶ୍ର ପ୍ରମୁଖ ପୁସ୍ତକ ଆଲୋଚନା ଅଧିବେଶନରେ ଯୋଗଦେବେ। ପ୍ରତିନିଧିମାନଙ୍କୁ ସ୍ମାର୍ଟ ସହର ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଜାଣିବା ନିମନ୍ତେ ସାଇକେଲ ଚାଳନାର ଆୟୋଜନ କରିଛି। ମନ୍ଦିର ମାଳିନୀ ଭୁବନେଶ୍ୱର ଏବଂ ପୁରୁଣା ଭୁବନେଶ୍ୱରର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଐତିହ୍ୟ ପଦଯାତ୍ରା କରାଯିବ।

Comment