ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଡାକ୍ତର ଦାମୋଦର ରାଉତ ବିଜେଡିର ଯୁବନେତା ଏବଂ ମନ୍ତ୍ରୀଙ୍କ ଉପରେ ଭୀଷଣ ଖପ୍ପା।

ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ରୋଷ ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ପ୍ରସଙ୍ଗରେ ସେ ତାଙ୍କ ନେତାଙ୍କୁ, ସରକାରକୁ ଓ ଅନ୍ୟମାନଙ୍କୁ ତିରସ୍କାର କରୁଛନ୍ତି।

ବିଶେଷକରି ବିଜେଡିର ଯୁବ ନେତା ଓ ମନ୍ତ୍ରୀଙ୍କ ଉପରେ ସେ ଭୀଷଣ ଖପ୍ପା। ଏବେ ଏବେ ପୂର୍ବତନ ମନ୍ତ୍ରୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବହେ ଝାଡ଼ିଛନ୍ତି ଦାମ। ବବିଙ୍କୁ କଟାକ୍ଷ କରି ଦାମ କହିଛନ୍ତି ଯେ ଯାଜପୁର ବିଧାୟକ ରାଜନୀତି ଅପେକ୍ଷା ବେପାରକୁ ଭଲ ବୁଝନ୍ତି।

ଦାମୋଦର ରାଉତ ବିଜେଡିର ୟଙ୍ଗ ଟର୍କଙ୍କୁ ଟାର୍ଗେଟ କରିବା ପଛରେ ଦୁଇ ତିନୋଟି କାରଣ ରହିଛି। ପ୍ରଥମ କାରଣ ହେଉଛି ଦାମଙ୍କ ଧାରଣା ଯେ ତାଙ୍କୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ବାହାର କରିବା ପଛରେ ଏହି ଯୁବ ନେତାଙ୍କର ହିଁ ହାତ ରହିଛି। ଯୁବ ବିଧାୟକମାନେ ଯାବତୀୟ ରକମର ଖେଳ କରୁଛନ୍ତି ଓ ସେମାନଙ୍କ ପରାମର୍ଶରେ ବିଜେଡି ନେତୃତ୍ୱ (ବା ପରୋକ୍ଷରେ ମୁଖ୍ୟମନ୍ତ୍ରୀ) ନାଚୁଛନ୍ତି ବୋଲି ଦାମଙ୍କ ଅଭିଯୋଗ।

ଦ୍ୱିତୀୟ କଥା ହେଉଛି ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜନୀତି କରୁଥିଲେ ଓ ତାଙ୍କ ପାଖ ଲୋକ ଥିଲେ ସେମାନଙ୍କୁ ଜାଣିଶୁଣି ଅବହେଳା କରାଯାଉଛି ବୋଲି ଦାମ ଭାବୁଛନ୍ତି। ଅବଶ୍ୟ ଏହି ଅଭିଯୋଗ ଓ କ୍ରୋଧ କେବଳ ଦାମୋଦର ରାଉତଙ୍କ ପାଖରେ ସୀମିତ ହୋଇ ରହିନାହିଁ। ଦାମଙ୍କ ଭଳି ଆଉ କିଛି ବରିଷ୍ଠ ନେତାଙ୍କ ଧାରଣା ମଧ୍ୟ ସେୟା।

ପୁରୁଣା ଗୋଷ୍ଠୀର ନେତାଙ୍କ ମତ ହେଉଛି ଯୁବ ବିଧାୟକମାନେ ଦଳରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଓ ଯେଉଁମାନେ ବିଜେଡି ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ଅଣଦେଖା କରାଯାଉଛି।

ଦାମଙ୍କ କ୍ଷୋଭର ଭାଷା ହେଉଛି,”ଯେଉଁମାନେ ବିଜୁବାବୁଙ୍କୁ ଆଦୌ ଜାଣି ନାହାନ୍ତି ସେମାନେ ଏବେ ତାଙ୍କ ନାଁରେ ଗଠିତ ଦଳର ମୁଖପାତ୍ର। ମୁଁ ଏବେ ଦଳରେ ଅଲୋଡ଼ା।”

ଦଳ ଭିତରେ ତାଙ୍କ ପ୍ରଭାବ କମିବା ପଛରେ ପ୍ରଣବ ପ୍ରକାଶ ହିଁ ମୁଖ୍ୟ ଭିଲେନ ବୋଲି ଦାମବାବୁ ସନ୍ଦେହ କରୁଛନ୍ତି।ବବି ବର୍ତ୍ତମାନ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ପିଲାଳିଆମୀ ଓ ରାଜନୀତି ଅପେକ୍ଷା ବ୍ୟବସାୟରେ ତାଙ୍କର ମନ ବୋଲି ଦାମ ଯାହା କହୁଛନ୍ତି ତାର ଗହନ କଥା ସେ ନିଜେ ହିଁ ବୁଝିଥିବେ। କିନ୍ତୁ ରାଜନୀତିରେ ଯେଉଁମାନେ ହଠାତ ଅଲୋଡ଼ା ହୋଇପଡ଼ନ୍ତି ସେମାନଙ୍କ ମନ ବୁଝିବା ବି କଷ୍ଟ।

ପୂର୍ବରୁ ପ୍ରଣବଙ୍କ ବାପା ଅଶୋକ ଦାସ ଥିଲେ ଦାମଙ୍କ ଘନିଷ୍ଠ ବନ୍ଧୁ। ଏହି ଅବସରରେ ଦାମ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମର୍ଥନ କରିଛନ୍ତି। ଦଳର ନେତୃତ୍ୱ ବିରୋଧରେ କିଛି କହି ନଥିବା ବେଳେ ତାଙ୍କୁ ଦଳରୁ ସସପେଣ୍ଡ କରାଗଲା ଓ ପରେ ସେ ଇସ୍ତଫା ଦେଲେ। ଜଣେ ଦି ଜଣ ଅଫିସରଙ୍କ ବିରୋଧରେ କହିବାରୁ ବୈଜୟନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବା କି ପ୍ରକାର ନିଷ୍ପତ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି।

ଏହିଭଳି ଦେଖିବାକୁ ଗଲେ ଏଇକ୍ଷଣି ବିଜେଡିରେ ଦାମବାବୁ ଜଣେ ଅଡ଼ୁଆ ମଣିଷ। ରଖିଲେ ମଲ ନରଖିଲେ ମଲ ଭଳି ଅବସ୍ଥା। ତାଙ୍କୁ ଚୁପ କରିବା ପାଇଁ ପାର୍ଟି ସୁପ୍ରିମୋ ଯେତେ ପଦକ୍ଷେପ ନେଇଛନ୍ତି ତାହା କାମ ଦେଉନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କୁ ଅଧିକ ରଗାଇବାକୁ ବି ଚାହୁଁନାହାନ୍ତି। କାରଣ ତାଙ୍କ ପାଟି ଖୋଲିଲା ମାତ୍ରେ ଦଳ ପ୍ରତି କିଛି ବିପଦ ଥୁଆ।

ଯାହା ଦେଖାଯାଉଛି, ଆସନ୍ତା ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନ ପର୍ଯ୍ୟନ୍ତ ଦାମଙ୍କ ଏହି ବାଣ ଫୁଟା ଚାଲିବ। ଏହା ନିଶ୍ଚିତ ଯେ ଦାମୋଦର ରାଉତଙ୍କ ଏଇଟି ହେଉଛି ରାଜନୈତିକ ଜୀବନର ଶେଷ ପାହାଚ। ଏହାପରେ ସେ ସକ୍ରିୟ ରାଜନୀତିରୁ ଅବସର ନେବାକୁ ବାଧ୍ୟ। ସୁତରାଂ ଯଦି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଏମିତି କିଛି ବାଣ ବିନିମୟ ଚାଲିବ ତାହା ଆଉ କିଛି ମାସ ପାଇଁ। ତା’ ପରେ ତମେ କିଏ ନା ଆମେ କିଏ?

LEAVE A REPLY

Please enter your comment!
Please enter your name here