ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ବ୍ୟାଟିଂରେ ସାରା ଦୁନିଆରେ ଖ୍ୟାତି ଅର୍ଜନ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି।

ଭାରତୀୟ ଜୁନିଅର କ୍ରିକେଟ ଦଳରେ ସଚିନଙ୍କ ପୁଅ। କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଭାରତୀୟ ଟିମ(୧୯ ବର୍ଷରୁ କମ୍)ରେ ମିଳିଲା ସ୍ଥାନ।

ବାପାଙ୍କ ଭଳି ସଫଳ ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ଅର୍ଜୁନଙ୍କର ଭାରତୀୟ ଟିମରେ ଯାତ୍ରା ଆରମ୍ଭ ହୋଇଛି। ବାପାଙ୍କ ଭଳି କ୍ରିକେଟର ହେବା ପାଇଁ ଛୋଟବେଳୁ ଲକ୍ଷ୍ୟ ରଖିଥିବା ଅଜୁର୍ନଙ୍କର ଭାରତୀୟ ଟିମରେ ଖେଳିବା ଆଶା ପୂରଣ ହେବାକୁ ଯାଉଛି। ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତୀୟ ଅଣ୍ଡର-୧୯ ଦଳରେ ସାମିଲ କରାଯାଇଛି।

୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକର ଜଣେ ବାମହାତୀ ମଧ୍ୟମଗତି ବୋଲର ଏବଂ ବାମହାତୀ ବ୍ୟାଟସମ୍ୟାନ୍। ୬ ଫୁଟରୁ ଉଚ୍ଚର ଏହି ଖେଳାଳି ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଏବଂ ଇଂଲଣ୍ଡ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କୁ ଆଦର୍ଶ ମାନନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆର ସ୍ପିରିଟ୍ ଅଫ୍ କ୍ରିକେଟ୍ ଗ୍ଲୋବାଲ୍ ଚାଲେଞ୍ଜରେ ଅର୍ଜୁନ ଚମତ୍କାର ଖେଳି ଚର୍ଚ୍ଚାକୁ ଆସିଥିଲେ। ହଂକଂ କ୍ରିକେଟ୍ କ୍ଲବ୍ ବିପକ୍ଷରେ ସେ କ୍ରିକେଟର୍ସ କ୍ଲବ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖେଳି ୨୭ ବଲ୍ରୁ ୪୮ ରନ୍ କରିବା ସହିତ ୪ ଓଭରରେ ୪ ଓ୍ଵିକେଟ୍ ନେଇଥିଲେ।

ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ୨ଟି ଚାରି ଦିବସୀୟ ଓ ୫ଟି ଦିନିକିଆ ମ୍ୟାଚ ଖେଳିବ। ଅଲରାଉଣ୍ଡର୍ ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ୪ ଦିବସୀୟ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ। କିନ୍ତୁ ତାଙ୍କୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ। ୪ ଦିବସୀୟ ଦଳର ନେତୃତ୍ୱ ଦିଲ୍ଲୀର ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ଅନୂଜ ରାୱତଙ୍କୁ ଦିଆଯାଇଛି। ଅନୂଜ ଗତ ଋତୁରେ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ।

ସେହିଭଳି ଦିନିକିଆ ଟିମର ଅଧିନାୟକ ଭାବେ ଆର୍ଯ୍ୟନ ଜୁଏଲଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଅଲରାଉଣ୍ଡର ଭାବେ ଏହି ଟିମରେ ସାମିଲ କରାଯାଇଛି। ଗତ ବିଜୟ ହଜାରେ ଟ୍ରଫିରେ ଆର୍ଯ୍ୟନ ପଦାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here